ସୟଦ ମୁସ୍ତାକ ଅଲ୍ଲୀ ଟି-୨୦: ମିଜୋରାମକୁ ହରାଇଲା ଓଡ଼ିଶା

କଟକ,୨୪ା୨(ବ୍ୟୁରୋ): ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ୨ଟି ପରାଜୟ ପରେ ଘରୋଇ ଓଡ଼ିଶା ଶେଷରେ ବିଜୟ ଖାତା ଖୋଲିଛି । ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଗ୍ରୁପ୍-ଡି’ର ଏକ ଲିଗ୍ ମ୍ୟାଚ୍ରେ ଓଡ଼ିଶା ୯ ୱିକେଟ୍ରେ ମିଜୋରାମକୁ ପରାସ୍ତ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମିଜୋରାମ ପପୁ ରୟଙ୍କ ଯାଦୁକରୀ ସ୍ପିନ୍ର ମୁକାବିଲା କରିନପାରି ମାତ୍ର ୯୧ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଜବାବରେ ଓଡ଼ିଶା ୧୨.୫ ଓଭରରେ ୧ୱିକେଟ ହରାଇ ବିଜୟ ହାସଲ କରିଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମିଜୋରାମ ଓପନର୍ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ତରୁୱର କୋହଲିଙ୍କ ବ୍ୟତୀତ ଅନ୍ୟ କେହି କ୍ରିଜ୍ରେ ତିଷ୍ଠି ପାରି ନଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଶେଷରେ ୯୧ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ ଛାଡିଲେ ଅନ୍ୟ କେହି ଦୁଇ ଅଙ୍କ ସ୍ପର୍ଶ କରିପାରିନଥିଲେ । କୋହଲି ୩୮ବଲ୍ରୁ ୬ଟି ଚୌକା ସହାୟତାରେ ୩୭ରନ୍ କରିଥିବା ବେଳେ ମଧ୍ୟଭାଗରେ ସିନାନ୍ ୨୦ବଲ୍ରୁ ୧୭ରନ୍ କରିଥିଲେ । ସେହିପରି ଅଖିଳ ରାଜପୁତ ୧, ରୁଜିଲା ୪, ରୁଆତା ୧, ରଲ୍ଟେ ୪ରନ୍, ପର୍ଭେଜ୍ ୩, ସାଇଲୋ ୫, ଲାଲ୍ବିକଭେଲା ୬ରନ୍ କରି ଆଉଟ୍ ହୋଇଥିଲେ । ଓଡ଼ିଶା ତରଫରୁ ପପୁ ରାୟ ୪ଓଭର ବୋଲିଂ କରି ମାତ୍ର ୮ରନ୍ ବ୍ୟୟରେ ୩ୱିକେଟ ଅକ୍ତିଆର କରିଥିବା ବେଳେ ରାଜେଶ ମହାନ୍ତି ୨ଟି, ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ବିପ୍ଲବ ସାମନ୍ତରାୟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
୯୨ ରନ୍ର ସହଜ ବିଜୟଲକ୍ଷ୍ୟକୁ ପିଛା କରି ନବାଗତ ସ୍ୱସ୍ତିକ ସାମଲଙ୍କ ସହ ରାଜେଶ ଧୂପର ଓପନ୍ କରିଥିଲେ । ସ୍ୱସ୍ତିକ ଖାତା ଖୋଲି ପାରି ନଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସନ୍ଦିପ ପଟ୍ଟନାୟକ ଅପରାଜିତ ଧୂପର ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । କ୍ରିଜ୍ରେ ଜମିବା ପରେ ଏହି ଯୋଡି ଭାଙ୍ଗିବା ମିଜୋରାମ ବୋଲରଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା । ଉଭୟ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଧୂପର ୩୬ବଲ୍ରୁ ୫ଟି ଚୌକା ସହାୟତାରେ ୩୮ରନ୍ କରିଥିଲେ । ସେହିପରି ସନ୍ଦୀପ ୩୯ବଲ୍ ସାମ୍ନା କରି ୮ଟି ଚୌକା ଓ ଗୋଟିଏ ଛକା ବଳରେ ୫୪ରନ୍ କରିଥିଲେ ।