ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦେଢ଼ ବର୍ଷର ସଂଘର୍ଷ ନେଲାଣି ଦେଢ଼ ଲକ୍ଷ ଜୀବନ, ମହିଳା ଭୋଗୁଛନ୍ତି ଯମ ଯନ୍ତ୍ରଣା

Published By : Swapna Ray | November 17, 2024 3:39 PM

ନୂଆଦିଲ୍ଲୀ, ୧୭।୧୧: ଯୁଦ୍ଧ-ହିଂସା-ସଂଘର୍ଷ । ଦେଶ ଦେଶ ମଧ୍ୟରେ ଲଢ଼େଇରେ ବଳି ପଡ଼ିଯାଉଛି ନିରୀହ ଜୀବନ । ଗୋଟେପଟେ ଇସ୍ରାଏଲ୍-ହମାସର ଲଢ଼େଇ ଅନ୍ୟପଟେ ଋଷ-ୟୁକ୍ରେନ୍ ଯୁଦ୍ଧ । ଦେଢ଼ ବର୍ଷ ଧରି ମଣିଷ ରକ୍ତରେ ଭିଜା ଏହି ଆଫ୍ରିକୀୟ ଦେଶ । ସେହି ରକ୍ତରଞ୍ଜିତ ଦେଶ ହେଉଛି ସୁଦାନ୍, ଯାହା ଏବେ ଗୃହଯୁଦ୍ଧରେ ବିପର୍ଯ୍ୟସ୍ତ । ପ୍ରାୟ ଦେଢ଼ ବର୍ଷ ଧରି ଏହି ଦେଶର ସେନା ସୁଦାନିଜ୍ ଆର୍ମଡ ଫୋର୍ସେସ୍ ଏବଂ ଅର୍ଦ୍ଧ ସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସ ମଧ୍ୟରେ ଚାଲିଛି ରକ୍ତାକ୍ତ ସଂଘର୍ଷ । ଉତ୍ତର-ପୂର୍ବ ଆଫ୍ରିକାର ଏହି ଦେଶଟିରେ ପ୍ରାଣ ହରାଇଲେଣି ଲକ୍ଷ ଲକ୍ଷ । ସେନା ଓ ଅର୍ଦ୍ଧସାମିରକ ବଳ ମଧ୍ୟରେ ୨୦୨୩ ମସିହା ଏପ୍ରିଲ୍ ମାସରୁ ଯେଉଁ ବିରୋଧ ଆରମ୍ଭ ହୋଇଥିଲା, ତାହା ଏବେ ବି ଧାରାବାହିକ, କ୍ରମବର୍ଦ୍ଦିଷ୍ଣୁ । ଗୃହଯୁଦ୍ଧ କାରଣରୁ ଦେଶଚ୍ୟୁତ ହୋଇଛନ୍ତି ଦେଢ଼ କୋଟି । 

ଯୁଦ୍ଧର ପାର୍ଶ୍ୱପ୍ରତିକ୍ରିୟା ସ୍ୱରୂପ ସୃଷ୍ଟି ହୋଇଛି ମାନବ ସଙ୍କଟ । ଯୁଦ୍ଧ କାରଣରୁ ସାମାଜିକ, ରାଜନୈତିକ ଏବଂ ଅର୍ତନୈତିକ ସଙ୍କଟର ସମ୍ମୁଖୀନ ହେଉଛି ସୁଦାନ । ଖାଦ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ସହ ତାଳ ଦେଇ ବଢ଼ିଚାଲିଛି ଦାରିଦ୍ର୍ୟ ଏବଂ କ୍ଷୁଧା । ନିରୁପାୟ ହୋଇ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ସୁଦାନବାସୀ । ଅନ୍ୟପଟେ ସୁଦାନର ଗୃହଯୁଦ୍ଧର ସବୁଠୁ ବଡ଼ ପ୍ରଭାବ ପଡ଼ିଛି ସେଠାକାର ମହିଳାଙ୍କ ଉପରେ । ଅସହ୍ୟ ଯନ୍ତ୍ରଣା ଭିତରେ ମହିଳା ନେଉଛନ୍ତି ନିଜ ଜୀବନ । ତେବେ ଏହା ପଛରେ କାରଣ କ’ଣ ? କାହିଁକି ଆତ୍ମହତ୍ୟା କରୁଛନ୍ତି ମହିଳା ? ସୁଦାନରେ ବାସ କରୁଥିବା ମହିଳାମାନଙ୍କ ଉପରେ ଦିନକୁ ଦିନ ବଢ଼ିଚାଲିଛି ସେନା ଓ ଅର୍ଦ୍ଧ ସାମରିକ ବାହିନୀର ନିର୍ଯ୍ୟାତନା । ପ୍ରତିଦିନ ଦୁଷ୍କର୍ମ ସେଠାକାର ସାଧାରଣ ଖବର ପାଲଟିଛି । ପରିସ୍ଥିତି ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେ, ଅର୍ଦ୍ଧ ସାମରିକ ବାହିନୀର ସଦସ୍ୟମାନଙ୍କ ଶାରୀରିକ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ହାତରୁ ନିଜକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଆତ୍ମହତ୍ୟା କରୁଛନ୍ତି ଏହି ଦେଶର ଏକାଧିକ ମହିଳା । 

