ବାଙ୍ଗିରିପୋଷି,୨୧/୧୨: ଘର ସହ ଜିଅନ୍ତା ଜଳିଗଲେ ବୃଦ୍ଧ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି ।ମୃତକ ଜଣକ ବଡ଼ଗାଁ ପଞ୍ଚାୟତ ଜୁହା ଗାଁର ୬୫ ବର୍ଷୀୟ  ଆନନ୍ଦ ସିଂ ବୋଲି ଜଣାପଡିଛି।

ସୂଚନା ମୁତାବକ, ଅତ୍ୟଧିକ ଶୀତ ଯୋଗୁଁ ଘର ଭିତରେ ନିଆଁ ଲଗାଇ ଶୋଇଥିଲେ ବୃଦ୍ଧ ଜଣକ। ବିଳମ୍ବିତ ରାତିରେ ଚାଳ ଘର ହୋଇଥିବାରୁ ନିଆଁ ଲାଗିଯାଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଛି। ଘରର ଅନ୍ୟପଟେ ଥିବା ଏକ ଘରେ ପୁଅ ବହୁ ସହ ଅନ୍ୟ ସଦସ୍ୟମାନେ ରହୁଥିଲେ ମଧ୍ୟ ନିଆଁ ଲାଗି ଜଳିଯିବାରୁ କେହି ବୃଦ୍ଧ ବ୍ୟକ୍ତିଙ୍କୁ ଉଦ୍ଧାର କରି ପାରି ନ ଥିଲେ । ଘର ସହ ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି। ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ବୃଦ୍ଧ ଜଣକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ମୃତଦେହ ଜବତ କରିଛି ।

ଅନ୍ୟପଟେ ଘଟଣା ବିଷୟରେ ଜାଣି ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ଦୁଃଖ ପ୍ରକାଶ କରିବା ସହ ସରକାରୀ ସହାୟତା ଦେବା ପାଇଁ  ନିର୍ଦେଶ ଦେଇଛନ୍ତି।  ବରିଷ୍ଠ ବିଜେପି ନେତା ସୁଗଦା ମୁର୍ମୁ, ବିଧାୟିକାଙ୍କ ପ୍ରତିନିଧି ପ୍ରଦୀପ ମହାପାତ୍ର, ପୂର୍ବତନ ମଣ୍ଡଳ ସଭାପତି ଦୁଲାରାମ କିସ୍କୁ, ରଞ୍ଜିତ ମଣ୍ଡଳ ପ୍ରମୁଖ ଅଗ୍ନିଵିପନ୍ନ ପରିବାର ପାଖରେ ପହଁଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଏବଂ ଲୁଗାପଟା, ଶୀତବସ୍ତ୍ର ପ୍ରଦାନ କରିଥିଲେ।