ଭୁବନେଶ୍ଵର, ୦୧/୦୪ : OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ। ପ୍ଲଟ୍ ପ୍ରେମୀ କୁବେର ବାବୁଙ୍କ ସୁନା ସଉକ। ରେଡ୍ ବେଳେ ବାବୁଙ୍କ ଘରୁ ମିଳିଥିଲା ୧ କେଜି ୧୪୦ ଗ୍ରାମ ସୁନା। ନଗଦ ୪୮ ଲକ୍ଷ ୭୯ ହଜାର ଟଙ୍କା ଠାବ କରିଥିଲା ଭିଜିଲାନ୍ସ। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ଠାବ ହୋଇଥିଲା ୨୯ଟି ପ୍ଲଟ୍। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଭିଜିଲାନ୍ସ ଏସପି ପି.କେ ଦ୍ଵିବେଦୀ।

ସୂଚନାନୁଯାୟୀ, ମଙ୍ଗଳବାର ଓଡ଼ିଶା ପୁଲିସ୍‌ ଗୃହନର୍ମାଣ ଓ କଲ୍ୟାଣ ନିଗମ (ଓପିଏଚ୍‌ଡବ୍ଲୁସି) ସମ୍ବଲପୁର ଡିଭିଜନରେ କାର୍ଯ୍ୟରତ ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ଘରକୁ ଯାଉଥିଲେ । ଭିଜିଲାନ୍ସ ଟିମ୍‌ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ତାଙ୍କୁ କାବୁ କରିଥିଲେ । ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୫ ଲକ୍ଷ ୧୮ ହଜାର ୯୦୦ ଟଙ୍କା ନଗଦ ଅର୍ଥ ଜବତ କରିଥିଲା । ସମ୍ବଲପୁରରେ ଟଙ୍କା ମିଳିବା ପରେ ଭିଜିଲାନ୍ସ ଟିମ୍‌ ତାଙ୍କ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଓପିଏଚ୍‌ଡବ୍ଲ୍ୟୁସି କଲୋନୀ ବାସଭବନରେ ଚଢ଼ଉ କରିଥିଲା । ସେଠାରୁ ମଧ୍ୟ ଅତିରିକ୍ତ ୫ ଲକ୍ଷ ୪୧ ହଜାର ୭୦୦ ଟଙ୍କା ମିଳିଥିଲା । ପରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ତାଙ୍କ ଭଉଣୀଙ୍କ ଘରେ ଚଢ଼ଉ କରି ଟଙ୍କା ଭର୍ତ୍ତି ଥିବା ୨ଟି ବଡ଼ ଟ୍ରଙ୍କ ପାଇଥିଲା । ଯେଉଁଥିରେ ପ୍ରାୟ ୭୦ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍‌ ଲୁଚାଇ ରଖାଯାଇଥିଲା । ଜବତ ହୋଇଥିବା ବିପୁଳ ପରିମାଣର ଟଙ୍କା ଗଣିବା ପାଇଁ କ୍ୟାସ କାଉଣ୍ଟିଂ ମେସିନ ନିୟୋଜିତ କରାଯାଇଥିଲା । ତାଙ୍କ ଭଉଣୀ ଘରୁ ୩୪ ଲକ୍ଷ ୮୧ ହଜାର ଟଙ୍କା ମିଳିଥିଲା । ଭିଜିଲାନ୍ସ ସମ୍ବଲପୁର, ଭୁବନେଶ୍ୱର, ଗଞ୍ଜାମ ଓ ଭଞ୍ଜନଗର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା । ଡେପୁଟି ମ୍ୟାନେଜରଙ୍କ ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ୨୯ଟି ପ୍ଲଟ୍ ଠାବ ହୋଇଥିଲା। ଏହା ସହ ତାଙ୍କ ଘରୁ ୧ କେଜି ୧୪୦ ଗ୍ରାମ ସୁନା ମିଳିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। 

ଏହି ଖବରଟିକୁ ପଢନ୍ତୁ- OPHWC ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