ଭୁବନେଶ୍ୱର,୨୬/୦୨: ଓଡ଼ିଶା ଛାତ୍ରଛାତ୍ରୀ ଜାତୀୟସ୍ତରରେ ଚମକିବେ । ଆଇଏଏସ୍ ହେବେ ଆଇପିଏସ୍ ପାଇବେ । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ ୟୁନିୟନ ପବ୍ଲିକ ସର୍ଭିସ୍ କମିଶନ(ୟୁପିଏସ୍‌ସି ) ମାଗଣା କୋଚିଂ । ଏଥିପାଇଁ ବର୍ଷକୁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ହେଲେ ଆଇଏଏସ୍, ଆଇପିଏସ୍ ତ ଦୂରର କଥା ୟୁପିଏସ୍‌ସିରେ ଉତ୍ତୀର୍ଣ୍ଣ ହେଉନାହାନ୍ତି । ଗତ ୩ବର୍ଷରେ ରାଜ୍ୟ ସରକାର ମାଗଣା ୟୁପିଏସ୍‌ସି କୋଚିଂ ପାଇଁ ୧୬ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କଲେ । ହେଲେ ଜଣେ ମାତ୍ର ୟୁପିଏସ୍‌ସି ପାଇଛନ୍ତି । ତାହା ପୁଣି ଆଇଏଫ୍ଓଏସ୍ ପାଇଛନ୍ତି । ଆଉ ୩୯ ଜଣ ଓଡ଼ିଶା ସିଭିଲ୍ ସର୍ଭିସ୍(ଓସିଏସ୍)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଶିକ୍ଷାବିତ୍‌ଙ୍କ  ପ୍ରଶ୍ନ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଏହି ଯୋଜନାର ପରିକଳ୍ପନା କରିଛନ୍ତି ତାହା ସଫଳ ନହେବାର କାରଣର ସମୀକ୍ଷା ହେବାର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ, ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ମାଗଣା କୋଚିଂ ଦେଉଛନ୍ତି । ୨୦୨୩-୨୪ ଶିକ୍ଷାବର୍ଷରୁ ରାଜ୍ୟ ଚୟନ ବୋର୍ଡ ଦ୍ୱାରା ପ୍ରାକ୍ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ମାଧ୍ୟମରେ ୨୦୦ଜଣଙ୍କୁ ଏହି କୋଚିଂ ପାଇଁ ଚୟନ କରାଯାଉଛି । ମାଗଣା ଆବାସିକ କୋଚିଂ ଦିଆଯାଉଛି । ଏଥିରେ ପିଲାଙ୍କୁ ପାଠପଢ଼ା ସହ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ୨୦୨୩-୨୪ ଶିକ୍ଷାବର୍ଷରୁ ୨୦୨୪-୨୫ ଶିକ୍ଷାବର୍ଷ ମଧ୍ୟରେ ୪୦୦ ଜଣଙ୍କୁ ଏହି ଯୋଜନାରେ ମାଗଣା କୋଚିଂ ଦିଆଯାଇଥିଲା ।

୨୦୨୫-୨୬ ଶିକ୍ଷାବର୍ଷରେ ୨୦୦ ଜଣଙ୍କ ଚୟନ କରାଯାଇ ମାଗଣା କୋଚିଂ ଦିଆଯାଉଛି । ଏହି ୩ ବର୍ଷ ପାଇଁ ସରକାର ଦୁଇଟି ସଂସ୍ଥାକୁ ୧୬କୋଟି ୬୦ ଲକ୍ଷ ୮୬ ହଜାର ୨୮୭ ଟଙ୍କା ଖର୍ଚ୍ଚ କରିଛନ୍ତି । ଗୋଟିଏ ଘରୋଇ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ରହିବା ଓ ପଢ଼ିବାର ବ୍ୟବସ୍ଥା ପାଇଁ ୯ କୋଟି ୩୨ ଲକ୍ଷ ୧୨ ହଜାର ୭୭୮ଟଙ୍କା ଦିଆଯାଇଛି । ଆଉ ଏକ ଟେକ୍ନୋଲୋଜି ସଂସ୍ଥାକୁ ୭ କୋଟି ୨୮ ଲକ୍ଷ ୭୩ ହଜାର ୫୦୯ଟଙ୍କା ପ୍ରଦାନ କରାଯାଇଛି । ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ସେହି ବିଶ୍ୱବିଦ୍ୟାଳୟକୁ ୩ କୋଟି ୯୫ ଲକ୍ଷ ୭୦ ହଜାର ୧୨୦ ଟଙ୍କା ଦିଆଯାଇଥିଲା । ଆଇଟି କମ୍ପାନୀକୁ ୨ କୋଟି ୨୮ ଲକ୍ଷ ୬୮ ହଜାର ୧୮୭ ଟଙ୍କା ଦିଆଯାଇଥିଲା । ଏହି ଶିକ୍ଷାବର୍ଷରେ ମୋଟ ୬ କୋଟି ୨୪ ଲକ୍ଷ ୩୮ ହଜାର ୩୦୭ ଟଙ୍କା ସରକାର ମାଗଣା ୟୁପିଏସ୍‌ସି କୋଚିଂ ପାଇଁ ଖର୍ଚ୍ଚ କରିଥିଲେ । ଏହି ବର୍ଷ କୋଚିଂ ନେଇଥିବା ପିଲାଙ୍କ ମଧ୍ୟରୁ ଜଣେ ଛାତ୍ର ୟୁପିଏସ୍‌ସି (ଆଇଏଫ୍ଓଏସ୍) ପାଇଥିଲେ । ବାକି ୩୪ ଜଣ ପିଲା ଓସିଏସ୍(ଓଡ଼ିଶା ସିଭିଲ ସର୍ଭିସ୍) ପାଇଛନ୍ତି ।

