ଭୁବନେଶ୍ୱର,୧୦/୦୬: ଆଗାମୀ ୨-୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା । ହେଲେ ଏ ଅପେକ୍ଷା ସାମାନ୍ୟ ଲମ୍ବିପାରେ । ପାଣିପାଗ ବିଭାଗର ତାଜା ପୂର୍ବାନୁମାନ କହୁଛି, ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ । ଅର୍ଥାତ୍ ୧୩ ୧୪ ତାରିଖ ବେଳକୁ (ରଜ ସମୟରେ) ଆସିପାରେ ମୌସୁମୀ ।

ପାଣିପାଗ ବିଭାଗ କହିଛି, ମୌସୁମୀ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ଅଛି । ୪-୫ ଦିନ ଭିତରେ ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶର କିଛି ଅଂଶ ସହ ତାମିଲନାଡ଼ୁର ବାକି ଅଂଶ ଏବଂ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଓଡ଼ିଶାର କେତେକ ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବ । ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ପ୍ରକୋପ ରହିପାରେ । ପ୍ରତିଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବାବେଳେ ୧୧ରୁ ବର୍ଷା ବଢ଼ିପାରେ । ୧୧ ଓ ୧୨ରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଆସନ୍ତା ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ।

ଅଧିକ ପଢ଼ନ୍ତୁ :-  Medical Colleges and Hospitals : ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ପାଇଁ ୭୫୫ ନୂତନ ପଦବୀ ମଞ୍ଜୁର

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପାଣିପାଗ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଏବେ ତାତି ବିଶେଷ ବଢ଼ିବନି । ୧୨ରୁ ପାଗ ପ୍ରାୟତଃ ବଦଳିପାରେ । କାଳବୈଶାଖୀ ବର୍ଷା ବଢ଼ିପାରେ । ୧୪ରୁ ୧୭ ତାରିଖ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ ।