ଭୁବନେଶ୍ୱର ୩୧/୦୧ : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ୱର ଏମ୍ସ ହସ୍ପିଟାଲ ନିକଟରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଆତଙ୍କ। ଏମ୍ସକୁ ଆସୁଥିବା ଲୋକେ ହଣାକଟା ଦେଖି ଛିନଛତ୍ର। ଯିଏ ଯୁଆଡେ ପାରିଲେ ଜୀବନ ବିକଳରେ ଦୌଡ଼ିଲେ। କିଛି ସମୟ ଯାଏଁ ବିଚ୍ ରାସ୍ତାରେ ଚାଲିଥିଲା ରକ୍ତର ଖେଳ। ହଣାକଟା ନେଇ ପୁଲିସକୁ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଲା ପିସିଆର୍ ଭ୍ୟାନ୍। ତେବେ ହଣାକଟାରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଛାନଭିନ୍ ଚଳାଇଛି।
ସୂଚନା ଅନୁଯାୟୀ, ଶନିବାର ସକାଳେ ଖଣ୍ଡଗିରି ଯାତ୍ରା ଦେଖି ଫେରୁଥିଲେ ଚିଣ୍ଟୁ ନାମକ ଜଣେ ଯୁବକ। ଏହି ସମୟରେ ଏମ୍ସ ରାସ୍ତାରେ ହଠାତ୍ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଖଣ୍ଡାରେ ହାଣି ଚିଣ୍ଟୁଙ୍କୁ ଲହୁଲୁହାଣ କରିଦେଇଥିଲେ। ସେପଟେ ପୁଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି। ଏହାସହ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ମଧ୍ୟ ଛାନ୍ଭିନ୍ ଜାରି ରଖିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ଏହି ଖବରଟିକୁ ପଢନ୍ତୁ- ବିବାଦ ଯୋଗୁ ବଳିପଡୁଛି ଦେବ ପରମ୍ପରା,୧୧ ବର୍ଷ ହେବ ଏକାଠି ହୋଇପାରୁନାହାନ୍ତି ଶ୍ରୀଲିଙ୍ଗରାଜ-କପିଳେଶ୍ୱର