କେନ୍ଦ୍ରାପଡା, ୨୫।୫ : ଜମିବାଡି ବିବାଦରୁ ପଥରରେ ଛେଚି ଦାଦାକୁ ହତ୍ୟାକଲା ପୁତୁରା l ରବିବାର ରାତିରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରୁ ମାତ୍ର ଶହେ ମିଟର ଦୂରରେ ସାଆନ୍ତସାହିରେ ଘଟିଛି ଏହି ଘଟଣା l ମୃତକ ସାଆନ୍ତସାହିର ସୁବାସ ବାରିକ l ଏହି ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ ୮ ଜଣଙ୍କ ନାମରେ ଏତଲା ଦିଆଯାଇଛି l ତେବେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି l
ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ସୁବାସ ଏବଂ ତାଙ୍କ ସମ୍ପର୍କୀୟ ପୁତୁରା ହିମାଂଶୁ ବାରିକଙ୍କ ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିଲା। ଏ ନେଇ ଅନେକ ଥର ଥାନାରେ ଅଭିଯୋଗ ମଧ୍ୟ ହୋଇଛି l ତେବେ ରବିବାର ପ୍ରାୟ ରାତି ୧୦ଟା ବେଳେ ସୁବାସ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଘର ଆଗରେ ହିମାଂଶୁଙ୍କ ପାଟିଗୋଳ ହୋଇଥିଲା l ଝଗଡ଼ା ବଢ଼ିବାରୁ ହିମାଂଶୁ ଉତକ୍ଷୀପ୍ତ ହୋଇ ପାଖରେ ପଡିଥିବା ଏକ ବଡ଼ ପଥରରେ ସୁବାସଙ୍କ ମୁଣ୍ଡକୁ ଛେଚି ଦେଇଥିଲେ l ଗୁରୁତର ଆହତ ଅବସ୍ଥାରେ ପରିବାର ଲୋକେ ସୁବାସ ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ୍ କରିଛନ୍ତି l କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆ ମଧ୍ୟ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରିଛନ୍ତି l
ଆହୁରି ପଢନ୍ତୁ : ୩ ଦିନ ପାଇଁ ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