ଭୁବନେଶ୍ୱର,୨୯/୦୫: ବର୍ଷ ପୂର୍ତ୍ତି ପାଇଁ ରାଜ୍ୟ ସରକାର କରୁଛନ୍ତି ବିଶାଳ ଆୟୋଜନ ।  ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ । ଜୁନ୍‌ ୫ ତାରିଖରୁ ହିଁ ବ୍ଲକ  ସ୍ତରରେ ବୁଲିବ ସରକାରୀ ରଥ । ରଥ ବୁଲିବୁଲି ସରକାରଙ୍କ ବର୍ଷକର ସଫଳତାର ବାର୍ତ୍ତା ପ୍ରଚାର  କରିବ । ୧୯ ତାରିଖ ପର୍ଯ୍ୟନ୍ତ ଏହି ରଥ ପ୍ରତି ବ୍ଲକରେ ସରକାରଙ୍କ ସଫଳତା କାର୍ଯ୍ୟକ୍ରମ, ଯୋଜନା ଓ ପ୍ରକଳ୍ପ ଏବଂ ନିଷ୍ପତ୍ତି ବାବଦରେ ଲୋକଙ୍କୁ ଅବଗତ  କରାଇବ ।  

ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଜୁନ୍‌ ୧୧ରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି । ଏହାପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ବର୍ଷକର ସଫଳତା ଓ ରିପୋର୍ଟ  କାର୍ଡ ଉପସ୍ଥାପନ କରିବେ । ସରକାରଙ୍କ ସଫଳତା ବଖାଣିବାକୁ ଏକ ଗୀତ ପ୍ରସ୍ତୁତ କରାଯାଉଛି । ୧୨  ତାରିଖରେ ଜନତା ମଇଦାନରେ ରାଜ୍ୟସ୍ତରୀୟ  ସମାରୋହ ଅନୁଷ୍ଠିତ ହେବ । ବିକାଶ ମେଳା  ଆୟୋଜିତ ହେବ । ଏହି ଆୟୋଜନରେ ଏବେ  ଲାଗି ପଡ଼ିଛନ୍ତି ପୂର୍ତ୍ତ ଓ ଶିଳ୍ପ ବିଭାଗ ।   

ଭୁବନେଶ୍ୱର ବାଦ୍‌ ଅନ୍ୟ ସହରରେ ବି  ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ । ଜୁନ୍‌ ୧୩ରେ  ବ୍ରହ୍ମପୁରରେ ନାରୀ ଶକ୍ତି ସମ୍ମିଳନୀ, ୧୮ରେ ଢେଙ୍କାନାଳରେ ଯୁବ ଶକ୍ତି ସମାବେଶ, ୧୯ରେ  ମୟୂରଭଞ୍ଜରେ ଆଦିବାସୀ ଶକ୍ତି ସମ୍ମେଳନ ଓ  ୨୦ରେ ବରଗଡ଼ରେ ରାଜ୍ୟସ୍ତରୀୟ କୃଷକ ଶକ୍ତି  ସମାବେଶ ହେବ ।  

ଗତ ବର୍ଷକରେ ବିଭିନ୍ନ ଜିଲ୍ଲାରେ ଲୋକାର୍ପଣ  ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଭିତରୁ ୩୬୫ଟି ଶ୍ରେଷ୍ଠ ପ୍ରକଳ୍ପକୁ ଚିହ୍ନଟ କରି ସରକାର ସେଗୁଡିକୁ  ବ୍ରାଣ୍ଡିଂ କରିବା ପାଇଁ ଯୋଜନା କରିଛନ୍ତି । ଫଳରେ  ଏଗୁଡିକୁ ମିଳିବ ସ୍ୱତନ୍ତ୍ର ପରିଚୟ । ସରକାରଙ୍କ  ସଫଳତା ମୋବାଇଲ୍‌ ଆପ୍‌ ମାଧ୍ୟମରେ ଲୋକଙ୍କ  ନିକଟରେ ପହଞ୍ଚାଇବ ଇଲେକ୍ଟ୍ରୋନିକ୍ସ ଓ ଆଇଟି  ବିଭାଗ । ମାଇଁ ଗଭ୍‌ ଆପ୍‌ରେ ଏ ସମ୍ପର୍କିତ ଭିଡିଓ, ଫଟୋ ଅପଲୋଡ୍‌ ହେବ । ପ୍ରଗତି ପ୍ରଭା ପତ୍ରିକାରେ  ପ୍ରତି ବିଭାଗର ସଫଳତା କାହାଣୀ ପ୍ରକାଶିତ ହେବ ।  ଆଗକୁ ରଥଯାତ୍ରା ଥିବାରୁ ବିମାନବନ୍ଦର ଭଳି ପ୍ରମୁଖ  ସ୍ଥାନରେ ସରକାରଙ୍କ ଉପଲବ୍ଧି ନେଇ ସୂଚନା ଓ  ଲୋକସମ୍ପର୍କ ବିଭାଗ ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ  ପର୍ଯ୍ୟଟକଙ୍କୁ ଅବଗତ କରାଇବ । ସୋସିଆଲ୍‌  ମିଡିଆରେ ଅଡିଓ ଏବଂ ଭିଡିଓରେ ବର୍ଷକର ସଫଳତା  ବଖଣାଯିବ । 

