କୋରାପୁଟ, ୨୮।୨: ଓଡ଼ିଶା ପୁଲିସର ସଂଗଠିତ ଅପରାଧ ବିରୋଧରେ ଏକ ଐତିହାସିକ ବିଜୟ । କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ଜୋଲାପୁଟ ଜଳଭଣ୍ଡାରର ଏକ ନିଛାଟିଆ ଦ୍ୱୀପରେ ଚାଲିଥିବା ଏକ ଅତ୍ୟାଧୁନିକ ହାସିସ୍ ଅଏଲ୍ (ନିଶା ଦ୍ରବ୍ୟ) କାରଖାନାକୁ ଧ୍ୱସ୍ତ କରିଛି ପୁଲିସ । ଏହି ମାମଲାରେ କେରଳର ମାଷ୍ଟରମାଇଣ୍ଡ ଆଲେନ୍ ଜୟରାଜଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି । ଗତ ୨୬ ଫେବୃଆରୀରେ ସୂଚନା ପାଇ କୋରାପୁଟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଡଙ୍ଗା ସାହାଯ୍ୟରେ ଜଳଭଣ୍ଡାର ମଧ୍ୟରେ ଥିବା ପରଜାବଡ଼ପଦା ଜଙ୍ଗଲରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ମୁଖ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରୁ ପ୍ରଥମେ ଲକ୍ଷ୍ମଣ ଖିଲା ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା ।

ଏହା ବି ପଢ଼ନ୍ତୁ... ସବୁ କଳ୍ପନା ଜଳ୍ପନାର ଅନ୍ତ, ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା : ସଂତୃପ୍ତ ଓ ଦତ୍ତେଶ୍ଵରଙ୍କ ନାଁରେ ନବୀନଙ୍କ ମୋହର

ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ୩୦ ଘଣ୍ଟା ଧରି 'କାସୋ' (CASO) ଅପରେସନ୍ ଚଳାଯାଇଥିଲା । ୬ଟି ଟିମ୍ ଗଠନ କରାଯାଇ ପୂରା ଦ୍ୱୀପକୁ ଘେରାବନ୍ଦୀ କରାଯାଇଥିଲା । ଡ୍ରୋନ୍ କ୍ୟାମେରା ଓ ବୋଟ୍ ପାଟ୍ରୋଲିଂ ସାହାଯ୍ୟରେ ଜଙ୍ଗଲରେ ଖୋଜାଖୋଜି କରିବା ପରେ କେରଳର କିଙ୍ଗପିନ୍ ଆଲେନ୍ ଜୟରାଜ ଓ ଅନ୍ୟ ୫ ସହଯୋଗୀଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ ୨୩୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଏଥିରେ ୨୨୫ କୋଟି ମୂଲ୍ୟର ହାସିସ୍ ଅଏଲ୍, ୫ କୋଟି ମୂଲ୍ୟର ୧,୦୦୦ କେଜି ଶୁଖିଲା ଗଞ୍ଜେଇ, ୮୦ ଲିଟର କ୍ଲିନିଂ ସଲଭେଣ୍ଟ, ୨୮ କେଭି ହୋଣ୍ଡା ଜେନେରେଟର, ପ୍ରେସର କୁକର, ପାଇପ୍ ଏବଂ ଅତ୍ୟାଧୁନିକ ଲ୍ୟାବ୍ ଉପକରଣ ସାମିଲ ।

ଗିରଫ ମୁଖ୍ୟ ଅଭିଯୁକ୍ତ ଆଲେନ୍ ଜୟରାଜ କେରଳର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ୨୦୧୧ରେ ତାଙ୍କ ନାମରେ ଦୁଇଟି ହତ୍ୟା ମାମଲା ଏବଂ ୨୦୧୬ରେ ଏକ ଏନଡିପିଏସ (NDPS) ମାମଲା ରହିଛି । ସେ ଟେକ୍ନିକାଲ୍ ଜ୍ଞାନକୌଶଳ ବ୍ୟବହାର କରି କୋରାପୁଟର ଦୁର୍ଗମ ଅଞ୍ଚଳରେ ଏହି ବେଆଇନ କାରଖାନା ବସାଇଥିଲା । ତଦନ୍ତରୁ ଜଣାପଡ଼ିଛି ଯେ, ସ୍ଥାନୀୟ ଲୋକଙ୍କ ସହାୟତାରେ ଗଞ୍ଜେଇ ସଂଗ୍ରହ କରାଯାଉଥିଲା । ଏହାପରେ କେରଳରୁ ଆସିଥିବା ଏକ୍ସପର୍ଟମାନେ ପ୍ରେସର କୁକର ଏବଂ ଆଇସୋପ୍ରୋପାଇଲ୍ ଆଲକୋହଲ୍ ବ୍ୟବହାର କରି ଗଞ୍ଜେଇରୁ ହାସିସ୍ ଅଏଲ୍ ପ୍ରସ୍ତୁତ କରୁଥିଲେ । ଏହି ତେଲକୁ ଅତ୍ୟନ୍ତ ମହଙ୍ଗା ଦରରେ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରାଯାଉଥିଲା । ଏହି ମାମଲାର ଅଧିକ ତଦନ୍ତ ପାଇଁ କୋରାପୁଟ ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି । ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବା ସହ ସେମାନଙ୍କ ଆର୍ଥିକ କାରବାରର ଖୋଳତାଡ଼ କରାଯିବ । ଅନ୍ୟ ରାଜ୍ୟରେ ଥିବା ଏହି ସିଣ୍ଡିକେଟର ଚେର ଖୋଜିବା ପାଇଁ ତିନୋଟି ପୁଲିସ ଟିମ୍ ବାହାର ରାଜ୍ୟକୁ ପଠାଯାଇଛି ।