ଭୁବନେଶ୍ୱର, ୧୦/୦୭ : ଭାରତର ଏଆଇ-ପରିଚାଳିତ ଶିଳ୍ପ ଭବିଷ୍ୟତର ଅଗ୍ରଦୂତ ହେବ ଓଡ଼ିଶା। ପ୍ରାଇମସ୍‌ ପାର୍ଟନର୍ସ ସହଭାଗିତାରେ ଆସୋଚାମ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ‘ଏଆଇ-ଡ୍ରାଇଭେନ ମାନୁଫ୍ୟାକ୍‌ଚରିଂ: ଇନୋଭେଶନ, ଏଫିସିଏନ୍ସି ଆଣ୍ଡ୍‌ ସଷ୍ଟେନେବୁଲ ଗ୍ରୋଥ୍‌' ଶୀର୍ଷକ ଆସୋଚାମ-ପ୍ରାଇମସ୍‌ ପାର୍ଟନର୍ସ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବେ ଭବିଷ୍ୟତର ବିଷୟବସ୍ତୁ ହୋଇ ରହିନାହିଁ ବରଂ ବର୍ତ୍ତମାନ ସମୟର ଉତ୍‌ପ୍ରେରକ ପାଲଟିଛି। ଯାହା ନିର୍ମାଣ କ୍ଷେତ୍ରକୁ ନୂଆ ରୂପ ଦେଉଛି । ରିପୋର୍ଟରେ ଓଡ଼ିଶାର ସକ୍ରିୟ ପରିଚାଳନା, ମଜଭୂତ ଶିଳ୍ପ ଆଧାର ଓ ଉଦୀୟମାନ ଡିଜିଟାଲ ଭିତ୍ତିଭୂମି କିଭଳି ରାଜ୍ୟକୁ ଏଆଇ-ସମନ୍ୱିତ ଅଭିବୃଦ୍ଧି ପାଇଁ ଏକ ମଡେଲ ଭାବେ ଅବସ୍ଥାପିତ କରିଛି, ତାହା ପ୍ରକାଶ କରିଛି । 

ରିପୋର୍ଟକୁ ଆସୋଚାମ ଓଡ଼ିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୫ରେ ଉନ୍ମୋଚନ କରାଯାଇଛି । ଏଥିରେ ପ୍ରକାଶ କରାଯାଇଛି ଯେ, ୩୦%ରୁ ଅଧିକ ଭାରତୀୟ ନିର୍ମାତା ଏଆଇକୁ ଗ୍ରହଣ କରିଛନ୍ତି । ଆନ୍ତର୍ଜାତୀୟ ଆକଳନ ଅନୁଯାୟୀ ୨୦୩୪ ସୁଦ୍ଧା ଏଆଇ-ଚାଳିତ ନିର୍ମାଣ କ୍ଷେତ୍ରର ମୂଲ୍ୟ ୨୩୦ ବିଲିୟନ ଡଲାର ହେବ । ଏ କ୍ଷେତ୍ରରେ ଓଡ଼ିଶା ଏହାର ଓଡ଼ିଶା ଏଆଇ ପଲିସି ୨୦୨୫ ଓ ଓଡ଼ିଶା ଏଆଇ ମିଶନ ଭଳି ପଦକ୍ଷେପ ସହିତ ବେଞ୍ଚ୍‌ମାର୍କ ସ୍ଥାପନ କରୁଛି। ଯାହା ଷ୍ଟିଲ, ଖଣି, ସ୍ମାର୍ଟ ବନ୍ଦର ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଏଆଇକୁ ଧାରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ଏଆଇ ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ରିପୋର୍ଟ ଆଇଆଇଟି ଭୁବନେଶ୍ଵର ଓ ଏନ୍‌ଆଇଟି ରାଉରକେଲା ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ସହ ଏଆଇ ମାନୁଫ୍ୟାକ୍‌ଚରିଂ ମିଶନ ଲଞ୍ଚ୍‌ କରିବା, ଏଆଇ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ କରିବା ଏବଂ କଳିଙ୍ଗନଗର ଓ ଝାରସୁଗୁଡା ଭଳି ଅଞ୍ଚଳରେ ଡିଜିଟାଲ ମାନୁଫ୍ୟାକ୍‌ଚରିଂ ପାର୍କ ସ୍ଥାପନ କରିବା ପାଇଁ ସୁପାରିସ କରିଛି । ଏହା ସବ୍‌ସିଡାଇଜ୍‌ଡ ଏଆଇ ଟ୍ରାଏଲ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହଯୋଗ କରିବା, ଜିଲ୍ଲା ଶିଳ୍ପ କେନ୍ଦ୍ରଗୁଡିକରେ ଏଆଇ ଫ୍ୟାସିଲେଶନ ସେଲ୍‌ ଏବଂ ଆଇଟିଆଇ ଓ ପଲିଟେକ୍‌ନିକଗୁଡିକରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମନ୍ୱିତ କରିବା ପାଇଁ ଆହ୍ୱାନ ଦେଇଛି । 

ଏହି ରିପୋର୍ଟ କେବଳ ଏକ ପଲିସି ଡକ୍ୟୁମେଣ୍ଟ ନୁହେଁ ବରଂ କାର୍ଯ୍ୟ ପାଇଁ ଏକ ଆହ୍ୱାନ । ଏହା ନୀତି ନିର୍ମାତା, ଶିଳ୍ପ ଲିଡର ଓ ଶିକ୍ଷାନୁଷ୍ଠାନଗୁଡିକୁ ଏଆଇ-ଭିତ୍ତିକ ରଣନୀତି କାର୍ଯ୍ୟକାରୀ କରିବା ପାଇଁ ଆବେଦନ କରିଛି । ରିପୋର୍ଟ ସମ୍ପର୍କରେ ଆସୋଚାମ ଓଡ଼ିଶା କାଉନ୍‌ସିଲ୍‌ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି କହିଛନ୍ତି, "ଓଡ଼ିଶାରେ ଭାରତର ପରବର୍ତ୍ତୀ ଶିଳ୍ପ ବିପ୍ଳବର ନେତୃତ୍ୱ ନେବା ପାଇଁ ରଣନୈତିକ ସୁଯୋଗ ରହିଛି । ଏଆଇକୁ ଦାୟିତ୍ୱପୂର୍ଣ୍ଣ ଭାବେ ଉପଯୋଗ କରି ଓ ଅନ୍ତର୍ଭୁକ୍ତ କରି ଆମେ ଏଭଳି ଏକ ମାନୁଫ୍ୟାକ୍‌ଚରିଂ ଇକୋସିଷ୍ଟମ ନିର୍ମାଣ କରିପାରିବା ଯାହା ବୁଦ୍ଧିମାନ, ସ୍ଥାୟୀ ଓ ଗର୍ବର ସହ ଭାରତ ନିର୍ମିତ ହୋଇଥିବ ।