ସେହିପରି ୨୦୨୪-୨୫ ଶିକ୍ଷାବର୍ଷରେ ସରକାର ମୋଟ ୫ କୋଟି ୮୫ ଲକ୍ଷ ୩୫ ହଜାର ୬୩୦ ଟଙ୍କା ଖର୍ଚ୍ଚ କରିଥିଲେ । ଏଥିରୁ ଘରୋଇ ବିଶ୍ୱବିଦ୍ୟାଳୟରୁ ୩କୋଟି ୪୪ ଲକ୍ଷ ୯୬ ହଜାର ୨ ଟଙ୍କା ଓ ଆଇଟି କଂପାନୀକୁ ୨ କୋଟି ୪୦ ଲକ୍ଷ ୩୯ ହଜାର ୬୨୮ ଟଙ୍କା ଦିଆଯାଇଥିଲା । ଏହି ବର୍ଷ ଜଣେ ହେଲେ କେହି ୟୁପିଏସ୍‌ସି ପାଇଲେନି । ମାତ୍ର ୫ ଜଣ ପିଲା ଓସିଏସ୍ ପାଇଛନ୍ତି । ସେହିପରି ୨୦୨୫-୨୬ ଶିକ୍ଷାବର୍ଷରେ ସରକାର ୪ କୋଟି ୫୧ ଲକ୍ଷ ୧୨ ହଜାର ୩୫୦ ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି । ଏଥିରୁ ଘରୋଇ ବିଶ୍ୱବିଦ୍ୟାଳୟକୁ ୧ କୋଟି ୯୧ ଲକ୍ଷ ୪୬ ହଜାର ୬୫୬ ଟଙ୍କା ଓ ଆଇଟି କମ୍ପାନୀକୁ ୨ କୋଟି ୫୯ ଲକ୍ଷ ୬୫ହଜାର ୬୯୪ ଟଙ୍କା ପ୍ରଦାନ କରିଛନ୍ତି ।

ଅଧିକ ପଢ଼ନ୍ତୁ :- କୁଶଳୀ ଓ ଦକ୍ଷତାର ଉଦାହରଣ ଜୟନ୍ତୀ ଦିଦି: ସିଲେଇ ଧନ୍ଦା ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ

ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୧୯ରେ ମାଗଣା ସିଭିଲ୍ ସର୍ଭିସ କୋଚିଂ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟସ୍ତରରେ ଆରମ୍ଭ କରିଥିଲେ । ଘରୋଇ ସଂସ୍ଥାକୁ କୋଚିଂ ଦାୟିତ୍ୱ ପ୍ରଦାନ କରିଥିଲେ । ମାତ୍ର ଏହି ଯୋଜନା ସଫଳ ହୋଇନଥିଲା । ଏପରି ସ୍ଥିତି ହୋଇଥିଲା ଗୋଟିଏ ବି ପିଲା ଭାରତୀୟ ପ୍ରଶାସନିକ ସେବା ପ୍ରିଲିମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିଲେ । ଏହାକୁ ସରକାର ବନ୍ଦ କରିଦେଇଥିଲେ । ପୁଣି ଥରେ ଏହାକୁ ଆରମ୍ଭ କରିଥିଲେ । ଏହା ପରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ୟୁପିଏସ୍‌ସି କୋଚିଂ ପାଇଁ ବ୍ୟବସ୍ଥା କରିଛନ୍ତି । ସେଠାରେ ପାଠପଢ଼ିବା ସହ ଖାଇବା, ରହିବା ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି