ଗୋପାଳପୁର,୨୦/୫: ଗୋପାଳପୁର ଜେଟି ନିକଟରେ ଆଜି ଭୋର ପ୍ରାୟ ସାଢେ ୫ଟା ସମୟରେ ମାଛ ମାରିବାକୁ ସମୁଦ୍ର ଭିତରକୁ କାତ ଡ଼ଙ୍ଗାରେ ୫ ଜଣ ଯାଉଥିବା ବେଳେ ଡ଼ଙ୍ଗା ଓଲଟି ଜଣେ ନିଖୋଜ ଥିବା ବେଳେ ଚାରି ଜଣ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ନିଖୋଜ ଥିବା ବ୍ୟକ୍ତି ଜଣକ ହେଲେ ଗୋପାଳପୁର ସତ୍ୟ ସାଇବାବା ସାହିର ବି.ଜେଙ୍ଗମେୟା। ତାଙ୍କର ବୟସ ୩୮ ବୋଲି ଜଣାପଡ଼ିଛି l
ସୂଚନା ପ୍ରକାରେ ଆଜି ଭୋର ପ୍ରାୟ ସାଢେ ୫ ଟା ସମୟରେ କାତ ଡ଼ଙ୍ଗା ସାହାଯ୍ୟରେ ମାଛ ମାରିବାକୁ ୫ ଜଣ ବି.ଜେଙ୍ଗମେୟା, ବି.ବାସୁ, ଏ.ଚିନା, କେ.ଚି଼ନେୟା ଓ ପି.ସିମାଦ୍ରୀ ସମୁଦ୍ର ଭିତରକୁ ଯାଉଥିବା ବେଳେ ପ୍ରାୟ ୧୦୦ ମିଟର ଦୂରତାରେ ଏକ ଉଚ୍ଚ ଜୁଆର ମାଡ଼ ଦେବାରୁ ଡ଼ଙ୍ଗାଟି ଓଲଟି ଯାଇଥିଲାl ସେଥିରୁ ଚାରି ଜଣ ବର୍ତ୍ତି ଜାଇ କୂଳକୁ ଫେରି ଥିଲେ l କିନ୍ତୁ ବି.ଜେଙ୍ଗମେୟା କୂଳକୁ ଫେରି ପାରି ନଥିଲେ। ପରେ ପୂର୍ବରୁ ମାଛ ମାରିବାକୁ ଯାଇଥିବା ଡ଼ଙ୍ଗା ଜାଲ ବିଛାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ l କିନ୍ତୁ କୌଣସି ସନ୍ଧାନ ନ ମିଳିବାରୁ ଅପରାହ୍ନରେ ନିଖୋଜର ପତ୍ନୀ ବି.ପୋତାମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି l