ନୂଆ ପିଢ଼ିର ଓଡ଼ିଆ ଯୁବକକୁ ପୁଣି ଥରେ ସାଧବ ବନିବାର ଆହ୍ୱାନ ଦେବାକୁ ହେବ ବାଣିଜ୍ୟର ନେତୃତ୍ୱ ନେବାକୁ, ଶିକ୍ଷା, ଜ୍ଞାନ ଓ ଉଦ୍ୟୋଗ କ୍ଷେତ୍ରରେ ବିଶ୍ୱ ଜିଣିବାକୁ । ବାଲିଯାତ୍ରା ଆମ ପାଇଁ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆମର ପାରିବାପଣିଆର ଏକ ଶପଥ । ଆସନ୍ତୁ ସମସ୍ତେ ମିଶି ପୁଣି ସେହି ଆତ୍ମବିଶ୍ୱାସ ଓ ସାହସ ସୃଷ୍ଟି କରିବା, ଯାହା ଏକଦା ଓଡ଼ିଶାର ବୋଇତକୁ ଦରିଆ ସେପାରି ନେଇଯାଇଥିଲା । ଆମର ଗତିଶୀଳ ଇତିହାସର ଏହି ଗର୍ବ ଆମକୁ ପୁଣି ବିଶ୍ୱଗୁରୁ କରିବା ପାଇଁ ଅନୁପ୍ରାଣିତ କରିବ, ଏହା ନିଃସନ୍ଦେହ ।
କେତେକ ମୁହୂର୍ତ୍ତ ଅଛି ଯେଉଁଥିରେ ଇତିହାସ ନିଜେ ଜାଗିଉଠେ । ଯେମିତି କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଓଡ଼ିଆ ଘରର ସ୍ତ୍ରୀଲୋକମାନେ ନିଜେ ସାଧବାଣୀ ପାଲଟି ଯାଆନ୍ତି । ଓଡ଼ିଆ ପୁରୁଷ ଛାତି ଭିତରେ ସମୁଦ୍ର ଲଙ୍ଘିଯିବାର ଦୁର୍ବାର ଇଚ୍ଛା ସତେଜ ହୋଇଯାଏ । ଦରିଆପାରିରୁ ପରଦେଶୀ ସମୁଦ୍ରକୂଳ ବି କହୁଥାଏ "ମୁଁ ତୁମକୁ ଭୁଲିନି ଓଡ଼ିଶା, ମୋ ତଟରେ ତୁମ ବୋଇତ ସେଦିନମାନଙ୍କରେ ଯେଉଁ ଆକାଶଛୁଆଁ ଆତ୍ମବିଶ୍ୱାସ ସହ ଲାଗିଯାଉଥିଲା, ତାହା ଆଜିଯାଏ ମନେଅଛି । ତୁମେ ପୁଣି ବୋଇତ ନେଇ ଆସ ଏଠାକୁ, ବାଣିଜ୍ୟ କରିବ, ବିଶ୍ୱ ଜିଣିବ ।' ଆଜି ଆମେ କାର୍ତ୍ତିକ ପୂର୍ଣ୍ଣିମା ଦିନରେ ବାଲିଯାତ୍ରାର ଇତିହାସକୁ ମନେପକେଇ ଡଙ୍ଗା ଭସାଇ ଖୁସି ହେଉଛୁ । କିନ୍ତୁ କଳିଙ୍ଗର ଆତ୍ମା ସେତିକିରେ ସନ୍ତୁଷ୍ଟ ଥିବା ଭଳି ଲାଗେନି । ମନେହେଉଛି ଉତ୍କଳର ଆତ୍ମା ଆଜି ଆମକୁ ନିରବ ଭାବେ କହୁଛି "ଡଙ୍ଗା ଭସେଇବା ସହିତ, ଡଙ୍ଗାରେ ଭାସିବା ଶିଖୁନ । ଯାଉନ ପୁଣି ଜାଭା, ସୁମାତ୍ରା, ବାଲି । ପୁଣି ଲେଖୁନ ଇତିହାସ ନୌ-ବାଣିଜ୍ୟର, ମାଟି ଓ ମନର ।'
