ଭୁବନେଶ୍ୱର୨୩/୦୧; ବାପା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର । ମା' ହେଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସବ୍ୟାର୍ଚ୍ଚିତାଙ୍କ ଘରକୁ ଆସିଲେ କୁନି ଅତିଥି । ପିତାମାତା ହେଲେ ସବ୍ୟାର୍ଚ୍ଚିତା ନାଁରେ ପରିଚିତ ଓଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଯୋଡ଼ି ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ୨୧ ତାରିଖ ସକାଳ ୯ଟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଅର୍ଚ୍ଚିତା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମା’, ପୁଅ ଉଭୟେ ସୁସ୍ଥ ଥିବା କହିବା ସହ ଖୁସି ବ୍ୟକ୍ତ କରିଛନ୍ତି ସବ୍ୟସାଚୀ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ସର୍ବଶକ୍ତିମାନଙ୍କ କୃପା ଏବଂ ଆପଣ ସମସ୍ତଙ୍କ ଶୁଭକାମନା ସହିତ ଆମ ଘରକୁ ନୂତନ ଅତିଥିଙ୍କ ଆଗମନ ହୋଇଛି । ତାକୁ ଆଶୀର୍ବାଦ କରନ୍ତୁ । ଆମ ପରିବାର ପ୍ରତି ଦେଇ ଆସିଥିବା ଏ ଭଲପାଇବା ଏମିତି ଅତୁଟ ଥାଉ ବୋଲି ସବ୍ୟସାଚୀ କହିଛନ୍ତି । ଆସନ୍ତାକାଲି ମା’, ପୁଅ ଘରକୁ ଫେରୁଥିଲା ବେଳେ ଖୁସିରେ ବିଭୋର ପରିବାର ଲୋକେ କୁନି ଅତିଥିଙ୍କ ସ୍ୱାଗତ ପାଇଁ ଅପେକ୍ଷା କରି ରହିଛନ୍ତି । ଏହି ଖବର ପରେ ବିଭିନ୍ନ ସ୍ତରରୁ ସବ୍ୟାର୍ଚ୍ଚିତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କୁନି ପୁଅର ନାଁ କ’ଣ ରହିବ ତାକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଓ ଶୁଭେଚ୍ଛୁକଙ୍କ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ତାହା ବି ସମୟ ଆସିଲେ ଘୋଷଣା ହେବ ବୋଲି ଅତି ମଜାଳିଆ ଢଙ୍ଗରେ ଉତ୍ତର ରଖିଛନ୍ତି ସବ୍ୟସାଚୀ । ମାତ୍ର ସାମାଜିକ ଗଣମାଧ୍ୟମରେ ସବ୍ୟସାଚୀ ପୁଅର ହାତ ଫଟୋ ଦେଇ କାଳିଆ ଆସିଲା ବୋଲି ଲେଖିଛନ୍ତି ।

​​​​​​​​​​​​​

ଗତ ଡିସେମ୍ବର ୧୪ରେ ସବ୍ୟାର୍ଚ୍ଚିତା ଖୁବ୍‌ଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଥିଲେ । ଏହାପରେ ପ୍ରଶଂସକଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ସୂଚନାଯୋଗ୍ୟ, ୨୦୦୮ରେ ସବ୍ୟାର୍ଚ୍ଚିତା ‘ମୁଁ ସପନର ସୌଦାଗର’ ସିନେମାରେ ପ୍ରଥମେ ଏକାଠି ଆସିଥିଲା ବେଳେ ୨୦୨୧ ମାର୍ଚ୍ଚରେ ରାଜସ୍ଥାନରେ ବିବାହ କରିଥିଲେ ।