ସବୁଠୁ ଅଧିକ ନିର୍ଯ୍ୟାତନାର ହେଉଛନ୍ତି ଶିକାର ଗେଜିରା ସହରର ମହିଳା । କିଛି ସମାଜସେବୀଙ୍କ କହିବାନୁସାରେ, ସୁଦାନର ଅନେକ ମହିଳା ଦୁଷ୍କର୍ମର ଶିକାର ହେବା ପରେ ଏବଂ ଦୁଷ୍କର୍ମକାରୀ ହାତରୁ ନିସ୍ତାର ପାଇବା ଆଶାରେ ନିରୁପାୟ ହୋଇ ଆତ୍ମହତ୍ୟା କରିବା ଶ୍ରେୟ ବୋଲି ଭାବୁଛନ୍ତି । ସେନା ଏବଂ ଅର୍ଦ୍ଧ ସାମରିକ ବାହିନୀ ହାତରେ ପରିବାରର ପୁରୁଷମାନଙ୍କ ହତ୍ୟା ପରେ ସେହି ପରିବାରର ମହିଳାମାନେ ନିଜକୁ ଅସୁରକ୍ଷିତ ଏବଂ ଅସହାୟ ମନେ କରି କରୁଛନ୍ତି ସାମୂହିକ ଆତ୍ମହତ୍ୟା । କିଛି ମହିଳା ଅନିଚ୍ଛା ସତ୍ତ୍ୱେ କ୍ଷୁଧା ଜ୍ୱାଳା ପ୍ରଶମିତ କରିବା ଏବଂ ସନ୍ତାନମାନଙ୍କ ପେଟକୁ ମୁଠାଏ ଦାନା ଯୋଗାଇବା ଆଶାରେ ସେନା ଏବଂ ଅର୍ଦ୍ଧ ସାମରିକ ବାହିନୀର ସଦସ୍ୟଙ୍କର ହାତର ସାଜୁଛନ୍ତି କ୍ରୀଡ଼ାନକ । କିନ୍ତୁ, ଯେଉଁମାନେ ସେନା ହାତରେ ନିଜକୁ ସମର୍ପି ଦେଉନାହାନ୍ତି, ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇଯାଉଛି । ଘରୁ ଜୋର୍ ଜବରଦସ୍ତି କରି ଉଠାଇ ନେଉଛନ୍ତି ରକ୍ତମୁଖା ସେନାବାହିନୀ । ଅନ୍ୟପଟେ ସେନା ଏବଂ ଅର୍ଦ୍ଧ ସାମରିକ ବାହିନୀ ଏ ସମସ୍ତ ଘଟଣା କଥା ସ୍ୱିକାର କରିବା ପରିବର୍ତ୍ତେ ପରସ୍ପରକୁ ଦୋଷାରୋଷ କରିଚାଲିଛନ୍ତି । କିନ୍ତୁ, ସେମାନଙ୍କ ଭିତରେ ଚାଲିଥିବା ସଂଘର୍ଷ କାରଣରୁ ନୀରିହ ଲୋକଙ୍କ ଜୀବନ ଯାଉଥିବା ବେଳେ ସେମାନଙ୍କ କାମବାସନାର ଶିକାର ହେଉଛନ୍ତି ଦେଶର ଅନେକ ନିର୍ଯ୍ୟାତିତା ମହିଳା ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.