ରାଇରଙ୍ଗପୁର ବ୍ଲକ ୨୭/୦୨(ସୁବ୍ରତ ମହାନ୍ତି): ପୁରୁଷ ପ୍ରଧାନ ସମାଜରେ ନାରୀର ଭୂମିକା ଅନେକ କ୍ଷେତ୍ରରେ ଗୁରୁତ୍ୱ ବହନ କରିଥାଏ । ସେ ଏକାଧାରରେ ଜାୟା, ଜନନୀ, ଭଗିନୀ ରୂପରେ ପୁରୁଷକୁ ସାହାଯ୍ୟର ହାତ  ବଢ଼ାଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ସୁଦର୍ଶନପୁର ପଂଚାୟତ ଅଧୀନ କୁଲଡିହା ଗ୍ରାମରେ । ସ୍ୱାମୀ ନୁନାରାମ ହେମ୍ବ୍ରମ୍ ଗୋରୁମହିଷାଣୀ ଓ ଏହାର ଆଖପାଖ  ଅଂଚଳରେ ରାଜମିସ୍ତ୍ରୀ ଭାବେ ବେଶ ପରିଚିତ ।

୧୯୯୬ ମସିହାରେ ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟର ଯାଦୁଗୋଡା ଅଂଚଳର କୁମ୍ଭୀରମୁଣ୍ଡି ଗ୍ରାମରୁ ବାହା ହେମ୍ବ୍ରମଙ୍କୁ ଆଦିବାସୀ ରୀତିନୀତି ହିସାବରେ ବିବାହ କରିଥିଲେ । ୨ଟି ପୁଅ ଓ ଗୋଟିଏ ଝିଅର ସଂସାର । ପିଲାମାନଙ୍କର ପାଠପଢ଼ା ଓ ଭରଣପୋଷଣରେ ନୁନାରାମଙ୍କ ରୋଜଗାର ନିଅଣ୍ଟ ପଡିବାରୁ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ବାହା ମହିଳା ଶ୍ରମିକ ଭାବେ ସାହାଯ୍ୟର ହାତ ବଢ଼ାଇଲେ । ବିଧିର ବିଡ଼ମ୍ବନା ସ୍ୱାମୀ ଅସାଧ୍ୟ ରୋଗରେ ପୀଡ଼ିତ ହେବା ପରେ ଘର ଚଳାଇବା ପାଇଁ ହାତରେ କରଣୀ ଧରିଲେ ବାହା । ଅସୁସ୍ଥ ସ୍ୱାମୀଙ୍କୁ ସାଙ୍ଗରେ ନେଇ ସମସ୍ତ ଅସମ୍ପୂର୍ଣ୍ଣ କାମ ସାରିବାକୁ ଚେଷ୍ଟା କଲେ । ଦୀର୍ଘ ୧୦ ବର୍ଷ ହେଲା ଏହି  କାମ ଜାରି ରଖିଥିବା ବେଳେ ମାସକୁ ୧୫ରୁ ୨୦ ହଜାର ରୋଜଗାର କରୁଛନ୍ତି ।  ଘର ଫାଉଣ୍ଡେସନ ଠାରୁ ଆରମ୍ଭ କରି ଇଟା ଗୁନ୍ଥିବା, ଲୁହାଛାଡ ବାନ୍ଧିବା, ଛାତ ଢ଼ଳେଇ କରିବା ତଥା ପ୍ଲାଷ୍ଟରିଙ୍ଗ କରିବା ଇତ୍ୟାଦି ସମସ୍ତ କାର୍ଯ୍ୟରେ ଶ୍ରୀମତୀ ବାହା ପାରଙ୍ଗମ । କୌଣସି ନିନ୍ଦା ଅପବାଦକୁ  ଭୃକ୍ଷେପ ନକରି ସେ ତାଙ୍କ ଦୈନନ୍ଦିନ  କାର୍ଯ୍ୟରେ ସବୁଦିନ ବାହାରି ପଡ଼ନ୍ତି । ଦୀର୍ଘ ବର୍ଷ ପରେ ନୁନାରାମଙ୍କ ସେବାଶୁଶ୍ରୂଷା କରିବା ପରେ ସେ ଭଲ ହେଲେ । ମାତ୍ର ଡାକ୍ତର ତାଙ୍କୁ ବେଡ଼ରେଷ୍ଟରେ ରହିବା ପାଇଁ କହିଲେ ।

ଏପଟେ ପିଲା ମାନଙ୍କର ପଢ଼ା ଖର୍ଚ୍ଚ ଏବଂ ସ୍ୱାମୀଙ୍କ ଔଷଧ ତୁଲେଇବା ପାଇଁ ତାଙ୍କ ପାଇଁ ଅସହ୍ୟ  ହୋଇପଡିଲା । ମାତ୍ର ଶ୍ରୀମତୀ ବାହା ଏଥିରେ ଭାଙ୍ଗି ନପଡ଼ି ସକାଳୁ ଘରର ସମସ୍ତ କାର୍ଯ୍ୟ ସାରି ରୋଷେଇ କରି ଅସୁସ୍ଥ ସ୍ୱାମୀଙ୍କୁ  ସାଙ୍ଗରେ ନେଇ ସ୍ୱାମୀ ଠିକାରେ ନେଇଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣ କରିବାରେ  ପ୍ରୟାସ ଆରମ୍ଭ କରିଥିଲେ ।ଅସୁସ୍ଥ  ସ୍ୱାମୀଙ୍କ ତତ୍ୱାବଧାନରେ ମହିଳା ଶ୍ରମିକରୁ  ଧୀରେ ଧୀରେ କରନି, ରୁଷାପଟା, ଲେବୁଲ  ପାଇପ ଇତ୍ୟାଦିର ବ୍ୟବହାର ଶିଖିବାକୁ  ଲାଗିଲେ ।ଯଦିଓ ଏବେ ତାଙ୍କର ସ୍ୱାମୀ ସମ୍ପୂର୍ଣ୍ଣ  ସୁସ୍ଥ ହୋଇଗଲେଣି ।ପୁନରାୟ ଉକ୍ତ ଦୁଃଖଦ  ପରିସ୍ଥିତିର ପୁନରାବୃତ୍ତିକୁ ମନ ଭିତରେ ରଖି  ସେ ତାଙ୍କର ରାଜମିସ୍ତ୍ରୀ କାମ ଜାରି ରଖିଛନ୍ତି ।

ଅଧିକ ପଢ଼ନ୍ତୁ-ଜୟନ୍ତୀଙ୍କ ‘ମାଣିକସ୍ତୁ ଗୋଟ୍‌ ବ୍ୟାଙ୍କ’ : ‘ମନ କି ବାତ୍‌’ ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ବଦଳୁଛି ୫୦ ଗାଁର ଚିତ୍ର​​​​​​​