ଭୁବନେଶ୍ୱର,୨୭୧୧: ଆଜିଠୁ ଓଡ଼ିଶା ମହିଳା ଲିଗ୍ର ୨୦୨୨-୨୩ ସଂସ୍କରଣ ଆରମ୍ଭ ହେଉଛି । ଲିଗରେ ୬ଟି ଦଳ ଭାଗ ନେଇଛନ୍ତି । ଦଳ ଗୁଡ଼ିକ ହେଲେ ସ୍ପୋର୍ଟ୍ସ ଓଡ଼ିଶା (ଅଧିନାୟିକା ସ୍ପନ୍ଦିତା ଦାସ), ଓଡ଼ିଶା ପୁଲିସ୍ (ଅଧିନାୟିକା ଜବାମଣି), ପୂର୍ବତଟ ରେଳବାଇ (ଅଧିନାୟିକା ସୁପ୍ରିୟା ରାଉତରାୟ), ରାଇଜିଂ ଷ୍ଟୁଡେଣ୍ଟ ଦଳ (ଅଧିନାୟିକା ସୁଭଦ୍ରା ଦାସ), ଓଡ଼ିଶା ସରକାରୀ ପ୍ରେସ (ଅଧିନାୟିକା ସୁନୀତା ସ୍ୱାଇଁ) ଏବଂ ଓଡ଼ିଶା ଏଫ୍ସି (ଅଧିନାୟିକା କରିସ୍ମା ଓରାମ) । ଉଦ୍ଘାଟନୀ ଦିବସରେ ଗୋଟିଏ ମ୍ୟାଚ୍ ରହିଛି । ଏହି ମ୍ୟାଚ୍ ଓଡ଼ିଶା ଏଫ୍ସି ଓ ପୂର୍ବତଟ ରେଳବାଇ ମଧ୍ୟରେ କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳାଯିବ ।
ଶନିବାର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳ ଗୁଡ଼ିକର ଜର୍ସି ଉନ୍ମୋଚନ କରିଥିଲେ।ପ୍ରତିଯୋଗିତାରେ ଭାଗ ନେଉଥିବା ୬ଟି ଯାକ ଦଳକୁ ମନ୍ତ୍ରୀ ଶ୍ରୀ ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ବର୍ତ୍ତମାନ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସାରା ଦେଶରେ ଉଭା ହୋଇଛି । ଆମର ଉନ୍ନତ ଭିତ୍ତିଭୂମି ଏବଂ ତାଲିମର ଲାଭ ଉଠାଇ ଆମ ଖେଳାଳିମାନେ ଆଗାମୀ ଦିନରେ ନିଶ୍ଚୟ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବେ ।’
ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ର ମିଳିତ ଆନୁକୂଲ୍ୟରେ ମହିଳା ଲିଗ୍ କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ଗ୍ରାଉଣ୍ଡ ଏବଂ ୭ମ ବାଟାଲିୟନ ଗ୍ରାଉଣ୍ଡରେ ଖେଳାଯିବ । ଏହି କାର୍ଯ୍ୟକ୍ରମରେ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଉପ ସଭାପତି ଦିଲ୍ଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ, ସଙ୍ଗୀତା ଶର୍ମା, କ୍ରୀଡ଼ା ବିଭାଗର ଓଏସ୍ଡି ଶୁଭେନ୍ଦୁ ପଣ୍ଡା ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।