ନୂଆଦିଲ୍ଲୀ,୨୩/୧୧: ଇଲେକ୍ଟ୍ରିକ୍ ମୋବିଲିଟି ଆଡ଼କୁ ଅଗ୍ରସର ହେଉଛି ଭାରତ । ଦେଶର ଇଭି ବଜାରକୁ ଆଗେଇ ନେବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ ଚଳାଇଛନ୍ତି ସରକାର । ସ୍ଥାନୀୟ ଉତ୍ପାଦନକୁ ବଢ଼ାଇବାକୁ ପିଏଲ୍ଆଇ(ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ) ସ୍କିମ୍ କାର୍ଯ୍ୟ କରୁଛି । ଘରୋଇ ବଜାରରେ ଉତ୍ପାଦନ ବୃଦ୍ଧି ଲାଗି ଏ ସ୍କିମ୍ ଅଧୀନରେ କମ୍ପାନିଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି । କିନ୍ତୁ ଚିନ୍ତାର ବିଷୟ ହେଉଛି, ସ୍କିମ ପୂର୍ଣ୍ଣ ଉପଯୋଗ ହୋଇପାରୁନାହିଁ । କାରଣ ଭାରତର ଇିଭି ବିନିର୍ମାଣ ଇକୋସିଷ୍ଟମ୍ ଏବେ ବି ଚୀନ୍ ଉପରେ ନିର୍ଭରଶୀଳ । ଇଲେକ୍ଟ୍ରିକ୍ ଯାନ ପ୍ରସ୍ତୁତି ବେଳେ ଚୀନ୍ ଉପକରଣ ଏବଂ ଟେକ୍ନୋଲୋଜି ଉପରେ ବଡ଼ ଆକାରରେ ନିର୍ଭର କରୁଛି ଭାରତର ଇଲେକ୍ଟ୍ରିକ୍ କାର ବଜାର ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତରେ ଏବେ ଯେତିକି ଇଲେକ୍ଟ୍ରିକ୍ ଗାଡ଼ି ମଡେଲ ବିକ୍ରି ହେଉଛି, ସେଥିମଧ୍ୟରୁ ମାତ୍ର ୧୩% ହିଁ ସରକାରଙ୍କ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମ୍ର ଲାଭ ନେବା ପାଇଁ ଯୋଗ୍ୟ ରହିଛନ୍ତି । ଅବଶିଷ୍ଟ ୮୭% ମଡେଲକୁ ଅଯୋଗ୍ୟ ବିବେଚିତ କରାଯାଇଛି । କାରଣ ଏସବୁରେ ବ୍ୟବହାର ହେଉଥିବା ବଡ଼ ଭାଗ ଯନ୍ତ୍ରାଂଶ ଚୀନ୍ରୁ ଆମଦାନି କରାଯାଉଛି । ଦେଶରେ ବିକ୍ରି ହେଉଥିବା ପ୍ରତି ୪୬ ଇଲେକ୍ଟ୍ରିକ୍ ଯାନ(ଇଭି) ମଧ୍ୟରୁ ମାତ୍ର ୬ଟି ପିଏଲ୍ଆଇର ଲାଭ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ପ୍ରକାଶଯୋଗ୍ୟ, ସ୍ଥାନୀୟ ଉପକରଣ ବ୍ୟବହାରରେ ପ୍ରସ୍ତୁତ ଇଭିଗୁଡ଼ିକୁ ହିଁ ପିଏଲ୍ଆଇ ସ୍କିମ୍ର ଲାଭ ମିଳିଥାଏ । ପିଏଲ୍ଆଇ ପାଇଁ ସରକାର କେବଳ ଟାଟା ମୋଟର୍ସର ପଞ୍ଚ୍ ଇଭି, ନେକ୍ସନ ଇଭି, ହ୍ୟାରିୟର ଇଭି, ଟିଆଗୋ ଇଭି, ଟିଗୋର ଇଭି, ମହିନ୍ଦ୍ରାର ଏକ୍ସଇଭି୯ଇ ଆଦି ମଡେଲଗୁଡ଼ିକୁ ମଞ୍ଜୁରି ଦେଇଛନ୍ତି ।
