ହାରାରେ, ୨୫/୦୭: ଆଜି ଘରୋଇ ଜିମ୍ବାୱେ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ଭାରତ ପ୍ରଥମ ମ୍ୟାଚ ଜିତି ଆଶ୍ୱସ୍ତ ହୋଇଛି । ଆଜି ବିଜୟଧାରା ଜାରି ରଖି ସିରିଜ କବଜା କରିବା ପାଇଁ ଭାରତ ଲକ୍ଷ୍ୟ ରଖିବ । ଜିମ୍ବାୱେ ପାଇଁ ଏହି ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଭାରତକୁ ହରାଇ ସିରିଜକୁ ଫେରିବା ପାଇଁ ଘରୋଇ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ପ୍ରଥମ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିଥିଲେ ହେଁ ଜିମ୍ବାୱେକୁ ହାଲକା ଭାବେ ଗ୍ରହଣ କରିବା ବୁମେରାଂ ସାବ୍ୟସ୍ତ ହୋଇପାରେ । କ୍ରିକେଟ୍ର ଏହି ଛୋଟ୍ ଫର୍ମାଟରେ ଭାରତକୁ ହରାଇବାର କ୍ଷମତା ଜିମ୍ବାୱେ ନିକଟରେ ରହିଛି । ଦଳରେ ଏକାଧିକ ଅଲ୍ରାଉଣ୍ଡର ରହିଥିବାରୁ ଜିମ୍ବାୱେ ବୋଲିଂ ବିଭାଗ ବେଶ ସୁଦୃଢ଼ । କିନ୍ତୁ ଘରୋଇ ଦଳକୁ ବ୍ୟାଟିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ପ୍ରଥମ ମ୍ୟାଚରେ ଭାରତର ଯୁବ ପେସ୍ ବାହିନୀ ଦ୍ରୁତ ବେଗରେ ବଲ୍ ପକାଇ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ । ଜିମ୍ବାୱେକୁ ଏଥିପ୍ରତି ସତର୍କ ରହିବାକୁ ହେବ ।
ଭାରତକୁ ମଧ୍ୟ କିଛି ତ୍ରୁଟି ସୁଧାରିବାର ଆବଶ୍ୟକତା ରହିଛି । ଗତ ଆୟର୍ଲାଣ୍ଡ ବିପକ୍ଷ ସିରିଜରୁ ଇଶାନ କିଷନଙ୍କ ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା ରଖିଥିବାରୁ କିଷନଙ୍କ ଉପରେ ଅତିରିକ୍ତ ଚାପ ନାହିଁ । ତେଣୁ ତାଙ୍କୁ ଏହାର ଫାଇଦା ଉଠାଇବାକୁ ପଡ଼ିବ । ପ୍ରଥମ ମ୍ୟାଚରେ ୩୫ ରନ କରିଥିଲେ ହେଁ କିଷନଙ୍କର ଦକ୍ଷତା ମୁତାବକ ପ୍ରଦର୍ଶନ ନଥିଲା। ସତ କହିବାକୁ ଗଲେ ବୈଭବ ଅର୍ଦ୍ଧଶତକ ଅର୍ଜନ କରି ମୂଳଦୁଆ ସୁଦୃଢ଼ କରିସାରିଥିଲେ । ତେଣୁ କିଷନଙ୍କୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇବା ଆବଶ୍ୟକ ଥିଲା । ତାଙ୍କ ଭଳି ଦକ୍ଷ ବ୍ୟାଟର ଦଳକୁ ବିଜୟ ପର୍ଯ୍ୟନ୍ତ ନେବା ଜରୁରି । ସେହିପରି ଅଭିଷେକ ଶର୍ମା ସ୍ଥିର ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜ ତୁଳନାରେ ଏହି ବୋଲିଂ ବିଭାଗ ବେଶ୍ ସନ୍ତୁଳିତ ମନେ ହେଉଛି । ଯୁବ ବୋଲରମାନେ ଅନ୍ତର୍ଜାତୀୟ କ୍ରିକେଟ୍ର ଅଭିଜ୍ଞତା ନେଉଥିଲେ ହେଁ ସଠିକ ଲାଇନ ଓ ଲେଙ୍ଗଥ୍ ଉପରେ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ :- Rohit Sharma: ବିଶ୍ୱକପ ପୂର୍ବରୁ ଦମ ଦେଖାଇବେ ହିଟ୍ମ୍ୟାନ୍, ବିଜୟ ହଜାରେ ଟ୍ରଫିରେ ଗର୍ଜିବ ବ୍ୟାଟ୍
ଆଜି ଭାରତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ରବି ବିଷ୍ଣୋଇଙ୍କ ସ୍ଥାନରେ ହର୍ଷ ଦୁବେଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ଜିମ୍ବାୱେ ପ୍ରଥମ ମ୍ୟାଚରେ ୪ ଜଣ ପେସ୍ ବୋଲରଙ୍କୁ ଖେଳାଇଥିଲା । ଆଜି ସ୍ପିନର ଭାବେ ୱେଲିଂଟନ ମାସାକାଜାଙ୍କୁ ଏକାଦଶରେ ସାମିଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ପ୍ରଥମ ମ୍ୟାଚରେ ପିଚ୍ ପେସ୍ ବୋଲରଙ୍କୁ ଭରପୁର ସହାୟତା କରିଥିଲା । ଆଜି ମଧ୍ୟ ପେସ୍ ବୋଲରଙ୍କ ପ୍ରଭାବ ଦେଖିବାକୁ ମିଳିପାରେ । ସ୍ଥାନୀୟ ତାପମାତ୍ରା ୨୦ଡିଗ୍ରୀ ରହୁଥିବାରୁ ପେସ୍ ବୋଲରଙ୍କ ପାଇଁ ଉପକୂଳ ପରିବେଷ ସୃଷ୍ଟି କରୁଛି । ପିଚ୍ରୁ ଅତିରିକ୍ତ ବାଉନ୍ସ ମିଳୁଛି । ପିଚ୍ରେ ଭରି ରହିଥିବା ଆଦ୍ରତା ଯୋଗୁଁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଭାରତ: ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଷନ, ଶ୍ରେୟାସ ଆୟର (ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂହ, ଶିବମ ଦୁବେ, ରବି ବିଷ୍ଣୋଇ/ ହର୍ଷ ଦୁବେ, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ଅଶୋକ ଶର୍ମା ।
ଜିମ୍ବାୱେ: ବ୍ରାଏନ ବେନେଟ, ବେନ କୁରାନ, ଡିୟନ ମାୟର୍ସ, ସିକନ୍ଦର ରାଜା (ଅଧିନାୟକ), ର୍ୟାନ ବର୍ଲ, ୱେସଲି ମଧେଭିରେ, ତଡ଼ିୱାନାସେ ମାରୁମାନି, ବ୍ରାଡ ଇଭାନ୍ସ, ୱେଲିଂଟନ ମାସାକାଜା, ରିଚାର୍ଡ ନଗରଭା, ବ୍ଲେସିଂ ମୁଜରବାନି ।