ବୌଦ୍ଧ,୨୬।୦୨: ସିଲେଇ ଦିଦି କହିଲେ ତାଙ୍କୁ  କିଏବା ନଜାଣେ । ବୌଦ୍ଧ ଜିଲ୍ଲାରେ ସିଲେଇ ଶିକ୍ଷାକୁ ଧନ୍ଦାମୂଳକ ଶିକ୍ଷା ଭାବରେ ଗ୍ରହଣକରି ଯୁବତୀମାନଙ୍କୁ  ତାଲିମ ଦେବା ଓ ତାହାକୁ ବୃତ୍ତିର ସ୍ୱରୂପ ଦେବାରେ ବୌଦ୍ଧ ସହର ପୋଡ଼ାପୋଡ଼ା ସାହିର ଜୟନ୍ତୀ ଷଡ଼ଙ୍ଗୀଙ୍କ  ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦିନ ଥିଲା, ବୌଦ୍ଧ ଜିଲ୍ଲାରେ ସିଲେଇ ଶିକ୍ଷୟିତ୍ରୀ କହିଲେ ତାଙ୍କୁ ହିଁ ବୁଝା ପଡ଼ୁଥିଲା ।  ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯୁବତୀ ଓ ମହିଳାମାନେ ତାଲିମ  ନେବା ପାଇଁ ତାଙ୍କ ପାଖକୁ ଆସୁଥିଲେ । ସେମାନେ ସବୁ  ଆଜି ନିଜନିଜ ଅଂଚଳରେ ରୋଜଗାରକ୍ଷମ ହୋଇଛନ୍ତି । ସ୍ୱାବଲମ୍ବୀ ହୋଇଛନ୍ତି ।

ଜୟନ୍ତୀ ନିଜ କୌଶଳ ଓ ଦକ୍ଷତା ପାଇଁ ଆଜି ଉଦାହରଣ ପାଲଟିଛନ୍ତି ।  ଜୟନ୍ତୀଙ୍କ ମନରେ ପିଲାଟି ଦିନରୁ କିଛି କରିବାର  ଦୃଢ଼ ସଂକଳ୍ପ ଥିଲା । ପାରିବାରିକ ସମସ୍ୟା ଓ ଆର୍ଥିକ  ଅନଟନ ଯୋଗୁ ଉଚ୍ଚ ଶିକ୍ଷା ଗ୍ରହଣ କରିପାରିଲେନି ।  କିନ୍ତୁ ମନ ଭିତରେ ଥିବା ସଂକଳ୍ପ ପାଇଁ ସେ ଘରୁ ଗୋଡ଼  କାଢ଼ିଲେ । ୧୯୮୭ ମସିହାରେ ପରିବାର ଲୋକଙ୍କୁ ବୁଝାଇ ରାଉରକେଲା ଗଲେ । ନିଜ ବଡ଼ଭଉଣୀଙ୍କ ଘରେ ରହି  ରାଉରକେଲାରେ ଏକ ସିଲେଇ ଟ୍ରେନିଂ ଅନୁଷ୍ଠାନରୁ  ତାଲିମ ଗ୍ରହଣ କଲେ । ସେଠାରୁ ଫେରିବା ପରେ ପ୍ରଥମେ  ନିଜେ ବୌଦ୍ଧରେ ପେଶାଦାର ଭାବରେ ଆରମ୍ଭ କଲେ  ସିଲେଇ କାମ । ବୌଦ୍ଧ ଆଖପାଖ ଅଞ୍ଚଳର ଯୁବତୀ ଓ  ମହିଳାମାନଙ୍କୁ ସିଲେଇ ଶିଖାଇବା ପାଇଁ ମନସ୍ଥ କଲେ ।  ସେଇଠୁ ଆରମ୍ଭ ହେଲା ଶ୍ରୀ ଜଗନ୍ନାଥ ସିଲେଇ ପ୍ରଶିକ୍ଷଣ  ଅନୁଷ୍ଠାନ । ଉକ୍ତ ଅନୁଷ୍ଠାନ ଜରିଆରେ ସେ ଗ୍ରାମାଞ୍ଚଳର  ହଜାର ହଜାର ମହିଳାଙ୍କୁ କର୍ମସଂସ୍ଥାନ ଯୋଗାଇଦେବାରେ  ସଫଳ ହୋଇଛନ୍ତି । ଇତିମଧ୍ୟରେ ଶ୍ରୀ ଜଗନ୍ନାଥ ସିଲେଇ  ପ୍ରଶିକ୍ଷଣ ଅନୁଷ୍ଠାନକୁ ଏକ କ୍ଷୁଦ୍ରଶିଳ୍ପ ସଂସ୍ଥା ଭାବରେ  ପଂଜିକୃତ କରାଇଛନ୍ତି । ମହିଳାମାନଙ୍କୁ ଟେଲରିଂ ତାଲିମ  ଦେବା ସହିତ ବିଭିନ୍ନ ବିଦ୍ୟାଳୟର ପୋଷାକ ଓ ସ୍ୱେଟର  ଆଦିର ଅର୍ଡର ସଂଗ୍ରହ କରି ଉକ୍ତ ମହିଳାମାନଙ୍କୁ କାମ  ଯୋଗାଇଦେବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ  ରୋଜଗାର ଦେଇଆସୁଛନ୍ତି । ସେ ଯେ କେବଳ ସିଲେଇ  ଶିକ୍ଷା ତାଲିମ ଦେଇ ଜଣେ ସଫଳ ମହିଳା ଉଦ୍ୟୋଗୀ  ହୋଇପାରିଛନ୍ତି ତାହା ନୁହଁ ।

