୧୦ ପରେ ବଢ଼ିବ ତାତି; ଜୁନ୍ ତୃତୀୟ ସପ୍ତାହ ବେଳକୁ ଆସିପାରେ ମୌସୁମୀ

ଭୁବନେଶ୍ୱର,୫ ।୬(ବ୍ୟୁରୋ): ମୌସୁମୀ ଏ ଯାଏ କେରଳ ଛୁଇଁନି । ରଜ ପୂର୍ବରୁ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ଆଶା ନାହିଁ । ଜୁନ୍ ତୃତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶା ଛୁଇଁ ପାରେ । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ୭ ଓ ୮ ତାରିଖରେ ବର୍ଷା ହୋଇପାରେ । ୧୦ ତାରିଖ ପରେ ରାଜ୍ୟରେ ତାତି ପୁଣି ବଢ଼ିବ । ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ଓ ପଶ୍ଚିମ ଓଡିଶାରେ ୪୬ ଡିଗ୍ରୀ ଛୁଇଁପାରେ । ଆଜି ଏଭଳି ପୂର୍ବାନୁମାନ କରିଛନ୍ତି ଓୟୁଏଟିର ପୂର୍ବତନ କୁଳପତି ତଥା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଶ୍ରୀ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ମୌସୁମୀ ଗୁରୁବାର କେରଳ ଛୁଇଁବାର ସମ୍ଭାବନା ଅଛି । ଆସନ୍ତା ୧୦ ତାରିଖ ସୁଦ୍ଧା ଆରବସାଗର ଶାଖାର ଦକ୍ଷିଣ-ପଶ୍ଚିମ ମୌସୁମୀ ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପକୂଳରେ ପହଞ୍ଚିବ । ସପ୍ତାହ ଯାଏ ମୌସୁମୀ ଆଉ ଆଗେଇବନିି, ସ୍ଥିର ରହିବ । ୧୦ ତାରିଖ ବେଳକୁ ମୌସୁମୀ ଏକାସାଙ୍ଗେ ମୁମ୍ବାଇ ଓ ଭୁବନେଶ୍ୱର ଛୁଇଁବା କଥା । କିନ୍ତୁ ଏଥର ଓଡ଼ିଶାରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହେବ । ଯଦିଓ ବଙ୍ଗୋପସାଗର ଶାଖାରେ ମୌସୁମୀ ସକ୍ରିୟ ଅଛି, କିନ୍ତୁ ଏହା ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ପ୍ରଭାବ ପକାଇବ । ପୂର୍ବାଞ୍ଚଳରେ ଏହାର ପ୍ରଭାବ ରହିବନି ।
ତେବେ ଆସନ୍ତା ୬ ଓ ୭ ତାରିଖରେ ରାଜ୍ୟରେ ପାଗ ବଦଳିବ । ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୭ ଓ ୮ ତାରିଖରେ ବର୍ଷା ହେବ । ଉତ୍ତର, ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତା ପରେ ରଜ ପର୍ଯ୍ୟ ପାଗ ପୁଣି ଖରାଟିଆ ରହିବ । ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ତ୍ତମାନ ଭଳି ତାତି ଅପରିବର୍ତ୍ତିତ ରହିବ । ୧୩ ତାରିଖରେ ଉତ୍ତରରୁ ଗରମ ପବନ ପ୍ରଭାବରେ ଭୁବନେଶ୍ୱରରେ ୪୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ଅନୁଭୂତ ହୋଇପାରେ । ୧୦ତାରିଖ ପରଠାରୁ ପଶ୍ଚିମ ଓଡ଼ିଶା ବି ତତାଇବ । ୧୩ ତାରିଖ ଯାଏ ଏଠାକାର କିଛି ସ୍ଥାନରେ ତାପମାତ୍ରା ୪୬ ଡିଗ୍ରୀ ଛୁଇଁପାରେ । ଚାଷୀମାନେ ମୌସୁମୀ ବର୍ଷା ପାଇବାକୁ ଜୁନ୍ ତୃତୀୟ ସପ୍ତାହ ପର ଯାଏ ଅପେକ୍ଷା କରିବାକୁ ପଡିବ ବୋଲି ଶ୍ରୀପଶୁପାଳକ କହିଛନ୍ତି ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, ଏବେ ସୁଦ୍ଧା କେରଳରେ ମୌସୁମୀ ପହଞ୍ଚିନି । ଓଡ଼ିଶା ଆସିଲା ବେଳକୁ ୧୫ ତାରିଖ ଟପି ଯାଇପାରେ । ପ୍ରାକ୍ ମୌସୁମୀ ବର୍ଷା ବି ଧିମେଇଛି । ସେପଟେ ତାତିର ଜ୍ୱାଳା କମିବା ବଦଳରେ ବଢ଼ି ଚାଲିଛି । ଆଗକୁ ତାତି ଆହୁରି ବଢ଼ିବ ବୋଲି ସେ କହିଛନ୍ତି । ଆଜି ବି ପଶ୍ଚିମ ଓଡ଼ିଶାର ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା । ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ୪୫.୨ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁରର ୪୩.୨, ସୁନ୍ଦରଗଡ଼ ୪୧ଡିଗ୍ରୀ, ହୀରାକୁଦରେ ୪୨.୯, ଟିଟିଲାଗଡ଼ରେ ୪୨.୨ ଓ ସୋନପୁରରେ ୪୧.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅନୁଗୁଳରେ ୪୨.୧ ଓ ମାଲକାନଗିରିର ତାପମାତ୍ରା ୪୦.୬ ଡିଗ୍ରୀ ରହିଥିଲା ।
ଉପକୂଳ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ କମ୍ ଥିଲା । କିନ୍ତୁ ଗୁଳୁଗୁଳି ଅସହ୍ୟ ହେଉଥିଲା । ଆଜି କଟକରେ ୩୬.୫, ଭୁବନେଶ୍ୱରରେ ୩୭.୨, ପୁରୀରେ ୩୪ ଓ ଚାନ୍ଦବାଲିରେ ୩୭.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ତେବେ କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି । ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବାଲେଶ୍ୱର, କେଉଁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।