କଟକ ୦୭/୦୫: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ପ୍ରଣୀତ ଛାତ୍ର ଅଭିଯୋଗ ସମାଧାନ ନିୟମାବଳୀ- ୨୦୨୩ର ଧାରା ୬ ଅନୁସାରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଲୋକପାଳ ନିଯୁକ୍ତ ହେବେ। କିନ୍ତୁ ତିନି ବର୍ଷ ହେବ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳ ପଦ ଖାଲି ପଡ଼ିଛି । ତେଣୁ ଏହି ପଦ ପୂରଣ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ଉଚ୍ଚଶିକ୍ଷା ସଚିବ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ (ରେଜିଷ୍ଟ୍ରାର୍)ଙ୍କୁ ନୋଟିସ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖକୁ ଧାର୍ଯ୍ୟ ହୋଇଛି ।
ଛାତ୍ରଛାତ୍ରୀଙ୍କ ଆଡମିସନଠାରୁ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ଅଭିଯୋଗର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିୟମ ଅନୁସାରେ ଅଭିଯୋଗ ସମାଧାନ କମିଟି ଗଠନ କରାଯିବାର ବ୍ୟବସ୍ଥା ରହିଛି । ଏହି କମିଟିର ନିଷ୍ପତ୍ତି ବିରୋଧରେ ଅପିଲ୍ ଶୁଣିବା ପାଇଁ ଜଣେ ଲୋକପାଳ ନିଯୁକ୍ତ ହେବାର ପ୍ରାବଧାନ ରହିଛି । ପୂର୍ବତନ କୁଳପତି କିମ୍ବା ୧୦ ବର୍ଷର ଅଭିଜ୍ଞତା ଥିବା ପ୍ରଫେସର ତଥା ଜଣେ ପୂର୍ବତନ ଜିଲ୍ଲାଜଜ୍ ଏହି ପଦରେ ତିନିବର୍ଷ ଅବା ସତୁରି ବର୍ଷ ବୟସ ଯାଏଁ ନିଯୁକ୍ତି ପାଇବାର ବ୍ୟବସ୍ଥା ରହିଛି । କିନ୍ତୁ ୨୦୨୩ ମସିହା ମେ’ ରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳ ନିଯୁକ୍ତ ହୋଇନାହାନ୍ତି ।
୨୦୨୫ ଫେବ୍ରୁଆରି ୬ ତାରିଖରେ ଝାଡ଼ଖଣ୍ଡ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଲୋକପାଳ ଭାବେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । କିନ୍ତୁ ଜଷ୍ଟିସ୍ ଷଡ଼ଙ୍ଗୀ ଜାତୀୟ ମାନବାଧିକାର କମିସନର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗଦେଇ ପାରିନଥିଲେ । କିନ୍ତୁ ତାପରେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲୋକପାଳ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି । ଏ ଦିଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।