ଏହି ସକାଳ କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ହେଉଛି ଓଡ଼ିଆ ଆତ୍ମାର ଉଜାଗରଣ । ଯେତେବେଳେ ମହାନଦୀ, ବୈତରଣୀ, ରୁଷିକୁଲ୍ୟା ଓ ସୁବର୍ଣ୍ଣରେଖା ମୁହାଣରେ ଓଡ଼ିଆ ଲୋକେ ଡଙ୍ଗା ଭସାନ୍ତି, ଦୀପ ଜାଳନ୍ତି ଆଉ ସେ ଆଲୋକ ମଧ୍ୟରେ ଜାଗିଉଠେ ଗୋଟେ ଜାତିର ଗତି, ଗର୍ବ ଓ ଗୌରବର ସ୍ମୃତି । ସେହି ସକାଳ ଯେଉଁଠି ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆ ନିଜ ଜାତିର ନୌବାଣିଜ୍ୟ ଐତିହ୍ୟର ପରାକାଷ୍ଠାକୁ ନେଇ ଉତ୍ଫୁଲ୍ଲିତ ହାଇଉଠେ । "ଆ-କା-ମା-ବୈ, ପାନଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ ଏହି ମୃଦୁ ସ୍ୱର ଓଡ଼ିଶାର କୋଣ ଅନୁକୋଣରେ ଗୁଞ୍ଜରିଉଠେ । ଏହା ସେହି ସମୟକୁ ସ୍ମରଣ କରାଏ ଯେତେବେଳେ ଓଡ଼ିଆ ସାଧବ ପୁଅ ନିଜ ଜ୍ଞାନ, କୌଶଳ ଓ ହାତର ଶିଳ୍ପରେ ତିଆରି ବୋଇତକୁ ନେଇ ଦୂର ଦରିଆ ପାର କରୁଥିଲେ । ଜାଭା, ସୁମାତ୍ରା ଓ ବାଲି ପର୍ଯ୍ୟନ୍ତ ସେ ଯାତ୍ରା କେବଳ ବାଣିଜ୍ୟର ଯାତ୍ରା ନଥିଲା, ଥିଲା ଏକ ସାହସିକ ମାଟିର ସାଂସ୍କୃତିକ ଯାତ୍ରା । ସେ ସମୟରେ ଓଡ଼ିଆ ମଣିଷ ସାଗରର ଗଭୀରତାକୁ ଜିତି ଆଶା ଓ ଆତ୍ମବିଶ୍ୱାସରେ ଯାତ୍ରା କରୁଥିଲେ ।
କଳିଙ୍ଗ ଯୁଗରେ ଓଡ଼ିଆମାନେ କେବଳ ସାମୁଦ୍ରିକ ବ୍ୟାପାରୀ ନଥିଲେ, ସେମାନେ ଥିଲେ ବିଶ୍ୱର ଆଗଧାଡ଼ିର ଜାହାଜ ତିଆରି ଆର୍କିଟେକ୍ଟ । ଅକାତ ଦରିଆର ସୀମାହୀନ ଦୂରତା ଲଙ୍ଘିପାରୁଥିବା ବୋଇତ ବି ଏହି ମାଟିରେ ତିଆରି କରାଯାଉଥିଲା । କଟକ, ବାଲେଶ୍ୱର, ଗୋପାଳପୁର, ଚିଲିକା ଓ ପାରାଦୀପ ଅଞ୍ଚଳ ସେତେବେଳେ ଜାହାଜ ନିର୍ମାଣର କେନ୍ଦ୍ର ଥିଲା । ସାଧବମାନେ ବାଉଁଶ ଓ ଶାଗୁଆ ଗଛର କାଠଦ୍ୱାରା ବୋଇତ ତିଆରି କରୁଥିଲେ । ସେହି ବୋଇତଗୁଡ଼ିକ କେବଳ ଶକ୍ତିଶାଳୀ ନୁହେଁ, ସେମାନଙ୍କ ଆର୍କିଟେକ୍ଚର ଭିତରେ ଥିଲା ବିଜ୍ଞାନ, ଯାହା ତୀବ୍ର ତୁମ୍ବି ତୁଫାନରେ ମଧ୍ୟ ବୋଇତକୁ ସ୍ଥିର ରଖୁଥିଲା । ଏହି ନୌକା ତିଆରି