ଭୁବନେଶ୍ୱର,୧୪ା୨(ବ୍ୟୁରୋ): ଟାଟା ଷ୍ଟିଲ୍ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଜେଡ୍)ର ଗୋପାଳପୁର ଶିଳ୍ପ ପାର୍କରେ ହାଇଦ୍ରାବାଦଭିତ୍ତିକ ଜେମିନି ଏଡିବଲ୍ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ ଏକ ଖାଇବା ତେଲ ମାନୁଫାକ୍ଚରିଂ (ବିନିର୍ମାଣ) ୟୁନିଟ୍ ସ୍ଥାପନ ପାଇଁ ଯୋଜନା କରିଛି । ପ୍ରସ୍ତାବିତ ଖାଇବା ତେଲ ୟୁନିଟ୍ ପାଇଁ ଜେମିନି ୩୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି ଜଣାପଡ଼ିଛି । ଫ୍ରିଡମ୍ ବ୍ରାଣ୍ଡର ଖାଇବା ତେଲ ନାମରେ ପରିଚିତ ଜେମିନି ଏଡିବଲ୍ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ ଦକ୍ଷିଣ ଓଡ଼ିଶାରେ ଏକ ମାନୁଫାକ୍ଚରିଂ ୟୁନିଟ୍ ବସାଇବାକୁ ନିଷ୍ପତ୍ତି ନେଇଛି । ଏହା ଟାଟା ଷ୍ଟିଲ୍ ଏସ୍ଇଜେଡ୍ର ଗୋପାଳପୁର ଶିଳ୍ପ ପାର୍କରେ ବାର୍ଷିକ ୩,୯୬,୦୦୦ ଟନ୍ କ୍ଷମତାର ଖାଇବା ତେଲ ପ୍ଲାଣ୍ଟ ସ୍ଥାପନ କରିବ । ଏଥିପାଇଁ ନିବେଶ ହେବାକୁ ଥିବା ୩୦୦ କୋଟି ଟଙ୍କାରୁ କମ୍ପାନି ୧୫୦ କୋଟି ଟଙ୍କା ଋଣ କରିବ । ବଳକା ଅର୍ଥ ଏହା ଇକ୍ୱିଟି ଆକାରରେ ଉଠାଇବ । ଗୋପାଳପୁର ଶିଳ୍ପ ପାର୍କର ଡୋମେଷ୍ଟିକ୍ ତାରିଫ୍ ଏରିଆ (ଡିଟିଏ)ରେ ୨୫ ଏକର ଜମି ଉପରେ ଜେମିନି ଏହି ତୈଳ ପ୍ଲାଣ୍ଟ ସ୍ଥାପନ କରିବ । ଏହି ଖାଇବା ତେଲ ୟୁନିଟ୍କୁ ପରିଚାଳନା କରିବାକୁ କମ୍ପାନି ଆର୍ଜେଣ୍ଟିନା, ୟୁକ୍ରେନ୍ ଓ ରୁଷିଆରୁ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଆମଦାନି କରିବ । ସେହିଭରି ଏହା ମାଲେସିଆ ଓ ଇଣ୍ଡୋନେସିଆରୁ ଅଶୋଧିତ ପାମ୍ ଅଏଲ୍ ଆମଦାନି କରିବ । ଏସବୁ ତେଲକୁ ଗୋପାଳପୁର ବନ୍ଦର ଜରିଆରେ ଆମଦାନି କରିବାକୁ ଜେମିନି ଏଡିବଲ୍ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି । ଗୋପାଳପୁରରେ ପ୍ରସ୍ତାବିତ ଖାଇବା ତେଲ ବିନିର୍ମାଣ ୟୁନିଟ୍ରୁ ଆଗାମୀ ବର୍ଷକ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ ବୋଲି ଜେମିନି ଲକ୍ଷ୍ୟ ରଖିଛିସ । ଏହାଦ୍ୱାରା ୫୨୫ ଜଣ ଲୋକଙ୍କୁ କର୍ମନିଯୁକ୍ତି ମିଳିବ । ନିକଟରେ ଏହି ପ୍ରସ୍ତାବକୁ ରାଜ୍ୟସ୍ତରୀୟ ସୁଗମ ସେଲ୍ ଆନୁଷ୍ଠାନିକ ଅନୁମୋଦନ ପ୍ରଦାନ କରିଥିଲା । ସୂଚନା ଥାଉକି, ଗୋପାଳପୁର ଶିଳ୍ପ ପାର୍କରେ ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରିବାକୁ ଜେମିନି ଏଡିବଲ୍ ଆଣ୍ଡ ଫ୍ୟାଟ୍ସ ରାଜ୍ୟ ସରକାରଙ୍କ ସିଙ୍ଗଲ୍ ୱିଣ୍ଡୋ ପୋର୍ଟାଲ ‘ଗୋ-ସ୍ୱିଫ୍ଟ’ରେ ଆବେଦନ କରିଥିଲା । ଶୁଭାରମ୍ଭ ହେବାର ୧୫ ମାସ ମଧ୍ୟରେ ଏହା ଗୋ-ସ୍ୱିଫ୍ଟକୁ ଆସିଥିବା ୬୦୦ତମ ପ୍ରସ୍ତାବ ।

ଆଜି ୪ ରାଜ୍ୟରେ ଭୋଟ ଗଣତି, ଇଭିଏମ୍ରୁ ଖୋଲିବ ପ୍ର...