ଭୁବନେଶ୍ୱର,୩୧/୦୧:‘ଡାହାଣୀ’ ଶବ୍ଦ ବ୍ୟବହାର ଉପରେ OHRCଙ୍କ ବଡ଼ ନିର୍ଦ୍ଦେଶ । ‘ଡାହାଣୀ’ ଶବ୍ଦ ବ୍ୟବହାର ଅପରାଧ ଘୋଷଣା ହେଉ ବୋଲି କହିଛନ୍ତି ରାଜ୍ୟ ମାନବାଧିକାର କମିଶନ। ‘ଡାହାଣୀ’ ଶବ୍ଦ ଅପମାନଜନ । ଏହାର ହିଂସା ପ୍ରେରଣାମୂଳକ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ‘ଡାହାଣୀ’ ନିବାରଣ ଆଇନରେ ସଂଶୋଧନ କରିବାର ଆବଶ୍ୟକତା ରହିଛି। ‘ଡାହାଣୀ’ ସନ୍ଦେହରେ ଘଟୁଥିବା ହିଂସାକାଣ୍ଡ, ହତ୍ୟା, ଓ ସାମାଜିକ ବାସନ୍ଦକୁ ରୋକିବା ଦିଗରେ  OHRC ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି ଆୟୋଗ ଓଡ଼ିଶା ଡାହାଣୀ ଶିକାର ନିବାରଣ ଆଇନ–୨୦୧୩ ଓ ଏହାର ପରିପାଳନା ପାଇଁ ୨୦୧୪ ମସିହାରେ ସୂଚିତ କମ୍ପୋଜିଟ୍ ଆକ୍ସନ୍ ପ୍ଲାନର ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ।

ଆହୁରି ପଢନ୍ତୁ-ଏମ୍ସ ରୋଡ୍‌ରେ ହଣାକଟା, ଯାତ୍ରା ଦେଖି ଫେରିବା ବେଳେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ​​​​​​​

ଡାହାଣୀ ଶିକାର ଭଳି କୁସଂସ୍କାରମୂଳକ ପ୍ରଥାକୁ ସମୁଳେ ନଷ୍ଟ କରିବା ପାଇଁ ବର୍ତ୍ତମାନ ଆଇନରେ ସ୍ପଷ୍ଟ ଓ ପ୍ରଭାବଶାଳୀ ବ୍ୟବସ୍ଥାର ଅଭାବ ରହିଛି। ବିଶେଷକରି ଡାହାଣୀ ଅଭିଯୋଗ ଆଧାରରେ ବଳପୂର୍ବକ ଗ୍ରାମଛଡ଼ା, ସାମାଜିକ ବହିଷ୍କାର, ସମୁଦାୟରୁ ଚ୍ୟୁତି ଓ ଅମାନବିକ ଆଚରଣକୁ ରୋକିବା ପାଇଁ ଆଇନରେ ସ୍ପଷ୍ଟ ପ୍ରତିରୋଧମୂଳକ ବ୍ୟବସ୍ଥା ନାହିଁ। ଡାହାଣୀ ଶବ୍ଦକୁ ଅପରାଧ ଭାବେ ଘୋଷଣା କରିବା, ଆଇନକୁ ଲିଙ୍ଗ-ନିରପେକ୍ଷ କରିବା ଏବଂ ପ୍ରତିରୋଧ, ପୁନର୍ବାସ ଓ ନ୍ୟାୟ ପୁନସ୍ଥାପନ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି।ଗୃହ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗକୁ ସଂଯୁକ୍ତ ଭାବେ କମ୍ପୋଜିଟ୍ ଆକ୍ସନ୍ ପ୍ଲାନକୁ ସଂଶୋଧନ କରିବା ଏବଂ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ସାମିଲ କରିବା ସହ ଅବହେଳା ପାଇଁ ଦାୟୀ ବ୍ୟକ୍ତିମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। ପ୍ରକାଶ ଥାଉକି, ୨୦୧୮ରେ ସୁନ୍ଦରଗଡ ଜିଲ୍ଲାରେ ଯଶୋଦା  ସିଂହ ନାମତ ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ମାନବଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ କମିଶନ ରାଜ୍ୟ ସରକାରଙ୍କୁ ଆଇନ ସଂଶୋଧନ ସହିତ ଗୁଣିଗାରେଡି ବିରୋଧରେ ସଚେତନତାକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।