ନୂଆଦିଲ୍ଲୀ, ୦୧/୦୬: କେନ୍ଦ୍ର ସରକାର ଏକ ଦେଶ-ଏକ ନିର୍ବାଚନ ଲାଗୁ କରିବାକୁ ସୁରକ୍ଷିତ ରାସ୍ତା ଖୋଜୁଛନ୍ତି । ଯୁଗ୍ମ ସଂସଦୀୟ କମିଟି (ଜେପିସି) ସହ ଜଡିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମିଟି ‘୨ ଫେଜ୍ ଟ୍ରାଞ୍ଜିସନ ମଡେଲ’ ଉପରେ ବିଚାର କରୁଛନ୍ତି । ଯେଉଁଥିରେ ରାଜ୍ୟଗୁଡିକରେ ବାରମ୍ବାର ନିର୍ବାଚନ କରାଇବା କିମ୍ବା ବିଧାନସଭାର କାର୍ଯ୍ୟକାଳରେ ବଡ କାଣ୍ଟଛାଟ କରିବାର ଆବଶ୍ୟକତା ପଡିବନି ।
ସମଗ୍ର ଦେଶକୁ ଗୋଟିଏ ନିର୍ବାଚନ ଚକ୍ରକୁ ଆଣିବା ବଦଳରେ ଦୁଇଟି ପର୍ଯ୍ୟାୟ (୨୦୨୯ ଓ ୨୦୩୪)ରେ କରିବାକୁ ସବୁଠାରୁ ଶ୍ରେଷ୍ଠ ତଥା ବ୍ୟବହାରିକ ବିକଳ୍ପ ଭାବେ ବିଚାର କରାଯାଉଛି । ଏଭଳି ହେଲେ ପ୍ରଥମ ପର୍ଯ୍ୟାୟରେ ୨୦୨୯ରେ ଲୋକସଭା ନିର୍ବାଚନ ସହ ୨୦ଟି ରାଜ୍ୟର ବିଧାନସଭା ନିର୍ବାଚନ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୨୦୩୪ରେ ଲୋକସଭା ନିର୍ବାଚନ ସହ ସବୁ ବିଧାନସଭା ନିର୍ବାଚନ ହେବ । ଜେପିସିର ଅବଧି ୨୦୨୬ ସଂସଦର ମୌସୁମୀ ଅଧିବେଶନ ପର୍ଯ୍ୟନ୍ତ ବଢ଼ାଯାଇଛି । ୨୦୨୯ରୁ ନିର୍ବାଚନ ଚକ୍ର ଗୋଟିଏ କରିବା ପ୍ରକ୍ରିୟା ଆରମ୍ଭ ହୋଇପାରେ । ଯାହାଫଳରେ ୨୦୩୪ ବେଳକୁ ସମଗ୍ର ଦେଶକୁ ଗୋଟିଏ ନିର୍ବାଚନ ଚକ୍ର ମଧ୍ୟକୁ ଅଣାଯାଇପାରିବ ।
ଲ କମିଶନ୍ର ପୂର୍ବତନ ସଦସ୍ୟ ଆନନ୍ଦ ପଲିୱାଲଙ୍କ କହିବାନୁଯାୟୀ ଏକ ଦେଶ-ଏକ ନିର୍ବାଚନ ପର୍ଯ୍ୟାୟକ୍ରମେ ଲାଗୁ କରିବା ଲାଗି ସାମ୍ବିଧାନିକ ବିକଳ୍ପ ଉପଲବ୍ଧ ରହିଛି । କେତେକ ରାଜ୍ୟରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେଠାରେ ନିର୍ବାଚନ କରାଯାଇପାରେ । ସେହିଭଳି କିଛି ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ବୃଦ୍ଧି କରିବାର ବିକଳ୍ପ ମଧ୍ୟ ଅଛି । ପୂର୍ବରୁ ବି ଦେଶରେ ବିଶେଷ ପରିସ୍ଥିତରେ ଲୋକସଭା ଓ ବିଧାନସଭାର କାର୍ଯ୍ୟକାଳରେ ପରିବର୍ତ୍ତନ କରାଯାଇଛି । କିନ୍ତୁ କୌଣସି ବଡ ପରିବର୍ତ୍ତନ କରିବାକୁ ହେଲେ ସଂସଦର ଅନୁମୋଦନ ଓ ବିଭିନ୍ନ ରାଜନୈତିକ ଦଳମାନଙ୍କର ସହମତି ନିହାତି ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।
ଦେଶରେ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଲାଗି ଉଦ୍ଦିଷ୍ଟ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥାକୁ ସରକାର ସମର୍ଥନ କରିଥିବା ବେଳେ ବିରୋଧୀ ଦଳଗୁଡିକ ବିରୋଧ କରୁଛନ୍ତି । ସରକାରଙ୍କ ଯୁକ୍ତି ହେଉଛି କି ବାରମ୍ବାର ନିର୍ବାଚନ କରାଯିବା ଦ୍ୱାରା ବିପୁଳ ଅର୍ଥ ଓ ସମୟ ଖର୍ଚ୍ଚ ହେଉଛି । ସେହିଭଳି ଆଦର୍ଶ ଆଚରଣ ବିଧି ଲାଗୁ ହେବା ଯୋଗୁ ବିକାଶ କାର୍ଯ୍ୟ ପ୍ରଭାବିତ ହେଉଛି । ପ୍ରଶାସନିକ କଳର ବଡ ସମୟ ନିର୍ବାଚନରେ ଲାଗୁଛି । ଅନ୍ୟପକ୍ଷରେ ବିରୋଧୀଙ୍କ ଯୁକ୍ତି ହେଲା ବିଧାନସଭାର କାର୍ଯ୍ୟକାଳ ବଢ଼ାଇବା କିମ୍ବା କମାଇବା ଫଳରେ ଜନାଦେଶ ଓ ସଂଘୀୟ ଢ଼ାଞ୍ଚା ପ୍ରଭାବିତ ହେବ । ରାଷ୍ଟ୍ରୀୟ ହାୱାରେ ସ୍ଥାନୀୟ କିମ୍ବା ଆଞ୍ଚଳିକ ପ୍ରସଙ୍ଗ ହଜିଯିବ । ଦେଶରେ ୧୯୫୨ରୁ ୧୯୬୭ ପର୍ଯ୍ୟନ୍ତ ଅର୍ଥାତ ୪ଥର ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହୋଇଥିଲା । ୧୯୬୭ ପରେ କେତେକ ରାଜ୍ୟରେ ସରକାର ଭାଙ୍ଗି ଯାଇଥିଲା । ୧୯୬୮-୬୯ରେ କେତେକ ରାଜ୍ୟରେ ବିଧାନସଭାକୁ ଭଙ୍ଗ କରାଯାଇଥିଲା । ୧୯୭୦ରେ ଲୋକସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହାକୁ ଭାଙ୍ଗି ଦିଆଯାଇଥିଲା । ଫଳରେ ଦେଶର ଗୋଟିଏ ନିର୍ବାଚନ ଚକ୍ର ବ୍ୟବସ୍ଥା ଭୁଶୁଡି ପଡିଥିଲା ।
ଅଧିକ ପଢ଼ନ୍ତୁ :- ମମତା ବାନାର୍ଜୀଙ୍କୁ ଝଟକା, ଟିଏମସିର ବୈଠକରେ ୮୦ ରୁ ୬୦ ବିଧାୟକ ଗାଏବ