ନୂଆଦିଲ୍ଲୀ, ୦୧/୦୬: କେନ୍ଦ୍ର  ସରକାର ଏକ ଦେଶ-ଏକ ନିର୍ବାଚନ ଲାଗୁ  କରିବାକୁ ସୁରକ୍ଷିତ ରାସ୍ତା ଖୋଜୁଛନ୍ତି । ଯୁଗ୍ମ  ସଂସଦୀୟ କମିଟି (ଜେପିସି) ସହ ଜଡିତ  ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମିଟି  ‘୨ ଫେଜ୍‌ ଟ୍ରାଞ୍ଜିସନ ମଡେଲ’ ଉପରେ ବିଚାର  କରୁଛନ୍ତି । ଯେଉଁଥିରେ ରାଜ୍ୟଗୁଡିକରେ  ବାରମ୍ବାର ନିର୍ବାଚନ କରାଇବା କିମ୍ବା ବିଧାନସଭାର କାର୍ଯ୍ୟକାଳରେ ବଡ କାଣ୍ଟଛାଟ  କରିବାର ଆବଶ୍ୟକତା ପଡିବନି ।

ସମଗ୍ର ଦେଶକୁ ଗୋଟିଏ ନିର୍ବାଚନ  ଚକ୍ରକୁ ଆଣିବା ବଦଳରେ ଦୁଇଟି ପର୍ଯ୍ୟାୟ  (୨୦୨୯ ଓ ୨୦୩୪)ରେ କରିବାକୁ ସବୁଠାରୁ  ଶ୍ରେଷ୍ଠ ତଥା ବ୍ୟବହାରିକ ବିକଳ୍ପ ଭାବେ  ବିଚାର କରାଯାଉଛି । ଏଭଳି ହେଲେ ପ୍ରଥମ  ପର୍ଯ୍ୟାୟରେ ୨୦୨୯ରେ ଲୋକସଭା ନିର୍ବାଚନ  ସହ ୨୦ଟି ରାଜ୍ୟର ବିଧାନସଭା ନିର୍ବାଚନ  କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୨୦୩୪ରେ  ଲୋକସଭା ନିର୍ବାଚନ ସହ ସବୁ ବିଧାନସଭା  ନିର୍ବାଚନ ହେବ । ଜେପିସିର ଅବଧି ୨୦୨୬  ସଂସଦର ମୌସୁମୀ ଅଧିବେଶନ ପର୍ଯ୍ୟନ୍ତ  ବଢ଼ାଯାଇଛି । ୨୦୨୯ରୁ ନିର୍ବାଚନ ଚକ୍ର  ଗୋଟିଏ କରିବା ପ୍ରକ୍ରିୟା ଆରମ୍ଭ ହୋଇପାରେ ।  ଯାହାଫଳରେ ୨୦୩୪ ବେଳକୁ ସମଗ୍ର  ଦେଶକୁ ଗୋଟିଏ ନିର୍ବାଚନ ଚକ୍ର ମଧ୍ୟକୁ  ଅଣାଯାଇପାରିବ ।

