ତିଗିରିଆ,୧। ୭ ( ଆ.ପ୍ର ) : ତେଲଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲା ଅନ୍ତର୍ଗତ ପଶମିଲାରାମ ଶିଳ୍ପାଞ୍ଚଳରେ ଥିବା ସିଗାଚି ଫାର୍ମା କମ୍ପାନୀରେ ହୋଇଥିବା ବିସ୍ଫୋରଣରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଇକିଆଁରା ଗ୍ରାମରେ ଜଣେ ଯୁବକର ମୃତ୍ୟୁ ହୋଇଛି । ଉକ୍ତ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ମାନସ ଦୁଆରିଙ୍କ ପୁଅ ଲଗ୍ନଜିତ ଦୁଆରି (୨୧) l
ମାନସ ଦୁଆରି ଜଣେ ପରିବା ବ୍ୟବସାୟୀ। ଘରେ ଟଙ୍କାର ଆବଶ୍ୟକତା ଥିବାରୁ ପୁଅ ଲଗ୍ନଜିତ୍ ଘରୁ ଗୋଡ କାଢିଥିଲେ ରୋଜଗାର କରିବା ପାଇଁ l ଉକ୍ତ କମ୍ପାନୀରେ ପୂର୍ବରୁ କାମ କରୁଥିବା ନିଜ ମାମୁଁ ତାଙ୍କ ପାଇଁ ଏହି କମ୍ପାନୀରେ କାର୍ଯ୍ୟ ବୁଝି ଦେଇଥିଲେ l ଉକ୍ତ ରାସାୟନିକ କାରଖାନାରେ ସୋମବାର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ କାରଖାନା ପରିସରରେ ନିଆଁ ଲାଗିଯାଇଥିଲା ।ଏହି ଘଟଣାରେ ମୋଟ ୩୮ ଜଣ ମୃତ୍ୟୁ ଘଟିଥିବା ବେଳେ ଲଗ୍ନଜିତ୍ ଏକମାତ୍ର ଓଡ଼ିଆ ବୋଲି ଜଣାପଡିଛି। ତେବେ କମ୍ପାନୀ ତରଫରୁ ମଙ୍ଗଳବାର ଅପରାହ୍ନରେ ତାଙ୍କ ଶବକୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ପଠାଯାଇଥିଲା ବେଳେ ବୁଧବାର ଅପରାହ୍ନ ବେଳକୁ ମରଶରୀର ପାଇକିଆଁରା ଗ୍ରାମରେ ପହଞ୍ଚିବ ବୋଲି ଜଣାପଡିଛି l ତେବେ ଏକ ମାତ୍ର ରୋଜଗାରିଆ ପୁଅର ଅକାଳ ମୃତ୍ୟୁରେ ମାନସଙ୍କ ପୁରା ପରିବାର ଭାଙ୍ଗି ପଡିଥିଲା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l