ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଫେରାଇ ଆଣିବାକୁ ପରିବାର ପକ୍ଷରୁ ପ୍ରଶାସନକୁ ନିବେଦନ

ଖଲ୍ଲିକୋଟ,୨୫।୫ -ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଂଚାୟତ ର ପିଟଣାପଲ୍ଲୀ ଗ୍ରାମର ଶିଵ ପ୍ରଧାନ ଙ୍କ ଦୁବାଇ ରେ ମୃତ୍ୟୁ ଘଟିଛି ।ପିଟଣାପଲ୍ଲୀ ଗ୍ରାମର ଶିଵ ପ୍ରଧାନ କାମଧନ୍ଦା ଅନ୍ୱେଷଣ ରେ ଗତ ଚାରି ମାସ ତଳେ ଦୁବାଇ ଯାଇଥିଲେ ।ସେଠାରେ ଏକ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ ।ବୁଧବାର ରାତିରେ ଶୋଇଥିବା ବେଳେ ତାଙ୍କର ହୃଦଘାତ ରେ ମୃତ୍ୟୁ ଘଟିଥିବା ସାଥିରେ ରହୁଥିବା ଅନ୍ୟ ଓଡ଼ିଆ ଶ୍ରମିକ ମାନେ ଶିବ ଙ୍କ ଘରକୁ ଜଣାଇଥିଲେ ।ଶିଵ ଙ୍କ ମୃତ୍ୟୁ ଖବର ପାଇ ପରିବାର ବର୍ଗ ଦୁଃଖ ରେ ଭାଙ୍ଗି ପଡିଛନ୍ତି ।
ବାପା ଙ୍କ ଦୁଇ ବର୍ଷ ତଳେ ପରଲୋକ ଘଟିଥିବା ବେଳେ ଘରେ ତାଙ୍କର ବିଧବା ମାଆ ଡୋମଣି ପ୍ରଧାନ ଓ ସ୍ତ୍ରୀ, ପୁଅ, ଝିଅ ରହୁଥିଲେ । ଶିଵ ପରିବାର ର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିବାରୁ ତାଙ୍କର ମୃତ୍ୟୁ ପରେ ପରିବାର ଉପରେ ଦୁଃଖ ର ପାହାଡ ଖସି ପଡିଛି ।ପିଟଣାପଲ୍ଲୀ ଗ୍ରାମରେ ଶୋକ ର ଛାୟା ଖେଳିଯାଇଥିବା ବେଳେ ମୃତ ଶରୀର ଗାଁ କୁ ଫେରାଇ ଆଣିବାକୁ ପ୍ରଶାସନକୁ ପରିବାର ବର୍ଗ ନିବେଦନ କରିଛନ୍ତି ।