ଭୁବନେଶ୍ୱର, ୨୮/୦୨ (ପ୍ରଜ୍ଞା ଚୌଧୁରୀ): ପ୍ରକୃତ ସମୟରେ ଯତ୍ନ, ସହଯୋଗ ଏବଂ ସୁଯୋଗ ମିଳିଲେ ପ୍ରତ୍ୟେକ ଶିଶୁ ତାରା ଭଳି ଚମକି ପାରିବେ । ଯେପରି ବଲାଙ୍ଗିର ଜିଲ୍ଲାର ସୁନା ଝିଅ ପାୟଲ ନାଗ ଚମକିଛନ୍ତି । ଗରିବୀ, ଅସହାୟତା ଓ ଦିବ୍ୟାଙ୍ଗ ଜୀବନକୁ ହରାଇ ବିଜୟିନୀ ହେବା ପର୍ଯ୍ୟନ୍ତ ସଂଘର୍ଷ କରିଛନ୍ତି । ମହିଳା ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସୋସାଇଟି (ଓଏସସିପିଏସ) ସହଯୋଗରେ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଧ୍ରୁବତାରା ଭଳି ଚମକି ଉଠଛନ୍ତି ପାୟଲ । ତାଙ୍କର ପ୍ରେରଣାଦାୟୀ କାହାଣୀ ଜାଣିଲେ ଲୋମ ଟାଙ୍କୁରି ଉଠିବ ।

ବଲାଙ୍ଗିର ଜିଲ୍ଲାର ଅତ୍ୟନ୍ତ ଗରିବ ପରିବାରର ଝିଅ ପାୟଲ ନାଗ ଆଜି ଜାତୀୟ ସ୍ତରର ପାରାତୀରନ୍ଦାଜୀ (ଆର୍ଚେରୀ) ଚାମ୍ପିୟନ । ଆଜି ଏହା ହିଁ ତାଙ୍କ ପରିଚୟ । କିନ୍ତୁ ଅତୀତ ଥିଲା ଯନ୍ତ୍ରଣାରେ ଜର୍ଜରିତ । ଦାରିଦ୍ର‌୍ୟ ପରିସ୍ଥିତିରେ ଜୀବିକା ଖୋଜିବାକୁ ପାୟଲଙ୍କ ବାପା ମା’କୁ ରାୟପୁର ସ୍ଥାନାନ୍ତର ହେବାକୁ ପଡ଼ିଥିଲା । ଫଳରେ ତାଙ୍କ ପାଠପଢା ବନ୍ଦ ହୋଇଗଲା । ବାପା ମା’ ଏକ ନିର୍ମାଣ ସ୍ଥଳରେ କାମ କରୁଥିଲେ । ସେଠାରେ ଏକ ଉଚ୍ଚଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପାୟଲ ଏକ ସାଂଘାତିକ ଦୁର୍ଘଟଣାର ଶିକାର ହେଲେ । ଅଳ୍ପକେ ଜୀବନ ବଞ୍ଚିଗଲା ସତ, କିନ୍ତୁ ସବୁଦିନ ପାଇଁ ସେ ହାତ ଗୋଡ଼ ହରାଇ ଦିବ୍ୟାଙ୍ଗ ପାଲଟିଗଲେ । ଏହାପରେ ପାୟଲଙ୍କୁ ନେଇ ତାଙ୍କ ବାପା ମା’ ନିଜ ଗାଁକୁ ଫେରି ଆସିଲେ । କିନ୍ତୁ ଉତ୍କଟ ଦାରିଦ୍ର‌୍ୟ ଏବଂ ଅସହାୟତା କାରଣରୁ ସେମାନେ ପାୟଲର ଯତ୍ନ ନେଇପାରିଲେ ନାହିଁ ।

ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ)ର ଜଣେ ସାମାଜିକ କର୍ମୀ ପାୟଲଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ କମିଟି ନିକଟକୁ ନେଇଥିଲେ । ପରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ମିଶନ ବତ୍ସଲ୍ୟ ଯୋଜନା ଅନ୍ତର୍ଗତ ପଥରଚେପା ସ୍ଥିତ ଶିଶୁ ଗୃହ ପାର୍ବତୀ ଗିରି ବାଲ୍‌ନିକେତନରେ ଭର୍ତ୍ତି କରାଗଲା । ପ୍ରଥମେ ପ୍ରଥମେ ପାୟଲ ସେଠାରେ ଖୁବ୍‌ ଅସହଜ ଅନୁଭବ କଲେ । ତେଣୁ ତାଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ନିୟମିତ କାଉନସେଲିଂ, ଯତ୍ନ ଏବଂ ଭାବନାତ୍ମକ ସହଯୋଗ ପ୍ରଦାନ କରାଗଲା । ସମୟକ୍ରମେ ସେ ନିଜର ଆତ୍ମବିଶ୍ୱାସ ଫେରି ପାଇଲେ । ସେ ପୁଣି ସ୍କୁଲରେ ନାମ ଲେଖାଇ ପାଠପଢା ଆରମ୍ଭ କଲେ । ପାୟଲଙ୍କୁ ଆତ୍ମନିର୍ଭର ହୋଇ ଚଲାବୁଲା କରିବା ଲାଗି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ହ୍ୱିଲ୍‌ ଚେୟାର ଯୋଗାଇ ଦିଆଗଲା । ଧୀରେ ଧୀରେ ସେ ଦୃଢ଼ମନା ହେଲେ । ଶିଶୁ ଗୃହରେ ରହିବା ସମୟରେ ପାୟଲଙ୍କ ଚିତ୍ରାଙ୍କନ ପ୍ରତିଭା କଥା ଜଣାପଡ଼ିଥିଲା । ସେ ସୁନ୍ଦର ଚିତ୍ର ଆଙ୍କୁଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗାଇ ଦିଆଗଲା । ପରେ ସେ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପୁରସ୍କାର ପାଇଥିଲେ । ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ମଧ୍ୟ ସେ ଚର୍ଚ୍ଚାକୁ ଆସିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ଏବଂ ଓଏସସିପିଏସ ମିଳିତ ଉଦ୍ୟମରେ କ୍ୟାପିଟାଲ ହସ୍ପିଟାଲର ଏଆର୍‌ସି ଠାରେ ତାଙ୍କ ଶରୀରରେ କୃତ୍ରିମ ଅଙ୍ଗ ଯୋଡ଼ାଗଲା । ଏହା ତାଙ୍କ ସ୍ୱପ୍ନରେ ଡେଣା ସଦୃଶ ଥିଲା ।

ଆହୁରି ପଢନ୍ତୁ- ହାତ ନାହିଁ ପାଦ ବି ନାହିଁ ହେଲେ ଧନୁ ଚାଳନାରେ ଧୁରନ୍ଧର ପାୟଲ, ଜିତିଲେ ଡବଲ ମେଡ଼ାଲ୍‌

ସମୟ କ୍ରମେ ପାୟଲଙ୍କୁ ପାରା-ଆର୍ଚେରୀ ପ୍ରଶିକ୍ଷଣ ଲାଗି ସୁଯୋଗ ମିଳିଲା । ଲୋକପ୍ରିୟ କୋଚ୍‌ କୁଳଦୀପ ବେଦୱାନ ତାଙ୍କୁ ମାର୍ଗଦର୍ଶନ ଦେଲେ । ବିଧିବଦ୍ଧ ପ୍ରଶିକ୍ଷଣ ନେବା ପରେ ପ୍ରାରମ୍ଭରେ ସେ ୧୫-୨୦ ମିଟର ଦୂରତାରୁ ଟାର୍ଗେଟ୍‌ ଶୁଟିଂ କରୁଥିଲେ । ସେ ଜଣେ କ୍ୱିକ୍‌-ଲର୍ନର୍‌ ହୋଇଥିବାରୁ ଖୁବଶୀଘ୍ର ସେ ୫୦ ମିଟର ଦୂରତାରୁ ନିର୍ଭୁଲ ଶୁଟ୍‌ କରିବାରେ ଅଭ୍ୟସ୍ତ ହୋଇଗଲେ । ଭାଗ୍ୟ ତାଙ୍କୁ କଠିନ ପରିଶ୍ରମର ଫଳ ଦେଲା । ଜୟପୁରରେ ଅନୁଷ୍ଠିତ ୬ଷ୍ଠ ଜାତୀୟ ପାରା ଆର୍ଚେରୀ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଲେ । ପରେ ଦିଲ୍ଲୀରେ ଆୟୋଜିତ ଖେଲୋ ଇଣ୍ଡିଆ ପାରା ଆର୍ଚେରୀ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କଲେ । ଏହାପରେ ପଞ୍ଜାବର ପଟିଆଲାରେ ଅନୁଷ୍ଠିତ ୭ମ ଏନ୍‌ଟିପିସି ପାରା ଆର୍ଚେରୀ ପ୍ରତିଯୋଗିତାରେ ରୌପ୍ୟ ଏବଂ କାଂସ୍ୟ ଦୁଇଟି ପଦକ ଜିତି ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିଲେ । ପାୟଲଙ୍କ ଭଳି ରାଜ୍ୟର ଅନ୍ୟ ଅସହାୟ ଶିଶୁମାନେ ଏକ ପ୍ରତିଶ୍ରୁତିବଦ୍ଧ ସରକାରୀ ବ୍ୟବସ୍ଥା ଜରିଆରେ ବିପଦକୁ ଜୟ କରି ଶ୍ରେଷ୍ଠତ୍ୱ ହାସଲ କରିପାରିବେ ।

ଏହି ଖବରଟିକୁ ପଢନ୍ତୁ- ସ୍ବାମୀ ଶଯ୍ୟାଶାୟୀ ପରେ ଡରିଲେ ନାହିଁ କି ହାରିଲେ ନାହିଁ: କରଣୀ ଧରି ପୋଷିଲେ ପରିବାର, ବାହାଙ୍କ ନିଆରା ସଂଘର୍ଷ କାହାଣୀ