ଟ୍ରାଫିକ୍ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର, ୨୭/୦୫: ଜୟଦେବ ବିହାରରୁ ଚଢ଼ିଲେ ସିଧା ଓହ୍ଲାଇବେ ନନ୍ଦନକାନନ ସାମ୍ନାରେ । ସେତିକି ନୁହେଁ, ନାଲ୍କୋ ଛକ, ଡମଣା, ପଟିଆ, କିଟ୍ ଛକ ଓ ରଘୁନାଥପୁର ରାସ୍ତାରେ ଏ ଫ୍ଲାଏଓଭରରୁ ଓହ୍ଳାଇପାରିବେ । ଚଢ଼ି ବି ପାରିବେ । ଏଥିପାଇଁ ନିର୍ମାଣ ହେବ ୧୨ କିଲୋମିଟର ଲମ୍ବ ଅତ୍ୟାଧୁନିକ ଫ୍ଲାଏଓଭର । ଏହା ହେବ ଓଡ଼ିଶାର ସବୁଠାରୁ ଦୀର୍ଘତମ ଫ୍ଲାଏଓଭର ।
ପୂରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏମିତି ଆଖିଝଲସା ଫ୍ଲାଏଓଭର ନିର୍ମାଣ ହେବ, ଲାଗିବ ଯେମିତି ଭୁବନେଶ୍ୱର ନୁହେଁ ବିଦେଶରେ ବୁଲୁଛୁ । ବ୍ୟାଙ୍କକ୍ର ବାଙ୍ଗନା ଏକ୍ସପ୍ରେସ ଭଳି ଭ୍ରମ ସୃଷ୍ଟି ହେବ ଆମ ରାଜଧାନୀରେ । ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ ଟେନସନରୁ ମୁକୁଳିବା ପାଇଁ ଏମିତି ମେଗା ଯୋଜନା ପ୍ରସ୍ତୁତ ହେଉଛି । ଲାଗି ପଡ଼ିଛନ୍ତି ପୂର୍ତ୍ତ ବିଭାଗ ଟିମ୍ । ଚାଲିଛି ତନାଘନା ଅନୁଧ୍ୟାନ । ଏ ନେଇ ମାରାଥନ ଉଚ୍ଚସ୍ତରୀୟ ବୈଠକ ବସିଲାଣି ।
ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ରାସ୍ତା ଜୟଦେବବିହାର-ନନ୍ଦନକାନନ ରୁଟ । ସକାଳ ୯ରୁ ୧୧ଟା ଓ ସନ୍ଧ୍ୟା ୫ରୁ ୮ଟା ଏ ରାସ୍ତାରେ ଅସମ୍ଭାଳ ଟ୍ରାଫିକ ଜାମ୍ । ଏ ସମସ୍ୟା ଆଜିକାଲିର ନୁହେଁ, ଦୀର୍ଘ ବର୍ଷର । ଟ୍ୱିନସିଟି କଟକ-ଭୁବନେଶ୍ୱର ଯୋଡ଼ି ହେଉଥିବାବେଳେ ଏ ସମସ୍ୟା ବେଳକୁ ବେଳ ବଢ଼ିଚାଲିଛି । ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଅତୀତରେ ଅନେକ ଯୋଜନା ହୋଇଛି । ମାତ୍ର ଦୀର୍ଘସ୍ଥାୟୀ ସମାଧାନ ସୂତ୍ର ନ ବାହାରିବାରୁ କିଛି ଆଗେଇପାରିନି । ଏବେ ପୂର୍ତ୍ତ ବିଭାଗ ଏ ରାସ୍ତା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ୪ରୁ ୬ ଥାକିଆ ଫ୍ଲାଏଓଭର ନିର୍ମାଣ କରିବା ପାଇଁ ବିଚାର ବିମର୍ଷ ଚାଲିଛି ।
ଏହି ପ୍ରସ୍ତାବ ମୁତାବକ, କଟକରୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର-କଟକ ଅଭିମୁଖେ ଯାଉଥିବା ଲୋକେ ଆଉ କଳିଙ୍ଗ ହସ୍ପିଟାଲ ଛକ, ଚନ୍ଦ୍ରଶେଖରପୁର, ଡମଣା, ପଟିଆ, କିଟ ଛକ, ରଘୁନାଥପୁର କିମ୍ବା ନନ୍ଦନକାନନ ଟ୍ରାଫିକରେ ଆଉ ଫସିବେନି । ସିଧା ଫ୍ଲାଏଓଭର ଉପରେ ପଳାଇବେ । ଯେଉଁ ୧୨ କିମି ରାସ୍ତା ପାର୍ ହେବାକୁ ପିକ୍ ସମୟରେ ୪୫ ମିନିଟରୁ ୧ ଘଣ୍ଟା ଲାଗୁଛି, ତାହା ମାତ୍ର ୧୫ ମିନିଟରେ ଅତିକ୍ରମ କରିହେବ । ପ୍ରସ୍ତାବିତ ଫ୍ଲାଏଓଭରକୁ ଉଠିବା କିମ୍ବା ଫ୍ଲାଏଓଭରରୁ ଓହ୍ଳାଇବା ପାଇଁ ବିଭିନ୍ନ ଛକ ପାଖରେ ବ୍ୟବସ୍ଥା ରହିବ ।
ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ଜୟଦେବବିହାର-ନନ୍ଦନକାନନ ବର୍ତ୍ତମାନ ସମୟର ସବୁଠୁ ବଡ଼ ଚାଲେଞ୍ଜ । ଏ ରାସ୍ତାରୁ ଟ୍ରାଫିକ ଭିଡ଼ କମାଇବା ପାଇଁ ମେଗା ଯୋଜନା କରାଯାଉଛି । ଏଥିପାଇଁ ଫ୍ଲାଏଓଭର ନିର୍ମାଣ ଲାଗି ଏକ ପ୍ରସ୍ତାବ ରହିଛି । ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରାଯାଉଛି । ପୂର୍ବରୁ ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟକୁ ବି ବିଶେଷଜ୍ଞ ଟିମ୍ ତର୍ଜମା ଚଳାଇଛନ୍ତି । ଏ ନେଇ କିଛି ଚୂଡ଼ାନ୍ତ ହୋଇନାହିଁ ।
ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମଧ୍ୟ ସରକାରଙ୍କ ନିକଟରେ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ପୂର୍ତ୍ତ ବିଭାଗ ଟିମ୍ ସହ ବୈଠକ କରିଛନ୍ତି । ଏହି ବୈଠକରେ ଜୟଦେବବିହାର-ନନ୍ଦନକାନନକୁ ଫ୍ଲାଏଓଭର ନିର୍ମାଣ ନେଇ ଆଲୋଚନା ହୋଇଛି । କଳିଙ୍ଗ ହସ୍ପିଟାଲ ଓ ଡମଣା ଛକରେ ପ୍ରସ୍ତାବିତ ଫ୍ଲାଏଓଭର ନିର୍ମାଣ ନେଇ ପୂର୍ବରୁ ଥିବା ଯୋଜନା ବାବଦରେ ବି ଆଲୋଚନା ହୋଇଛି । ତେବେ ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ ସମସ୍ୟା ଦୂର ପାଇଁ ସରକାର ଖୁବଶୀଘ୍ର ବଡ଼ ପଦକ୍ଷେପ ନେବେ ବୋଲି ବିଧାୟକ ଆଶା ବ୍ୟକ୍ତ କରିଛନ୍ତି ।