ପୁରୀ,୦୬/୧୧: ମାସକ ଯାକର ଧରମ ସାରି ଘରକୁ ବାହୁଡ଼ିଛନ୍ତି ହବିଷ୍ୟାଳି । ସାଥୀରେ ନେଇ ଯାଇଛନ୍ତି ମାସବ୍ୟାପୀ ସୁଖଦୁଃଖ ଅନୁଭୂତି  ଏବଂ ଯୋଡ଼ି ହୋଇଥିବା ନୂଆ ସଂପର୍କ । ଜଗାକୁ ଛାଡ଼ିଯିବାକୁ ଇଚ୍ଛା ନଥିଲେ ବି ସମୟ ଫେରିବାର ଡାକରା ଦେଇଛି । ମୋହମାୟା ତୁଟାଇ ସାଂସାରିକ  ଜୀବନଠାରୁ ଦୂରରେ ବିତେଇଥିବା ସେ ମୁହୂର୍ତ୍ତ  ସବୁ ସ୍ମୃତି ପାଲଟିଛି । ସେଇ ସାଇତା ସ୍ମୃତିକୁ  ସାଥି କରି ଲୁହ ଭିଜା ଆଖିରେ ହବିଷ୍ୟାଳି  ଶିବିରରୁ ବିଦାୟ ନେଇଛନ୍ତି ହବିଷ୍ୟାଳି ମା। 

ବୁଧବାର ପାହାନ୍ତାରୁ ହବିଷ୍ୟାଳିମାନେ  ଘରକୁ ଫେରିବା ଆରମ୍ଭ କରିଥିଲେ । ନରେନ୍ଦ୍ର ପୁଷ୍କରିଣୀରେ ଡଙ୍ଗା ଭସାଇ ମାମାନେ ଘରକୁ  ଯିବା ପାଇଁ ନିଜ କକ୍ଷ ଖାଲି କରିଥିଲେ । ଅଧିକାଂଶ  ହବିଷ୍ୟାଳିଙ୍କୁ ନେବାକୁ ତାଙ୍କ ଘର ଲୋକ ଶିବିର  ବାହାରେ ଭିଡ଼ ଜମାଇଥିଲେ । ଅନେକ ନିଜେ ଗାଡ଼ି କରି ଘରକୁ ଯାଇଥିଲେ । ହବିଷ୍ୟାଳିଙ୍କ  ଆସବାବପତ୍ର ବୋହିବାରେ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ । ସମସ୍ତ ଜିନିଷ ଧରି  ଶିବିର ମଧ୍ୟରେ ଥିବା କଣ୍ଟ୍ରୋଲ ରୁମ୍‌ରେ ନିଜର ଆଇ କାର୍ଡ ଜମା ପରେ ହବିଷ୍ୟାଳିଙ୍କୁ ବାହାରକୁ  ଯିବାକୁ ଅନୁମତି ଦିଆଯାଇଥିଲା । ହବିଷ୍ୟାଳିଙ୍କ  ସଂପର୍କୀୟଙ୍କୁ ଶିବିର ଭିତରକୁ ଆସିବାକୁ ଅନୁମତି  ମିଳିନଥିଲା । ସେମାନେ ଗେଟ୍‌ ବାହାରେ ରହି  ନିଜ ସଂପର୍କୀୟଙ୍କୁ ନେବାକୁ ଅପେକ୍ଷା କରିଥିଲେ ।  ସମସ୍ତ ହବିଷ୍ୟାଳିଙ୍କର ଲଗେଜ୍‌ଗୁଡ଼ିକୁ ସୁରକ୍ଷାକର୍ମୀ  ତନଖି କରି ଶିବିର ବାହାରକୁ ଛାଡ଼ିଥିଲେ ।