ରବୀନ୍ଦ୍ର ମଣ୍ଡପରେ ୧୨ରୁ ୧୯ ଯାଏଁ  ଓଡ଼ିଶାର ବରପୁତ୍ରମାନଙ୍କ କାହାଣୀ ପ୍ରଦର୍ଶିତ ହେବ ।  ଜୟଦେବ ଭବନରେ ବିଭିନ୍ନ ସଫଳ ଓଡ଼ିଆ ଚଳଚ୍ଚିତ୍ର  ପ୍ରଦର୍ଶନ କରାଯିବ । ଭଞ୍ଜକଳା ମଣ୍ଡପରେ ବିଶିଷ୍ଟ  କଣ୍ଠଶିଳ୍ପୀଙ୍କ ଗୀତ ପରିବେଷିତ ହେବ । ଜିଲ୍ଲାସ୍ତରରେ  ବିକାଶ ମେଳା, ପଲ୍ଲିଶ୍ରୀ ମେଳା ଏବଂ ପାରମ୍ପରିକ  ଖାଦ୍ୟ ଉତ୍ସବ ଆୟୋଜିତ ହେବ । ୧୨ଟି ନୀତିକୁ  ନେଇ ରାଜ୍ୟ ସରକାର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ  ଆଗକୁ ବଢ଼ିବେ । ଏ ନେଇ ସମସ୍ତ ବିଭାଗ ୩୧  ତାରିଖ ସୁଦ୍ଧା ନିଜ ତାଲିକା ଯୋଜନା ଓ ସଂଯୋଜନ  ବିଭାଗକୁ ପଠାଇବାକୁ କୁହାଯାଇଛି । 

ଜୁନ୍‌ ୧୨ରୁ  ୧୯ ଭିତରେ ପ୍ରତି ବ୍ଲକରେ ଗୋଦାବରୀଶ ମିଶ୍ର  ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର  ଦିଆଯିବ । ସ୍କୁଲସ୍ତରରେ ଛାତ୍ରଛାତ୍ରୀଙ୍କୁ ନେଇ ଭିଜନ୍‌  ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ଶୀର୍ଷକ  ବିଷୟକୁ ନେଇ ପ୍ରବନ୍ଧ ଓ ଚିତ୍ରାଜ୍ଞନ ପ୍ରତିଯୋଗିତା ହେବ । ସମୃଦ୍ଧ ଓଡ଼ିଶା ଶୀର୍ଷକ ଜାତୀୟ ସେମିନାର  ଆୟୋଜନ ପାଇଁ ସ୍ଥିର ହୋଇଛି । ଜିଲ୍ଲାସ୍ତରରେ  ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମର ପରିଚାଳନା  ପାଇଁ କମିଟି ଗଢ଼ା ହେବ । ବିଭିନ୍ନ ଜିଲ୍ଲା ପାଇଁ ମନ୍ତ୍ରୀ  ଦାୟିତ୍ୱ ନେବେ । ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମ ପ୍ରତିନିଧି, ଶିଳ୍ପ ସଂସ୍ଥା ପ୍ରମୁଖ, ସିଭିଲ୍‌ ସୋସାଇଟି,  ବିଧାୟକ ଓ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀ ଭାବ ବିନିମୟ  କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।