ଢେଙ୍କାନାଳ ୧୧।୪: ରୋଗାଗ୍ରସ୍ତ ବାପାକୁ କଟକ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ । ଏନଏଚ-୫୫ର ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆ ବାହାଳ ଛକ ନିକଟରେ ଶନିବାର ଏଭଳି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ତାଳଚେର ଥାନା ବନବାସୀପୁର ଗ୍ରାମର ଗୁଣନିଧି ଜ୍ୟୋତିଷ (୨୮)
ଗତ ରାତିରେ ଗୁଣନିଧି ତାଙ୍କ ରୋଗାଗ୍ରସ୍ତ ବାପା ପ୍ରଫୁଲ୍ଲ ଜ୍ୟୋତିଶ ଗୁରୁତର ହେବାରୁ ଏକ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ବାପାଙ୍କ ପାଖରେ ପରିବାରକୁ ଛାଡି ପୁଣି ସେହି ଆମ୍ବୁଲାନ୍ସରେ ତାଳଚେର ଫେରୁଥିଲେ। ରାସ୍ତା ପାର୍ଶ୍ଵରେ ଠିଆ ହୋଇ ରହିଥିବା ଏକ ଟ୍ରକ୍ ପଛରେ ଆମ୍ବୁଲାନ୍ସଟି ଖୁବ୍ ଜୋରରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗୁଣନିଧିଙ୍କ ମୃତ୍ୟୁ ଘଟିବା ସହ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ହୋଇଥିଲେ। ଆମ୍ବୁଲାନ୍ସର ଡ୍ରାଇଭରକୁ ଅନୁଗୁଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଆମ୍ବୁଲାନ୍ସ ଡ୍ରାଇଭର ମୁରଲୀଧର ନାୟକଙ୍କ ଘର ତାଳଚେର ବିକ୍ରମପୁର ଥାନା ବଡ଼ ଜୋରଡ଼ା ଗ୍ରାମରେ ।