ଲ କମିଶନ୍‌ର ପୂର୍ବତନ  ସଦସ୍ୟ ଆନନ୍ଦ ପଲିୱାଲଙ୍କ କହିବାନୁଯାୟୀ  ଏକ ଦେଶ-ଏକ ନିର୍ବାଚନ ପର୍ଯ୍ୟାୟକ୍ରମେ  ଲାଗୁ କରିବା ଲାଗି ସାମ୍ବିଧାନିକ ବିକଳ୍ପ ଉପଲବ୍ଧ  ରହିଛି । କେତେକ ରାଜ୍ୟରେ ବିଧାନସଭାର  କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେଠାରେ  ନିର୍ବାଚନ କରାଯାଇପାରେ । ସେହିଭଳି କିଛି  ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ବୃଦ୍ଧି  କରିବାର ବିକଳ୍ପ ମଧ୍ୟ ଅଛି । ପୂର୍ବରୁ ବି ଦେଶରେ ବିଶେଷ ପରିସ୍ଥିତରେ ଲୋକସଭା  ଓ ବିଧାନସଭାର କାର୍ଯ୍ୟକାଳରେ ପରିବର୍ତ୍ତନ  କରାଯାଇଛି । କିନ୍ତୁ କୌଣସି ବଡ ପରିବର୍ତ୍ତନ  କରିବାକୁ ହେଲେ ସଂସଦର ଅନୁମୋଦନ ଓ  ବିଭିନ୍ନ ରାଜନୈତିକ ଦଳମାନଙ୍କର ସହମତି  ନିହାତି ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ଦେଶରେ ଏକ ସମୟରେ ଲୋକସଭା  ଓ ବିଧାନସଭା ନିର୍ବାଚନ କରାଇବା ଲାଗି  ଉଦ୍ଦିଷ୍ଟ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥାକୁ ସରକାର ସମର୍ଥନ କରିଥିବା ବେଳେ ବିରୋଧୀ ଦଳଗୁଡିକ ବିରୋଧ କରୁଛନ୍ତି । ସରକାରଙ୍କ ଯୁକ୍ତି ହେଉଛି କି ବାରମ୍ବାର ନିର୍ବାଚନ କରାଯିବା ଦ୍ୱାରା ବିପୁଳ ଅର୍ଥ ଓ ସମୟ ଖର୍ଚ୍ଚ ହେଉଛି । ସେହିଭଳି ଆଦର୍ଶ ଆଚରଣ ବିଧି ଲାଗୁ ହେବା ଯୋଗୁ ବିକାଶ କାର୍ଯ୍ୟ ପ୍ରଭାବିତ ହେଉଛି । ପ୍ରଶାସନିକ କଳର ବଡ ସମୟ ନିର୍ବାଚନରେ ଲାଗୁଛି । ଅନ୍ୟପକ୍ଷରେ ବିରୋଧୀଙ୍କ ଯୁକ୍ତି ହେଲା ବିଧାନସଭାର କାର୍ଯ୍ୟକାଳ ବଢ଼ାଇବା କିମ୍ବା କମାଇବା ଫଳରେ ଜନାଦେଶ ଓ ସଂଘୀୟ ଢ଼ାଞ୍ଚା ପ୍ରଭାବିତ ହେବ । ରାଷ୍ଟ୍ରୀୟ ହାୱାରେ ସ୍ଥାନୀୟ କିମ୍ବା ଆଞ୍ଚଳିକ ପ୍ରସଙ୍ଗ ହଜିଯିବ । ଦେଶରେ ୧୯୫୨ରୁ ୧୯୬୭ ପର୍ଯ୍ୟନ୍ତ  ଅର୍ଥାତ ୪ଥର ଲୋକସଭା ଓ ବିଧାନସଭା  ନିର୍ବାଚନ ଏକାଠି ହୋଇଥିଲା । ୧୯୬୭  ପରେ କେତେକ ରାଜ୍ୟରେ ସରକାର  ଭାଙ୍ଗି ଯାଇଥିଲା । ୧୯୬୮-୬୯ରେ  କେତେକ ରାଜ୍ୟରେ ବିଧାନସଭାକୁ ଭଙ୍ଗ  କରାଯାଇଥିଲା । ୧୯୭୦ରେ ଲୋକସଭାର  କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହାକୁ ଭାଙ୍ଗି ଦିଆଯାଇଥିଲା । ଫଳରେ ଦେଶର ଗୋଟିଏ  ନିର୍ବାଚନ ଚକ୍ର ବ୍ୟବସ୍ଥା ଭୁଶୁଡି ପଡିଥିଲା ।

ଅଧିକ ପଢ଼ନ୍ତୁ :-  ମମତା ବାନାର୍ଜୀଙ୍କୁ ଝଟକା, ଟିଏମସିର ବୈଠକରେ ୮୦ ରୁ ୬୦ ବିଧାୟକ ଗାଏବ