ବିଏମ୍ଡବ୍ଲ୍ୟୁ, ମର୍ସିଡିଜ୍ ବେଞ୍ଜ୍, ଜେଏସ୍ଡବ୍ଲ୍ୟୁ-ଏମ୍ଜି, ହ୍ୟୁଣ୍ଡାଇ, କିଆ, ଟେସ୍ଲା, ଭଲ୍ଭୋ , ଭିନ୍ଫାଷ୍ଟ, ଅଡି, ସିଟ୍ରୋଏନ୍ ଭଳି କମ୍ପାନିଗୁଡ଼ିକର ମଡେଲ୍ରେ ୬୦%ରୁ ଅଧିକ ଆମଦାନି ଉପକରଣ ଥିବାରୁ ଏଗୁଡ଼ିକ ପିଏଲ୍ଆଇ ସ୍କିମ୍ରେ ଫେଲ୍ ହୋଇଛନ୍ତି । ଇଭି ପ୍ରସ୍ତୁତ କରିବା ପାଇଁ ସବୁଠୁ ମହଙ୍ଗା ଏବଂ ଟେକ୍-ହେଭି ପାର୍ଟସ ଏବେ ବି ଭାରତରେ ପ୍ରସ୍ତୁତ ହେଉନାହିଁ ।
ଇଭି ପ୍ରସ୍ତୁତି ଲାଗି ଗୁରୁତ୍ୱପୂର୍ଣ୍ଣ ପାର୍ଟସଗୁଡ଼ିକ ଚୀନ୍ ଏବଂ ତାଇୱାନ୍ରୁ ଆମଦାନି କରାଯାଉଛି । ଏଥିରେ ଲିଥିୟମ୍-ଆୟନ ବ୍ୟାଟେରି ସେଲ୍, ରେୟାର୍ ଆର୍ଥ ମ୍ୟାଗ୍ନେଟ୍, ସେମିକଣ୍ଡକ୍ଟର ଚିପ୍ସ, ଡିସି ମୋଟର୍ସ, ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ, ରିଲେ, କନ୍ଭର୍ଟର ଏବଂ କନେକ୍ଟର ଆଦି ରହିଛି ।
ଏକ ୟୁରୋପୀୟ କମ୍ପାନିର ଅଧିକାରୀ କୁହନ୍ତି, ଇଭି ବର୍ଗ ଏବେ ନୂଆ । ଏହାନିମନ୍ତେ ଯୋଗାଣ ଶୃଙ୍ଖଳ ପ୍ରସ୍ତୁତ ହୋଇନାହିଁ । ଭାରତରେ ଇଭିର ଆଦୃତି ଆହ୍ୱାନମୂଳକ ରହିଛି । ସ୍ଥାନୀୟ ଯୋଗାଣ ଶୃଙ୍ଖଳ ପରିପକ୍ୱ ହୋଇନାହିଁ । ଏହାସହିତ ବିନା ଭଲ୍ୟୁମ୍ରେ ଯୋଗାଣକାରୀମାନେ ଭାରତ ଆସିବାକୁ କୁଣ୍ଠାବୋଧ କରୁଛନ୍ତି ।
ପିଏଲ୍ଆଇ ସ୍କିମ୍ର ଲକ୍ଷ୍ୟ ହେଉଛି, ଆଗାମୀ ୫ ବର୍ଷରେ ଦେଶରେ ଇଭି ଉତ୍ପାଦନ କ୍ଷମତା ୬୦% ପର୍ଯ୍ୟନ୍ତ ବଢ଼ାଇ ୫୦ଜିଡବ୍ଲ୍ୟୁଏଚ୍ କରିବା । ତେବେ ସେଲ୍ ଉତ୍ପାଦନରେ ନିବେଶ ଏବଂ ଅନ୍ୟ ସମସ୍ୟାଗୁଡ଼ିକ କାରଣରୁ ଏ ଲକ୍ଷ୍ୟ ହାସଲ କରିବା ମୁସ୍କିଲ ହୋଇଛି । ଏକ ସର୍ବେକ୍ଷଣ ଅନୁସାରେ, ଭାରତର ଅଟୋମୋବାଇଲ କ୍ଷେତ୍ର ପାଇଁ ଲୋକାଲାଇଜେସନ୍ ସର୍ବଦା ଆହ୍ୱାନମୂଳକ ରହିଛି । କୋଭିଡ୍ ପରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ସମସ୍ୟା ବଢ଼ିବା ଦ୍ୱାରା ସ୍ଥାନୀୟ ବଜାରରେ ଉତ୍ପାଦନ ବୃଦ୍ଧି ମହତ୍ୱପୂର୍ଣ୍ଣ ପାଲଟିଛି।
ସୂଚନାଯୋଗ୍ୟ, ପିଏଲ୍ଆଇ ସ୍କିମ୍ର ଲାଭ ନେବାକୁ ହେଲେ ଅଟୋନିର୍ମାତାଙ୍କୁ ଅତିକମ୍ରେ ୫୦% ଡୋମେଷ୍ଟିକ୍ ଭ୍ୟାଲ୍ୟୁ ଆଡିସନ୍(ଡିଭିଏ)ର ଆବଶ୍ୟକତା ରହିଛି ।