ସୋର,୧୭/୧୦ : ସୋର ଥାନା ୧୬ନମ୍ବର ଜାତୀୟ ରାଜପଥ ତଳନଗର ରେଳ ଓଭରବ୍ରିଜ ଉପରେ ଆଜି ଅପରାହ୍ନରେ ଏକ ବାଇକ ପୋଲ ବାଡ଼ାକୁ ଧକ୍କା ଦେଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ଭଦ୍ରକ ଅଂଚଳର ଲଡ଼ର ମୁର୍ମୁ ଓ ମକରନ୍ଦ ସରେନ ଆଜି ଅପରାହ୍ନରେ ଭଦ୍ରକରୁ ବାଇକ ଯୋଗେ ବାରିକପୁର ହାଟକୁ ଦ୍ରୁତଗତିରେ ଆସୁଥିଲେ । ଏହି ସମୟରେ ତଳନଗର ରେଳ ଓଭରବ୍ରିଜ ଉପରେ ଭାରସାମ୍ୟ ହରାଇ ପୋଲବାଡ଼ାକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଲଡରର ମୃତ୍ୟୁ ହୋଇଯାଇଥିବାବେଳେ ମକରନ୍ଦ ଗୁରୁତର ହୋଇଥିଲେ। ଖବରପାଇ ଜାତୀୟ ରାଜପଥ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ସୋର ତହସିଲଦାର ଦୈତାରୀ ମଲ୍ଲିକ, ସୋର ଥାନା ଏସଆଇ ପ୍ରଭାକର ସାହୁ ଏବଂ ଏଏସଆଇ କେଶବ ବେଶ୍ରା ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସରେ ସୋର ମେଡ଼ିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରି ସୋର ଥାନାରେ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।