କୌଶଳ ଓଡ଼ିଶାକୁ ଦେଇଥିଲା ସେଇ ଆତ୍ମବିଶ୍ୱାସ, ଯାହା ନେଇ ସାଧବମାନେ ଅପରିଚିତ ଦେଶକୁ ଯାଉଥିଲେ ଭୟଶୂନ୍ୟ ହୋଇ । ଏହି ମହାନ ଐତିହ୍ୟ ଏତେ ଶକ୍ତିଶାଳୀ ଥିଲା ଯେ, େଇଣ୍ଡାନେସିଆର ବାଲିଠାରେ ଆମ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଐତିହାସିକ "ବାଲିଯାତ୍ରା' ସମ୍ପର୍କରେ ଯେଉଁଭଳି ଭାବେ ବର୍ଣ୍ଣନା ରଖିଥିଲେ, ତାହା ଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ଏହା କେବଳ ଇତିହାସର ପୁନରାବୃତ୍ତି ନଥିଲା, ଏହା ଓଡ଼ିଆ ଜାତିର ପାରିବାପଣିଆ ଉପରେ ଏକ ଅନ୍ତର୍ଜାତୀୟ ମୋହର ଲଗାଇଥିଲା । ଅତୀତରେ ଆମର ସାଧବ ପୁଅମାନେ ଗଭୀର ସମୁଦ୍ରରେ ବୋଇତଚାଳନା ମାଧ୍ୟମରେ ଭାରତ-ଇଣ୍ଡୋନେସିଆ ଯାତ୍ରା କରି ଦୁଇଦେଶ ମଧ୍ୟରେ ସମୃଦ୍ଧ ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ, ଯାହା ଆଜିର ମହାନ "ବାଲିଯାତ୍ରା' ପରମ୍ପରାକୁ ଜନ୍ମଦେଇଛି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ‘ଜି-୨୦ ଶିକ୍ଷା ମନ୍ତ୍ରିମଣ୍ଡଳ' ବୈଠକରେ ଦିଆଯାଇଥିବା ବକ୍ତବ୍ୟ ଆମର ନୌବାଣିଜ୍ୟ ଗୌରବ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ଆମର ଶକ୍ତିକୁ ପୁନଃ ଆକଳନ କରିବାର ସୁଯୋଗ ଦେଇଛି । ତାଙ୍କ ମତରେ ଭାରତ ସରକାରଙ୍କ "ମିଶନ ପୂର୍ବୋଦୟ' ହେଉଛି ଓଡ଼ିଶା ଅନ୍ତର୍ଜାତୀୟ ବାଣିଜ୍ୟ ଶିଳ୍ପର ପୁନରୁତ୍ଥାନ ଏବଂ ନୂତନ ବିଶ୍ୱ ବ୍ୟବସ୍ଥାରେ ଏହାର ପୁନଃ-ଆବିଷ୍କାରର ଏକ ପ୍ରତୀକ । ଅତୀତରେ ଓଡ଼ିଶାର ବୋଇତଗୁଡ଼ିକ କେବଳ ଭାରତ ମହାସାଗରୀୟ ରାସ୍ତା ଦେଇ ଜାଭା, ସୁମାତ୍ରା, ବାଲି ଓ ବୋର୍ଣ୍ଣିଓ ପର୍ଯ୍ୟନ୍ତ ପହଞ୍ଚୁଥିଲା। ଏହି ନୌଯାତ୍ରା ମାଧ୍ୟମରେ ଓଡ଼ିଶାରୁ କପଡ଼ା, ମସଲା, ଧାତୁ, ଶିଳ୍ପକାର୍ଯ୍ୟ ଏବଂ ହସ୍ତତନ୍ତ ଆଦି ରପ୍ତାନି ହେଉଥିଲା । ସେହିପରି ସାଧବମାନେ ଫେରିଲାବେଳେ ସାଙ୍ଗରେ ଆଣୁଥିଲେ ସମୃଦ୍ଧତା ସହ ବିଦେଶୀ ଭାଷା ଓ ଅନ୍ତର୍ଜାତୀୟ ସଂସ୍କୃତିର ସମ୍ପଦ । ଏହାର ପ୍ରମାଣ ସ୍ୱରୂପ ବାଲି, ଜାଭା ଏବଂ ସୁମାତ୍ରାର ମନ୍ଦିର କଳାରେ ଆଜି ବି କଳିଙ୍ଗ ଶିଳ୍ପର ଛାପ ଦେଖିବାକୁ ମିଳେ । ସେଠାକାର ନୃତ୍ୟରେ ଓଡ଼ିଆ ଭଙ୍ଗୀ ଏବଂ ଶବ୍ଦରେ ଓଡ଼ିଆ ଧ୍ୱନିର ପ୍ରଭାବ ସ୍ପଷ୍ଟ । ଏହି ପ୍ରମାଣରୁ ଜଣାପଡ଼େ ଆମେ ଓଡ଼ିଆମାନେ ଅତୀତରେ ବିଶ୍ୱଦରବାରରେ ବିକଶିତ ଏବଂ ପ୍ରଭାବଶାଳୀ ଥିଲୁ, କେବଳ କାଳକ୍ରମେ ବାଟ ହୁଡ଼ିଯାଇଛୁ । ତେଣୁ ଆଜି ସମୟ ଆସିଛି ମନକୁ ଟାଣ କରି ପୁଣି ଥରେ ଆଗକୁ ବଢ଼ିବା ଏବଂ ବିଶ୍ୱ ଅର୍ଥନୀତିରେ ନିଜର ପ୍ରାଧାନ୍ୟ ପ୍ରତିଷ୍ଠା କରିବା ପାଇଁ ଅଗ୍ରସର ହେବା ।
ପ୍ରତିବର୍ଷ ଯେତେବେଳେ ମହାନଦୀ ତଟରେ, ପାରାଦୀପ ମାଟିରେ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବାଲିଯାତ୍ରା ଆମ ଗତିଶୀଳ ଇତିହାସର ସବୁଠୁ ଜୀବନ୍ତ ପ୍ରତୀକ ଭାବେ ଆୟୋଜିତ ହେଉଛି, ସେତେବେଳେ ଏହି ଉତ୍ସବକୁ ଅତୀତରୁ ଆଗକୁ ଆଣିବାର ସମୟ ଆସିଛି । ଆଉଥରେ ବୋଇତ ତିଆରି କରିବାର ସମୟ ଆସିଛି, ପୁଣିଥରେ ସୀମା ପାର କରିବାର ଦାୟିତ୍ୱ ଆସିଛି । ଆଜିର ଯୁଗରେ ଆମେ ଡଙ୍ଗା କି ବୋଇତ ନେଇ ନୁହେଁ ବରଂ ଆମେ ଆତ୍ମବିଶ୍ୱାସ, ଜ୍ଞାନ ଓ ସୃଜନଶୀଳତାର ସାମଗ୍ରୀ ନେଇ ସୀମା ପାର ଯିବା । ସ୍ଥଳ, ଜଳ ଓ ଆକାଶର ସୀମା ଲଂଘି ନୂଆ ଓଡ଼ିଶା ଆଜି ବିଶ୍ୱ ସହିତ ସମାନ ଗତିରେ ଚାଲିବାରେ ଶକ୍ତି ରଖୁଛି । ନୂତନ ଯୁଗର ସାଧବ ଓଡ଼ିଆ ଯୁବକ ଯଦି ନିଜ ଶିଳ୍ପ, ଶିକ୍ଷା ଓ ସଂସ୍କୃତିକୁ ବିଶ୍ୱ ସହିତ ଯୋଡ଼ିପାରିବ, ତେବେ ଏହା ହେବ ସାଗରୀୟ ସଂସ୍କୃତିର ଏକ ଆଧୁନିକ ପୁନଃଜନ୍ମ ।