ମଙ୍ଗଳବାର ରାତି ୧୨ଟାରୁ ଶିବିରରେ ରହୁଥିବା ଅନେକ ହବିଷ୍ୟାଳି ବାହାରକୁ ଆସି ଡଙ୍ଗା ଭସାଇବାକୁ ଜିଦ୍‌ କରିଥିଲେ । ସେମାନଙ୍କ  ସୁରକ୍ଷା ଦୃଷ୍ଟିରୁ ଗେଟ୍‌ ଖୋଲାଯାଇନଥିଲା ।  ରାତି ପାଖାପାଖି ୩ଟା ବେଳକୁ ଶିବିରର ଗେଟ୍‌  ଖୋଲାଯାଇ ହବିଷ୍ୟାଳିଙ୍କୁ ଡଙ୍ଗା ଭସାଇବାକୁ  ଅନୁମତି ଦିଆଯାଇଥିଲା । ବୃନ୍ଦାବତୀ ନିବାସ  ଶିବିରଠାରୁ ନରେନ୍ଦ୍ର ପୁଷ୍କରିଣୀ ନିକଟତର  ହୋଇଥିବାରୁ ଏଠାରେ ରହୁଥିବା ହବିଷ୍ୟାଳିଙ୍କୁ  ଡଙ୍ଗା ଭସାଇବାକୁ ଅନୁମତି ଦିଆଯାଇଥିଲା ।  ଅନ୍ୟ ସମସ୍ତ ଶିବିରଠାରୁ ତୀର୍ଥ ପୁଷ୍କରିଣୀଗୁଡ଼ିକ  ଦୂରରେ ଥିବାରୁ ଏଠାରେ ଥିବା ହବିଷ୍ୟାଳି  ଶିବିର ଭିତରେ କୁଣ୍ଡରେ ଡଙ୍ଗା ଭସାଇଥିଲେ ।  ସମୁଦ୍ରକୁ ଡଙ୍ଗା ଭସାଇବା ପାଇଁ ଛାଡ଼ିବାକୁ  ହବିଷ୍ୟାଳିମାନେ ଜିଦ୍‌ କରିଥିଲେ ମଧ୍ୟ ସୁରକ୍ଷା  ଦୃଷ୍ଟିରୁ ଛଡ଼ାଯାଇନଥିଲା । ଘର ଲୋକ ଆସିବା  ପରେ ଅନେକ ହବିଷ୍ୟାଳି ସେମାନଙ୍କ ସାଥୀରେ  ଯାଇ ଡଙ୍ଗା ଭସାଇବାର ସୁଯୋଗ ପାଇଥିଲେ ।

ଶିବିରରେ ଅନ୍ତିମ ଦିବସରେ ମଧ୍ୟ  ହବିଷ୍ୟାଳିମାନେ ଚଉରା ପୂଜା କରିବାକୁ ଭୁଲି  ନଥିଲେ । ଅଧିକାଂଶ ହବିଷ୍ୟାଳି ସବୁଦିନ ଭଳି ଝୋଟି ମୁରୁଜ ପକାଇ କାର୍ତ୍ତିକ ବହି ପଢ଼ି ଚଉରା ପୂଜା ସାରି ନିଜ ନିଜ ଘରକୁ ଫେରିଥିଲେ । ହବିଷ୍ୟାଳି ମାମାନେ ଶିବିରରୁ ବିଦାୟ ନେବା  ବେଳେ କୋହଭରା ସ୍ଥିତି ସୃଷ୍ଟି ହୋଇଥିଲା । କିଏ ଶିବିରରେ ଥିବା ନିଜର ବନ୍ଧୁଙ୍କୁ କୁଣ୍ଢାଇ  କାନ୍ଦୁଥିଲା ତ କିଏ ସ୍ୱେଚ୍ଛାସେବୀ ମାମାନଙ୍କୁ ଧରି  ବାହୁନୁଥିଲା । ଆଉ କିଏ କାଗଜରେ ଫୋନ  ନମ୍ବର ଟିପି ନେଉଥିଲା । ବୁଧବାର ଦିନତମାମ  ହବିଷ୍ୟାଳିମାନଙ୍କର ଘରକୁ ବାହୁଡ଼ି ଥି