ଓଡିଶା ଦକ୍ଷତା ବିକାଶ ଅଧ୍ୟକ୍ଷଙ୍କ ଚୌଦ୍ୱାର ଜେଲ ପରିଦର୍ଶନ, ଅନ୍ତେବାସୀମାନେ ରୋଜଗାରକ୍ଷମ ହେବା ନେଇ ଖସଡ଼ା ପ୍ରସ୍ତୁତ ଉପରେ ଆଲୋଚନା

କଟକ, ୨/୭: ଓଡିଶା ଦକ୍ଷତା ବିକାଶର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଶନିବାର ଚୌଦ୍ୱାର ଜେଲ ପରିଦର୍ଶନ କରିଛନ୍ତି । ପରିଦର୍ଶନରେ ଆସି ଜେଲ କର୍ତ୍ତୃପକ୍ଷ ଓ ଅନ୍ତେବାସୀଙ୍କ ସହ ପୁଙ୍ଖାନୁଫୁଙ୍ଖ ଆଲୋଚନା କରିଛନ୍ତି । ଚୌଦ୍ୱାର ଜେଲ ହେଉଛି ଓଡିଶାର ଶ୍ରେଷ୍ଠ ଜେଲ ମଧ୍ୟରୁ ଅନ୍ୟତମ । ଏହି ପରିଦର୍ଶନ ସମୟରେ ଜେଲରେ ଥିବା ଅନ୍ତେବାସୀମାନଙ୍କୁ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ ବାଗଚୀ ।
ଅନ୍ତେବାସୀମାନେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ବିଷୟରେ ଏକ ଖସଡ଼ା ପ୍ରସ୍ତୁତ କରିବା ପାଇଁ ଜେଲ୍ ଡିଜି ଶୁଭକାନ୍ତ ମିଶ୍ରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି l ଚୌଦ୍ୱାର ଜେଲକୁ ଦେଖିବା ପରେ ବଡ ଆଶା ମିଳୁଛି ଏହି ଜେଲକୁ ନେଇ ଏକ ମଡେଲ ପ୍ରସ୍ତୁତ କରାଯାଇପାରିବ ବୋଲି କହିଛନ୍ତି ସୁବ୍ରତ ବାଗଚୀ । ଯେଉଁଥିରେ ରାଜ୍ୟରେ ଥିବା ଜେଲ ଗୁଡିକ ସାମିଲ ହୋଇପାରିବ ।
ଜେଲରେ ରହୁଥବା ୨୦ହଜାରରୁ ଊର୍ଦ୍ଧ୍ବ ଆଜୀବନ ଓ ବିଚାରଧିନ କଏଦୀଙ୍କ ମଧ୍ୟରୁ ୧୦ରୁ ୧୫ ହଜାର କଏଦୀଙ୍କୁ କାର୍ଯ୍ୟରେ ନିୟୋଜିତ କରିପାରିଲେ ଜୀବନ ସାର୍ଥକ ହେବ ବୋଲି ଶ୍ରୀ ବାଗଚୀ କହିଛନ୍ତି । ଅନ୍ୟପଟେ ଡିଜି ପ୍ରିଜିନ୍ ନିର୍ଦ୍ଦେଶ ଅନୁଯାୟୀ ଜେଲ କର୍ତ୍ତୃପକ୍ଷ ଖୁବଶୀଘ୍ର ଏକ ଖସଡା ପ୍ରସ୍ତୁତ କରିବେ । ଯେଉଁଥିରେ କଏଦୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ସହ ରୋଜଗାର କ୍ଷମ ହେବେ ଏବଂ ଜେଲରେ ଥିବା ଅନ୍ୟ ଅନ୍ତେବାସୀଙ୍କୁ ମଧ୍ୟ ଦକ୍ଷତା ଶିଖାଇପାରିବେ ବୋଲି ଶୁଭକାନ୍ତ ମିଶ୍ର କହିଛନ୍ତି ।