ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବିଦା ହେବେ ବାଂଲାଦେଶୀ; ୨୧ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୁଲିସ; ଚାଲିଛି ପରିଚୟ ପ୍ରମାଣପତ୍ର ଯାଞ୍ଚ

Published By : Prameya | July 4, 2025 10:54 AM

କେନ୍ଦ୍ରାପଡ଼ା/ମହାକାଳପଡ଼ା,୦୪/୦୭: ଓଡ଼ିଶାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଗୁରୁବାର କେନ୍ଦ୍ରପଡ଼ା ଜିଲ୍ଲା ବଉଳକଣି ପଞ୍ଚାୟତର ୬ଜଣଙ୍କୁ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ଉଠାଇ ଆଣିଥିଲା । ସେମାନଙ୍କ ମଧ୍ୟରେ ଜଣେ ଦଶମ ଶ୍ରେଣୀ  ଛାତ୍ର ଥିବା ସୂଚନା ମିଳିଛି । ସେହିଭଳି କେନ୍ଦ୍ରାପଡ଼ା ଟାଉନ୍‌ର ବିଭିନ୍ନ ସ୍ଥାନରେ ବୁଲି ବୁଲି ଫେରି ବେପାର କରୁଥିବା ବଙ୍ଗ ଭାଷାଭାଷୀ ୧୫ଜଣଙ୍କୁ ଉଠାଇ ନେଇଛି ପୁଲିସ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ନିକଟକୁ ନିଆଯାଇ ବିଭିନ୍ନ ପରିଚୟ ପ୍ରମାଣପତ୍ର ଓ  ଠିକଣା ପ୍ରମାଣପତ୍ର ଯାଞ୍ଚ୍‌ କରାଯାଉଛି ।

ମହାକାଳପଡ଼ା ବ୍ଲକ୍‌ର ବଙ୍ଗ ଭାଷାଭାଷୀ ଅଞ୍ଚଳରେ ବସବାସ କରୁଥିବା ଅଣଭାରତୀୟମାନେ ବିଭିନ୍ନ ଗଳାବାଟ ଦେଇ ଭାରତରେ ପ୍ରବେଶ କରୁଥିଲେ । ପରେ ଅବୈଧ ଆଧାର କାର୍ଡ ଯୋଗାଡ଼ କରି ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ରାସନ କାର୍ଡ ଯୋଗାଡ଼ କରିବା, ଭୋଟର ପରିଚୟପତ୍ରରେ ନାମ ପଞ୍ଜିକରଣ  କରିବାରେ ଏମାନେ ସକ୍ଷମ ହୋଇଥିଲେ । କିନ୍ତୁ ରାଜ୍ୟ ସରକାର ବାଂଲାଦେଶୀ ଚିହ୍ନଟ  ପ୍ରକ୍ରିୟା ଆରମ୍ଭ କରିବା ପରେ ଏବେ ଛନକା  ପଶିଛି । ଯାହା ସୂଚନା ମିଳିଛି, ଲୁଚାଛପାରେ ଏଠାରେ ରହୁଥିବା ବାଂଲାଦେଶୀ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏମିତିକି କିଛି ପ୍ରତ୍ୟାବର୍ତ୍ତନ  ଆରମ୍ଭ କରିଥିବା ଜଣାଯାଇଛି । 

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ  ସୂଚନା ଅନୁସାରେ, କିଛି ଅଣହିନ୍ଦୁ  ମହାକାଳପଡ଼ା ଅଞ୍ଚଳରେ ଚିଙ୍ଗୁଡ଼ିଘେରି  ଜଗିବା ଓ ବୋଟ୍‌ରେ ମତ୍ସ୍ୟଜୀବୀ ଭାବେ କାମ କରିବାକୁ ନିଜର ବେଉସା ଭାବେ  ଆଦରି ନେଇଛନ୍ତି । ଏ ସବୁ ତଦନ୍ତ  ଭିତରେ ୨୦୦୫ ମସିହାରେ ସରକାରୀ ଭାବେ ମହାକାଳପଡ଼ା, ରାଜନଗର ଓ  ପଟ୍ଟାମୁଣ୍ଡାଇ ବ୍ଲକ୍‌ରେ ଚିହ୍ନଟ ୧୬୪୯  ବାଂଲାଦେଶୀ ଗଲେ କୁଆଡ଼େ ତାକୁ ନେଇ  ପ୍ରଶ୍ନ ଉଠିଲାଣି ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.