ଭୁବନେଶ୍ୱର ୦୮/୧୧: କୁକୁରକୁ ବଞ୍ଚାଇବାକୁ ଯାଇ ଓଲିଉଡ୍ ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁଟିଂ ସାରି ଫେରୁଥିବାବେଳେ କେନାଲକୁ ଖସିଲା କାର୍‌ । ତେବେ ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି । ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଅଭିନେତା ।

ସୂଚନା ଥାଉକି, ଆଜି ସକାଳେ ବରିଷ୍ଠ ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି କଟକରୁ ସୁଟିଂ ସାରି କଳାରାହଙ୍ଗ ସ୍ଥିତ ବାସଭବନକୁ ଆସୁଥିଲେ । ତେବେ ପ୍ରତାପନଗରୀ କେନାଲ ରୋଡ୍ ବାଟ ଦେଇ ଫେରିବା ବେଳେ ପଟିଆ ନୂଆ ରେଳ ଷ୍ଟେସନ ପାଖରେ ତାଙ୍କ କାର୍ ଆଗକୁ ଏକ ବୁଲା କୁକୁର ଚାଲି ଆସିଥିଲା। ସେ କୁକୁରକୁ ବଞ୍ଚାଇବାକୁ ଯାଇ ଷ୍ଟିଅରିଙ୍ଗ ମୋଡି ଦେଇଥିଲେ । ଫଳରେ କାର୍‌ଟି ଭାରସାମ୍ୟ ହରାଇ କେନାଲକୁ ଖସି ଯାଇଥିଲା । ତେବେ କାର୍‌ଟି ପାଣି ଭିତରକୁ ଯିବା ପୂର୍ବରୁ ନିଜେ ବ୍ରେକ୍ ମାରି ଅଟକାଇ ଦେଇଥିଲେ ଅଶ୍ରୁମୋଚନ । ତାଙ୍କ ପୁଅ ଘଟଣାସ୍ଥଳରେ ପହଞ୍ଚି କାର୍‌କୁ ଉପରକୁ ଆଣିଥିଲେ । ସୂଚନା ଅନୁଯାୟୀ ଉଭୟ କାର ଏବଂ ଅଭିନେତା ଅଶ୍ରୁମୋଚନଙ୍କର କୌଣସି କ୍ଷତି ହୋଇନାହିଁ ।