ଭୁବନେଶ୍ୱର,୦୭/୦୩: ଓଡ଼ିଶା ଖଣି ନିଗମ (ଓଏମ୍ସି) କଥା ଦେଲା । ରାଜଧାନୀ ମେଡିଆନ୍ରେ ଗଛ ପୋତି ପାଣି ଦିଅ । ଖର୍ଚ୍ଚ ଓଏମ୍ସି ଦେବ । ଗଛ ଲାଗିଲା । ବଢ଼ିଲା । ଏବେ ଏ ସବୁ ଗଛ ମଉଳିବାକୁ ବସିଲାଣି । ଟଙ୍କା ଦେବା କଥା ଉଠିଲେ ଆଉ ଧରାଛୁଆଁ ଦେଉନି । ଓଏମ୍ସି ଏମିତି ପ୍ରତିଶ୍ରୁତି ଦେଇ ଠକିଦେଲା । ଏବେ ବିଏମ୍ସ ନିଜ ତହବିଲ୍ରୁ ୫ କୋଟି ଟଙ୍କା ଗଣିବ । ଆନନ୍ଦବନ ପରେ ଏବେ ସୌନ୍ଦର୍ଯ୍ୟକରଣ ଟଙ୍କା ଦେବାକୁ ମୁହଁ ମୋଡିଛି ଓଏମ୍ସି ।
ସହର ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡିଥିଲା ବିଏମ୍ସି । ଏନେଇ ମୁଖ୍ୟ ରାସ୍ତାରେ ଫୁଲ, ଅର୍ଣ୍ଣାମେଣ୍ଟାଲ ଟ୍ରି ଲଗାଇବାକୁ ବିଏମ୍ସି ଯୋଜନା କରିଥିଲା । ଆଉ ସହାୟତାର ହାତ ବଢାଇଥିଲା ଓଏମ୍ସି । ହେଲେ ଏବେ ଓଏମ୍ସି ମୁହଁ ଫେରାଇବା ପରେ ସହର ସୌନ୍ଦର୍ଯ୍ୟକରଣ ବିକୃତ ହେବାରେ ଲାଗିଛି ।
ପୁନାମା ଗେଟ୍ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରାସ୍ତାରେ ଲାଗିଥିବା ଗଛ ମଉଳି ଗଲାଣି । ପାଣି ଦିଆଯାଉ ନଥିବାରୁ ଏଭଳି ଦୁରାବସ୍ଥା ହୋଇଛି । ଲୋକଭବନ (ରାଜଭବନ) ରାସ୍ତାରୁ ଡମଣା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବି ସମାନ । ଏହି ରାସ୍ତାରେ ଜାଗା ଜାଗାରେ ମେଡିଆନ୍ ଫାଙ୍କା ପଡିଛି । ଆଚାର୍ଯ୍ୟବିହାର ସୈନିକ ସ୍କୁଲ ରାସ୍ତାରେ ମେଡିଆନ୍ ଫୁଲ ଗଛ ମଉଳି ଗଲାଣି । ବାଣୀବିହାରରୁ ଖଣ୍ଡଗିରି ଓଭରବ୍ରିଜ୍ ତଳେ ଲାଗିଥିବା ଗଛ ବି ମଉଳିଲାଣି । ଜୟଦେବ ବିହାର ଓଭରବ୍ରିଜ୍ ତଳେ ମଧ୍ୟ ସମାନ ଅବସ୍ଥା ।
ବିଏମ୍ସି ପକ୍ଷରୁ ମେଡିଆନ୍ ସୌନ୍ଦର୍ଯ୍ୟକରଣ ପାଇଁ ଓଡିଶା ବନ ଉନ୍ନୟନ ନିଗମ(ଓଏଫ୍ଡିସି)କୁ ଦାୟିତ୍ୱ ଦିଆଯାଇଥିଲା । ଏଥିରେ ପୁନାମା ଗେଟ୍ଠାରୁ ବିମାନବନ୍ଦରର ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ, ଏଜିରୁ ଲୋକଭବନ ଏବଂ ଡମଣା ଛକ ପର୍ଯ୍ୟନ୍ତ ୧୦.୨୯ କିମି ରାସ୍ତା ସୌନ୍ଦର୍ଯ୍ୟକରଣ ହୋଇଥିଲା । ଏଥିପାଇଁ ୧,୯୭,୯୪,୦୪୪ ଟଙ୍କା ଖର୍ଚ୍ଚ ହୋଇଥିଲା । ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍ ତଳେ ଲ୍ୟାଣ୍ଡ ସ୍କେପିଂ ପାଇଁ ଦୁଇଟି ପର୍ଯ୍ୟାୟରେ ୧ କୋଟି, ନୂଆପଲ୍ଲୀ ବେହେରା ସାହି ରାସ୍ତା ପର୍ଯ୍ୟନ୍ତ ୩ ଲକ୍ଷ ଖର୍ଚ୍ଚ ହୋଇଥିଲା । ଏପରି ମୋଟ୍ ୬ କୋଟି ଟଙ୍କା ବିଏମ୍ସି ଖର୍ଚ୍ଚ କରିଛି ।
ମେଡିଆନ୍ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଓଏମ୍ସି ବହନ କରିବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ଏବେ ଓଏମ୍ସି ଧରାଛୁଆଁ ଦେଉନି । ତେଣୁ ଓଏଫ୍ଡିସି ପକ୍ଷରୁ ମେଡିଆନ୍ ସୌନ୍ଦର୍ଯ୍ୟକରଣ ଏବଂ ପାଣି ଦିଆଯାଇ ପାରୁନି । ଫଳରେ ଗଛ ଗୁଡିକ ମରିବାକୁ ବସିଲାଣି ।
ବିଏମ୍ସି ପକ୍ଷରୁ ଗତ କର୍ପୋରେସନ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ଓଏମ୍ସି ଟଙ୍କା ଦେଉନଥିବାରୁ ଏବେ ବିଏମ୍ସି ଏହି ଖର୍ଚ୍ଚ ବହନ କରିବ । ପ୍ରାଥମିକ ପର୍ଯ୍ୟାୟରେ ୫ କୋଟି ଟଙ୍କା ଦେବାକୁ କର୍ପୋରେସନ ବୈଠକରେ ପ୍ରସ୍ତାବ ପାରିତ ହୋଇଛି ।
ଅଧିକ ପଢ଼ନ୍ତୁ :- ହାତୀ ଆକ୍ରମଣରେ ପୁଣି ଗଲା ଜୀବନ, ବନ୍ତଳା ରେଞ୍ଜରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ
ଓଏମ୍ସି ପକ୍ଷରୁ ଆନନ୍ଦବନର ରକ୍ଷଣାବେକ୍ଷଣ ପାଇଁ ଅନୁଦାନ ଦିଆଯାଉଥିଲା । ହେଲେ ମାସକ ତଳେ ଏହି ଅନୁଦାନକୁ ବି ବନ୍ଦ କରିଦେଇଛି ଓଏମ୍ସି । ଏବେ ପୁଣି ମେଡିଆନ୍ ସୌର୍ନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ବନ୍ଦ କଲେ ସହର ତାର ସୌନ୍ଦର୍ଯ୍ୟ ହରାଇବ । ବିଏମ୍ସି ଡେପୁଟି କମିଶନର ସୁଶ୍ରିତା ଟୁଡୁ କହିଛନ୍ତି, ଓଏମ୍ସି ଅନୁଦାନ ଦେଇନାହିଁ । ଏନେଇ ଆମେ ବିକଳ୍ପ ବ୍ୟବସ୍ଥା କରିଛୁ ।