ବସ୍ତାଏ ଚାଉଳ ପାଇଁ ବୃଦ୍ଧ ଦମ୍ପତିଙ୍କୁ ମାରିଦେଲେ, ୩ ଭାଇ ଗିରଫ

କେନ୍ଦୁଝର/ଶୁଆକାଟୀ,୫ା୨(ଆପ୍ର): ମାତ୍ର ୧୨ ଶହ ଟଙ୍କା ଓ ଚାଉଳ ବସ୍ତାଏ ପାଇଁ ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କଲେ । ପ୍ରମାଣ ଚୁଲାଇବା ପାଇଁ ମୃତ ଦେହକୁ ଏକ ପରିତ୍ୟକ୍ତ କୂଅରେ ଫିଙ୍ଗିଦେଇଥିଲେ । ପ୍ରାୟ ୨୨ ଦିନ ପରେ ଘଟଣାଟି ଏବେ ଲୋକଲୋଚନକୁ ଆସିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ଅଭିଯୁକ୍ତ ୩ ଭାଇଙ୍କୁ ସୋମବାର ବିଳମ୍ବିତ ରାତିରେ ବାଲେଶ୍ୱରରୁ ଗିରଫ କରିଛି । ମଙ୍ଗଳବାର ପୁଲିସ ଜେରା ପରେ ଅଭିଯୁକ୍ତମାନେ ହତ୍ୟା କରିଥିବା ମଧ୍ୟ ସ୍ୱୀକାର କରିଛନ୍ତି ।
କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ୍ର ଖୁଣ୍ଟାକଟା ନିକଟରେ ଜିତେନ୍ଦ୍ର ସାହୁଙ୍କ ଏକ କ୍ରସର ରହିଛି । ୮ ବର୍ଷ ହେବ କ୍ରସର ବନ୍ଦ ରହିଛି । କ୍ରସରର ଜଗୁଆଳି ଭାବେ ନିକଟସ୍ଥ ଗ୍ରାମର ମିଲୁ ନାଏକ (୫୫) ଦାୟିତ୍ୱ ନେଇଛନ୍ତି । କ୍ରସର ପରିସରରେ ଏକ କୋଠାଘର ଥିବାବେଳେ କିଛି ଦିନ ପୂର୍ବରୁ ହାତୀପଲ ପାଚେରି ଭାଙ୍ଗି ଆସି ଉତ୍ପାତ କରିଥିବାରୁ ଜଗୁଆଳି ମିଲୁ ଓ ତାଙ୍କ ପତ୍ନୀ କସ୍ତୁରୀ (୪୮)କୋଠା ଉପରେ ଛାଉଣୀ କରି ରହୁଥିଲେ । ଗ୍ରାମର ତିନି ଭାଇ ଫକୀର ସେଠୀ (୩୦), ଅକ୍ଷୟ ସେଠୀ (୨୮) ଓ ଉମା ସେଠୀ (୨୫) କିଛି କାମଧନ୍ଦା ନକରି ଚୋରି କରୁଥିଲେ । ଗତ ୧୩ ତାରିଖରେ ୩ ଭାଇ ମିଲୁ ଭତ୍ତା ଟଙ୍କା ପାଇଥିବା ଜାଣିପାରି ଚୋରି ଉଦ୍ଦେଶ୍ୟରେ କ୍ରସର ଭିତରକୁ ରାତିରେ ଯାଇଥିଲେ । ସେହି ସମୟରେ ମିଲୁ ଓ ତାଙ୍କ ପତ୍ନୀ ରୋଷେଇ କରୁଥିଲେ । ୩ ଭାଇ ଟାଙ୍ଗିଆ ଦେଖାଇ ଦମ୍ପତିଙ୍କୁ ଭୟଭୀତ କରିବା ସହ ସେମାନଙ୍କ ନିକଟରେ ଥିବା ୧୨ଶହ ଟଙ୍କା ଲୁଟି ନେଇଥିଲେ । ବୃଦ୍ଧ ଦମ୍ପତି ନିଜ ପାଇଁ ରଖିଥିବା ଚାଉଳ ବସ୍ତା (ପ୍ରାୟ ୨୦ କିଲୋ) ମଧ୍ୟ ୩ଭାଇ ଉଠାଇ ନେଇ ପଳାଉଥିଲେ । ସେମାନଙ୍କୁ ପିଛା କରି ବୃଦ୍ଧ ଦମ୍ପତି ଗାଁ ଲୋକଙ୍କୁ ଡାକି ସବୁ ଜଣାଇବେ ବୋଲି କହିବାରୁ କ୍ରସରଠାରୁ ପ୍ରାୟ ୩ଶହ ମିଟର ଦୂରରେ ଥିବା ପରିତ୍ୟକ୍ତ ଶିଳ୍ପ ପରିସରକୁ ଦମ୍ପତି ଦ୍ୱୟଙ୍କୁ ୩ ଭାଇ ନେଇ ଯାଇଥିଲେ । ପ୍ରଥମେ ମିଲୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ସ୍ୱାମୀଙ୍କୁ ବଞ୍ଚାଇବା ଲାଗି କସ୍ତୁରୀ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ ୩ଭାଇ । ପରେ ପ୍ରମାଣ ନଷ୍ଟ ଶିଳ୍ପାନୁଷ୍ଠାନର ଗଭୀର କୂଅକୁ ମୃତଦେହ ଫିଙ୍ଗି ଦେଇଥିଲେ । ପରେ ବଡ଼ ବଡ଼ ପଥର ଏବଂ ଗଛର ଡାଳ ପକାଇ ଦେଇଥିଲେ । କୂଅ ଉପରେ କଂକ୍ରିଟ୍ ଘୋଡଣୀ ରହିଥିବାରୁ ହଠାତ୍ ବାହାରକୁ ଜଣାପଡ଼ି ନଥିଲା । ହତ୍ୟା ପରେ ୩ ଭାଇ ପାଇପ୍ କାମ କରିବାକୁ ଜିଲ୍ଲା ବାହାରକୁ ପଳାଇଥିଲେ ।
ଅନ୍ୟପଟେ ଦମ୍ପତି କ୍ରସର ପରିସରରେ ରହୁଥିବା ବେଳେ ନିଜ ଗାଁକୁ କାଁ ଭାଁ ଯାଉଥିଲେ । ଘରେ ମିଲୁଙ୍କ ୫ ଜଣ ପୁଅଝିଅ ମଧ୍ୟରୁ ୩ ଜଣ ବିଭିନ୍ନ ସ୍ଥାନରେ ଆବାସିକ ବିଦ୍ୟାଳୟରେ ରହି ପଢ଼ୁଥିବା ବେଳେ ୨ ଜଣ ବୁଢ଼ୀମା’ ହେପାଜତରେ ରହୁଥିବାରୁ ଘଟଣା ସମ୍ପର୍କରେ ଆଦୌ ସୁରାକ୍ ପାଇନଥିଲେ । ମକର ପର୍ବରେ ମିଲୁ ଗାଁକୁ ନ ଆସିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ମିଲୁଙ୍କୁ ସମ୍ପର୍କୀୟ ଗତ ୨୬ ତାରିଖରେ ଶୁଆକାଟୀ ଫାଣ୍ଡିରେ ନିଖୋଜ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ପୁଲିସ ଘଟଣାକୁ ହାଲୁକା ନେଇଥିଲା ।
ଏପଟେ ହତ୍ୟାକାରୀର ସ୍ତ୍ରୀ ରଶ୍ମିତା ହତ୍ୟାକାଣ୍ଡ କଥା କହିବା ପରେ ପରେ ଗାଁର ୱାର୍ଡମେମ୍ବର କଳାକାର ପ୍ରଧାନ ମଙ୍ଗଳବାର ସଦର ଥାନାରେ ହତ୍ୟା ସମ୍ପର୍କରେ ଏତଲା ଦେଇଥିଲେ । ପୁଲିସ ଅଭିଯୁକ୍ତକୁ ଧରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି । ୫୦ ଫୁଟ୍ ଗଭୀର କୂଅରୁ ମୃତଦେହ ଉଦ୍ଧାର କରିବାକୁ ଅକ୍ସିଜେନ୍ ନିଅଣ୍ଟିଆ ହେବାରୁ ଅଗ୍ନିଶମ କର୍ମଚାରୀ ନୟାନ୍ତ ହୋଇ ପଡ଼ିଥିଲେ । ସନ୍ଧ୍ୟାରେ କସ୍ତୁରୀର ମୃତଦେହ ଉଦ୍ଧାର ହୋଇଥିବା ବେଳେ ମିଲୁ ମୃତଦେହ ଉପରକୁ ଆସିପାରିନି । ଫଳରେ ଉଦ୍ଧାର କାର୍ଯ୍ୟ ବୁଧବାର ଜାରି ରହିବ ବୋଲି ଜଣାପଡ଼ିଛି ।