ନୂଆଦିଲ୍ଲୀ : ୨୦୧୧ ମସିହାରେ ‘ କୌନ ବନେଗା କରୋଡପତି’ରେ ୫୦ଲକ୍ଷ ଟଙ୍କା ଜିତି ସାରା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ମହିଳା ତହସିଲଦାର ଗିରଫ। ଗୁରୁବାର ମଧ୍ୟପ୍ରଦେଶର ଗ୍ୱାଲିୟରରୁ ବନ୍ୟା ପୀଡ଼ିତଙ୍କ ପାଇଁ ଦିଆଯାଇ ଥିବା ସହାୟତା ପାଣ୍ଠିରେ ୨.୫୭ କୋଟି ଟଙ୍କା ହଡ଼ପ ଅଭିଯୋଗରେ କରାଯାଇଛି ଗିରଫ। ୨୦୨୧ରେ ଯେବେ ଶ୍ୟୋପୁର ଜିଲ୍ଲାରେ ବନ୍ୟା ସହାୟତା ପାଣ୍ଠି ବିତରଣ କରାଯାଉ ଥିଲା, ସେହି ସମୟରେ ଅମିତା ସିଂହ ତୋମର ବଡୋଦରାର ତହସିଲଦାର ଥିଲେ। ସେ ପ୍ରାୟ ୨୫ଜଣ ପଟୱାରି ଓ ୧୦୦ରୁ ଅଧିକ ମଧ୍ୟସ୍ଥିଙ୍କ ସହ ମିଶି ୧୨୭ଟି ଫେକ୍ ଆକାଉଣ୍ଟକୁ ପାଖାପାଖି ୨.୫୭ କୋଟି ଟଙ୍କା ସ୍ଥାନାନ୍ତରିତ କରି ହଡ଼ପ କରି ଥିଲେ।
ବଡୋଦରାର ଡେପୁଟି କଲେକ୍ଟରଙ୍କ ଦ୍ୱାରା କରାଯାଇ ଥିବା ଅଡିଟ୍ ବେଳେ ଏହି ଅନିୟମିତତା ସାମ୍ନାକୁ ଆସି ଥିଲା, ଯାହାପରେ ପୁଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇ ଥିଲା।
ଯାଞ୍ଚରୁ ଜଣାପଡ଼ି ଥିଲା ଯେ, ସହାୟତା ପାଣ୍ଠିର ବିତରଣ ବେଳେ, ଅଭିଯୁକ୍ତଙ୍କ ସଂପର୍କୀୟ ଓ ପରିଚିତଙ୍କୁ ଫେକ୍ ଉପାୟରେ ବନ୍ୟା ପୀଡ଼ିତ ଭାବେ ଚିହ୍ନଟ କରାଯାଇ ଥିଲା, ଯାହାକି ଠକେଇରେ ଅର୍ଥରାଶି ହସ୍ତାନ୍ତର କରାଯାଇ ପାରିବ। ତହସିଲ କାର୍ଯ୍ୟାଳୟର କର୍ମଚାରୀ ଓ ମଧ୍ୟସ୍ଥିଙ୍କ ଏହି ଘୋଟାଲାରେ ସଂପୃକ୍ତିର ସନ୍ଦେହ କରାଯାଉଛି। ଏବେସୁଦ୍ଧା ତୋମର ଓ ୨୫ଜଣ ପଟୱାରୀଙ୍କ ସହ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।
ତୋମର ଗିରଫଦାରୀରୁ ବର୍ତ୍ତିବା ପାଇଁ ଅନେକ ପ୍ରୟାସ କରିଥିଲେ। ସର୍ବ ପ୍ରଥମେ ସେ ଗ୍ୱାଲିୟର ଉଚ୍ଚ ନ୍ୟାୟାଳୟର ବେଞ୍ଚରେ ଅଗ୍ରିମ ଜାମିନ୍ ଆବେଦନ ଦାଏର କରିଥିଲେ , ଯାହାକୁ ଖାରଜ କରିଦିଆ ଯାଇ ଥିଲା। ଏହାପରେ ସେ ଅଗ୍ରିମ ଜାମିନ ଆବେଦନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ବିଶେଷ ଅନୁମତି ପିଟିସନ (ଏସଏଲପି) ଦାଏର କରିଥିଲେ, କିନ୍ତୁ ଏବେ ବି ୧୭ ମାର୍ଚ୍ଚ , ୨୦୨୬କୁ ଖାରଜ କରି ଦିଆ ଯାଇଥିଲା।
ପୁଲିସ ଆଇପିସି ଧାରାର ୪୨୦ (ଠକେଇ), ୪୬୭ ଓ ୪୬୮ (ନକଲି କାଗଜପତ୍ର ତିଆରି କରିବା) ୪୦୯ (ଅପରାଧିକ ବିଶ୍ୱାସଘାତ) ଓ ୧୨୦ ବି (ଅପରାଧିକ ଷଡ଼ଯନ୍ତ୍ର) ଅଧୀନରେ , ଦୁର୍ନୀତି ନିବାରଣ ଅଧିନିୟମ , ୧୯୮୮ର ପ୍ରାବଧାନ ସହ ମାମଲା ରୁଜୁ କରିଥିଲା।