କଳିଙ୍ଗର ସମୁଦ୍ରୀୟ କାର୍ଯ୍ୟକଳାପ ଓଡ଼ିଶା ଇତିହାସର ଏକ ଅତ୍ୟନ୍ତ ଆକର୍ଷଣୀୟ ଅଧ୍ୟାୟ । ଏହି ବିସ୍ତୃତ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ଫଳରେ, କଳିଙ୍ଗର ସାଂସ୍କୃତିକ ଐତିହ୍ୟ, ଆଚାର-ବିଚାର, ଧାର୍ମିକ ଆସ୍ଥା, ଭାଷା, ଚିନ୍ତାଧାରା, ଶାସ୍ତ୍ର ଏବଂ ସନାତନ ଧର୍ମର ଉତ୍କୃଷ୍ଟ ମୂଲ୍ୟବୋଧଗୁଡ଼ିକ ସେହି ସମସ୍ତ ଦେଶରେ ପ୍ରଚଳିତ ହେଲା, ଯେଉଁଠାରେ କଳିଙ୍ଗର ବଣିକ, ବ୍ୟାପାରୀ ଓ ରାଜନୈତିକ ପ୍ରତିନିଧିମାନେ ଉପନିବେଶ ସ୍ଥାପନ କରିଥିଲେ । ଏହିପରି ଭାବେ କଳିଙ୍ଗର ସମୁଦ୍ର ବାଣିଜ୍ୟ କେବଳ ଅର୍ଥନୈତିକ ସମୃଦ୍ଧି ଆଣିନଥିଲା, ବରଂ ଓଡ଼ିଆ ସଂସ୍କୃତି, ଧର୍ମ ଓ ଚିନ୍ତାଧାରାକୁ ଦକ୍ଷିଣ-ପୂର୍ବ ଏସିଆ ମାଟିରେ ଦୃଢ଼ଭାବେ ପ୍ରତିଷ୍ଠିତ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲା । ଏହି ସାଗରୀୟ ଯାତ୍ରା କଳିଙ୍ଗକୁ ବିଶ୍ୱ ଦରବାରରେ ଏକ ସାଂସ୍କୃତିକ ଶକ୍ତିଭାବରେ ଉଭା କରିଥିଲା ।
କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀ ଓ ସାଗର କୂଳରେ ଯେଉଁ ହଜାର ହଜାର ଦୀପ ଜଳୁଛି ତାହା କେବଳ ଅତୀତର ସ୍ମୃତି ନୁହେଁ, ତାହା ଭବିଷ୍ୟତର ଓଡ଼ିଶା ପାଇଁ ଏକ ଦିଶାସୂଚକ ଆଲୋକ । ରୋବୋଟିକ୍ ଏବଂ ଏ.ଆଇ. ଯୁଗରେ ଆମେ ଏକତ୍ରିତ ହେଉଛୁ ଏହି ସଂକଳ୍ପ ନେବାକୁ ଯେ, ଆମେ ଆମର ଅସ୍ମିତାକୁ ନେଇ କୌଣସି ପ୍ରକାର ସାଲିସ୍ କରିବୁନାହିଁ। ନୂଆ ପିଢ଼ିର ଓଡ଼ିଆ ଯୁବକକୁ ପୁଣି ଥରେ ସାଧବ ବନିବାର ଆହ୍ୱାନ ଦେବାକୁ ହେବ ବାଣିଜ୍ୟର ନେତୃତ୍ୱ ନେବାକୁ, ଶିକ୍ଷା, ଜ୍ଞାନ ଓ ଉଦ୍ୟୋଗ କ୍ଷେତ୍ରରେ ବିଶ୍ୱ ଜିଣିବାକୁ । ବାଲିଯାତ୍ରା ଆମ ପାଇଁ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆମର ପାରିବାପଣିଆର ଏକ ଶପଥ । ଆସନ୍ତୁ ସମସ୍ତେ ମିଶି ପୁଣି ସେହି ଆତ୍ମବିଶ୍ୱାସ ଓ ସାହସ ସୃଷ୍ଟି କରିବା, ଯାହା ଏକଦା ଓଡ଼ିଶାର ବୋଇତକୁ ଦରିଆ ସେପାରି ନେଇଯାଇଥିଲା । ଆମର ଗତିଶୀଳ ଇତିହାସର ଏହି ଗର୍ବ ଆମକୁ ପୁଣି ବିଶ୍ୱଗୁରୁ କରିବା ପାଇଁ ଅନୁପ୍ରାଣିତ କରିବ, ଏହା ନିଃସନ୍ଦେହ ।