ଭୁବନେଶ୍ୱର,୧୯/୦୩: ପଲ୍ଲୀରୁ ଦିଲ୍ଲୀ ଯାଏ ପାଳନ ହେବ ଓଡ଼ିଶା ଦିବସ । ରାଜ୍ୟ ରାଜଧାନୀ ଭୁବନେଶ୍ୱର, ସମସ୍ତ ରାଜସ୍ୱ ଆୟୁକ୍ତ, ଜିଲ୍ଲା ଓ ଉପଖଣ୍ଡ ତଥା ସାରା ଓଡ଼ିଶା ସମେତ ଦେଶର ରାଜଧାନୀ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇରେ ପାଳନ ହେବ ଓଡ଼ିଶା ଦିବସ । ଆନନ୍ଦ, ଉଲ୍ଲାସ ଓ ଆକର୍ଷଣୀୟ ଭାବରେ ମହା ସମାରୋହରେ ପାଳନ ଲାଗି ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଓଡ଼ିଶା ଦିବସ-୨୦୨୬ ପାଳନ ଉପଲକ୍ଷେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ମଙ୍ଗଳବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବସିଥିଲା । ଏଥିରେ ଗୃହ, ଶିଳ୍ପ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଯୋଗଦେଇ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ଦିବସ ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ରାଜ୍ୟସ୍ତରୀୟ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ହେବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଦିବ୍ୟାଙ୍ଗମାନଙ୍କୁ ସମ୍ବର୍ଦ୍ଧନା କରାଯିବ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ବିଭାଗ ପକ୍ଷରୁ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ସହ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ ପତ୍ରିକା "ପ୍ରଗତି ପ୍ରବାହ'ର ୩ୟ ସଂସ୍କରଣ ଉନ୍ମୋଚନ ହେବ । ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦେଶାତ୍ମବୋଧକ ସଙ୍ଗୀତ ବାଦନ, ବିଭିନ୍ନ ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଠାଗୁଡ଼ିକର ଆଲୋକୀକରଣ ନେଇ ଆଲୋଚନା ହୋଇଥିଲା । ନୂଆଦିଲ୍ଲୀଠାରେ ପ୍ରମୁଖ ଆବାସିକ ଆୟୁକ୍ତ ଏବଂ କାଲକାତା, ମୁମ୍ବାଇ, ଚେନ୍ନାଇଠାରେ ସ୍ଥାନୀୟ ଓଡ଼ିଆ ସମାଜ ସହଯୋଗରେ ଓଡ଼ିଶା ଦିବସ ପାଳନ ହେବ ।
ଏପ୍ରିଲ ୧ ଓଡ଼ିଶା ଦିବସରୁ ଆରମ୍ଭ କରି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଅସ୍ମିତାକୁ ଆଧାର କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ପୃକ୍ତ ବିଭାଗମାନଙ୍କ ସହଯୋଗରେ ‘ଓଡ଼ିଆ ପକ୍ଷ’ ପାଳନ ପୂର୍ବକ ବିଭିନ୍ନ ଦିବସରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ସଚିବ ସଞ୍ଜୟ କୁମାର ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଡ. ଏନ୍. ତିରୁମାଳା ନାଏକ, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୂଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ, ବୈଷୟିକ ଗୁରବୀର ସିଂଙ୍କ ସମେତ ସମ୍ପୃକ୍ତ ଅନ୍ୟ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।