ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସିନ୍ଧୁ ନଦୀ ବ୍ୟବସ୍ଥାର ପଶ୍ଚିମ ନଦୀଗୁଡ଼ିକରୁ (ସିନ୍ଧୁ, ଝେଲମ ଓ ଚେନାବ) ଅତିରିକ୍ତ ଜଳକୁ ପଞ୍ଜାବ, ହରିୟାନା ଓ ରାଜସ୍ଥାନକୁ ନେବା ପାଇଁ ପ୍ରସ୍ତାବିତ ୧୧୩ କିଲୋମିଟର ଲମ୍ବା କେନାଲ ପ୍ରକଳ୍ପକୁ ଦୃଢ଼ ଭାବେ ବିରୋଧ କରିଛନ୍ତି। ଏହି ପ୍ରସ୍ତାବ ଭାରତ ସରକାରଙ୍କ ଦ୍ୱାରା ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲ୍ୟୁଟି) ସ୍ଥଗିତ ରଖିବା ପରେ ଆସିଛି। ଯାହା ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା।
ଅବଦୁଲ୍ଲା ଏନେଇ କହିଛନ୍ତି ଯେ, “କେନ୍ଦ୍ର ସରକାରଙ୍କ ଏହି ନୂଆ ପ୍ରସ୍ତାବକୁ ମୁଁ କେବେ ବି ଅନୁମତି ଦେବି ନାହିଁ। ଆମେ ପ୍ରଥମେ ଆମ ଜଳକୁ ଆମ ପାଇଁ ବ୍ୟବହାର କରିବୁ। ଜମ୍ମୁରେ ମରୁଡ଼ି ପରିସ୍ଥିତି ରହିଛି। ମୁଁ ପଞ୍ଜାବକୁ ଜଳ କାହିଁକି ଦେବି? ପଞ୍ଜାବ ପୂର୍ବରୁ ସିନ୍ଧୁ ଜଳ ସନ୍ଧି ଅଧୀନରେ ଜଳ ପାଇଛି। ଆମେ ଯେତେବେଳେ ଜଳ ଆବଶ୍ୟକ କରୁଥିଲୁ, ସେମାନେ କ’ଣ ଆମକୁ ଜଳ ଦେଇଥିଲେ?” ଓମାର ଅବଦୁଲ୍ଲା ଏକ ସାମ୍ୱାଦିକ ସମ୍ମିଳନି କରି ନିଜ ମନ୍ତବ୍ୟ ରଖିଛନ୍ତି।
ଏହି କେନାଲ ପ୍ରକଳ୍ପ ପାକିସ୍ତାନକୁ ଯାଉଥିବା ଜଳର ପରିମାଣକୁ ହ୍ରାସ କରିବା ପାଇଁ ଭାରତର ଏକ ରଣନୀତିକ ପଦକ୍ଷେପ ଅଟେ। କାରଣ ଗତ ଏପ୍ରିଲ ୨୨ ତାରିଖରେ ପାହାଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ସରକାର ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ ରଖିଥିଲେ। ଏଣୁ ଆବଶ୍ୟକତାଠୁ ଅଧିକ ପାଣିକୁ ଅନ୍ୟ ରାଜ୍ୟମାନଙ୍କୁ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏକ ନୂଆ କେନାଲ ପ୍ରକଳ୍ପ ପାଇଁ ଯୋଜନା ତିଆରି କରିଛନ୍ତି। ଯେଉଁଥିରେ ସିନ୍ଧୁ ନଦୀ ବ୍ୟବସ୍ଥାର ପଶ୍ଚିମ ନଦୀଗୁଡ଼ିକରୁ ନିର୍ଗତ ହେଉଥିବା ବଳକା ଜଳକୁ ପଞ୍ଜାବ, ରାଜସ୍ଥାନ ଓ ହରିୟାନାକୁ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା।
ଏହାସହ ଅବଦୁଲ୍ଲା ଦୀର୍ଘ ଦିନରୁ ଅଟକି ରହିଥିବା ତୁଲବୁଲ ନାଭିଗେସନ ବ୍ୟାରେଜ ପ୍ରକଳ୍ପକୁ ପୁଣିଥରେ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି। ଯାହା ଝେଲମ ନଦୀରେ ନାଭିଗେସନ ଏବଂ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିପାରେ ବୋଲି ସେ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି ଯେ, “ସିନ୍ଧୁ ଜଳ ସନ୍ଧି ଏକ ଅନ୍ୟାୟପୂର୍ଣ୍ଣ ଚୁକ୍ତି ଥିଲା, ଯାହା ଜମ୍ମୁ ଓ କାଶ୍ମୀରର ସ୍ୱାର୍ଥକୁ ଉପେକ୍ଷା କରିଥିଲା।”
ଅନ୍ୟପକ୍ଷରେ, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ନେତ୍ରୀ ମେହବୁବା ମୁଫତି ଏହି ପ୍ରସ୍ତାବକୁ “ଅତ୍ୟନ୍ତ ଦୁଃଖଦାୟକ” ବୋଲି ଅଭିହିତ କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଜଳକୁ ନେଇ ରାଜନୀତି କରିବା ଅମାନବୀୟ ଏବଂ ଏହି ଦ୍ୱିପାକ୍ଷିକ ବିଷୟ ଏକ ନୂଆ ଆନ୍ତର୍ଜାତୀୟ ମାମଲାରେ ପରିଣତ ହୋଇପାରେ।
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ପାକିସ୍ତାନରେ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି ହୋଇଛି। ବିଶେଷତଃ ପାକିସ୍ତାନରେ ଥିବା ପଞ୍ଜାବ ପ୍ରଦେଶରେ, ଯେଉଁଠାରେ ଖରିଫ ଫସଲ ଉତ୍ପାଦନ ୨୦%ରୁ ଅଧିକ ହ୍ରାସ ପାଇଛି। ପାକିସ୍ତାନର ଅର୍ଥନୀତିରେ କୃଷିର ଅଂଶ ମଧ୍ୟ ୨୦୨୫ ଆର୍ଥିକ ବର୍ଷରେ ୨୪.୦୩%ରୁ ୨୩.୫୪%କୁ ଖସି ଆସିଛି।
ଏହି ପରିସ୍ଥିତି ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଜଟିଳ କରିଛି। ଯେଉଁଠାରେ ପାକିସ୍ତାନ ସିନ୍ଧୁ ଜଳ ପ୍ରବାହରେ କୌଣସି ପ୍ରକାର ବାଧାକୁ “ଯୁଦ୍ଧର କାର୍ଯ୍ୟ” ବୋଲି ବିବେଚନା କରୁଛି। ତଥାପି, ବିଶେଷଜ୍ଞମାନେ ଏନଇ ମତ୍ତ ଦେଉ କହିଛନ୍ତି ଯେ ଭାରତରେ ବର୍ତ୍ତମାନ ବୃହତ ଜଳ ସଂରକ୍ଷଣ ଭିତ୍ତିଭୂମିର ଅଭାବ ଯୋଗୁଁ ସିନ୍ଧୁ ନଦୀ ବ୍ୟବସ୍ଥାର ପ୍ରବାହକୁ ତୁରନ୍ତ ବନ୍ଦ କରିବା ଅସମ୍ଭବ।