ପାରିବାରିକ ଜୀବନରେ ମଧ୍ୟ  ଶ୍ରୀମତୀ ଷଡ଼ଙ୍ଗୀ ଜଣେ ସଫଳ ଗୃହିଣୀ, ଜଣେ ସଫଳ ମାଆ । ସିଲେଇ ତାଲିମ ଅନୁଷ୍ଠାନ କରିବା ପରେ ୧୯୯୪  ମସିହାରେ ବୌଦ୍ଧର ସୌରେନ୍ଦ୍ର କିଶୋର ଷଡ଼ଙ୍ଗୀଙ୍କ  ହାତଧରି ପରିବାର ଆରମ୍ଭ କରିଥିଲେ । ସେମାନଙ୍କର  ତିନି ଝିଅ । ବଡ଼ ଝିଅ ସ୍ଥାପତ୍ୟକଳାରେ ଡିଗ୍ରୀ ହାଲକରି  ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ମଝିଆଁ ଝିଅ ଓକିଲ  ଏବଂ ସାନ ଝିଅ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ । ଏବେବି  ଜୟନ୍ତୀ ପ୍ରଶିକ୍ଷଣ କେନ୍ଦ୍ରରେ ମହିଳାମାନଙ୍କୁ ସିଲେଇ  ତାଲିମ ଦେଉଛନ୍ତି । ଶ୍ରୀମତୀ ଷଡଙ୍ଗୀ ନିଜର କଠିନ  ପରିଶ୍ରମ ଏବଂ ନିଜର ଉଦ୍ୟୋଗୀ ପାରଦର୍ଶୀତା ପାଇଁ  ବିଭିନ୍ନ ସ୍ଥାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କର ଏହି ସଫଳତାକୁ ଦେଖି ଜିଲ୍ଲାର ଅନେକ ଅଙ୍ଗନବାଡି ଓ  ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ତିଆରି କରିବାର ଦାୟିତ୍ୱ  ପ୍ରଶାସନ ମଧ୍ୟ ତାଙ୍କୁ ପ୍ରଦାନ କରିଛି । ଜଣେ ସଫଳ  ଉଦ୍ୟୋଗୀ ଭାବରେ ଶ୍ରୀମତୀ ଷଡଙ୍ଗୀ ଅନ୍ୟମାନଙ୍କ ପାଇଁ  ଉଦାହରଣ ପାଲଟିବା ସହିତ ପ୍ରେରଣା ମଧ୍ୟ ପାଲଟିଛନ୍ତି ।

ଅଧିକ ପଢ଼ନ୍ତୁ-ଭିନ୍ନ ଜଣେ ଯଶୋଦା ମା’ ଭାରତୀ, ଅସହାୟ ଓ ନିରାଶ୍ରୟଙ୍କୁ କରିଛନ୍ତି ନିଜର​​​​​​​