PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ନୂତନ ସଂସଦ ଭବନ ଉଦ୍‌ଘାଟନକୁ ନେଇ ବଢୁଛି ବିବାଦ, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୨୬/୫ : ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ନୂଆ ସଂସଦ ଭବନ ଉଦ୍‌ଘାଟନ ରାଷ୍ଟ୍ରପତିଙ୍କ ଦ୍ବାରା କରାଯିବାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନ୍‌ ଉପରେ ଆଜି ଶୁଣାଣି ହେବ । ସୁପ୍ରିମକୋର୍ଟର ଜଷ୍ଟିସ ଜେ କେ ମାହେଶ୍ବରୀ ଏବଂ ଜଷ୍ଟିସ ପିଏସ ନରସିହ୍ମାଙ୍କ ଅବକାଶକାଳୀନ ପୀଠ ଏହି ମାମଲାର ଶୁଣାଣି କରିବେ । କୋର୍ଟରେ ଦାଖଲ କରାଯାଇଥିବା ପିଟିସନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଏଥିରେ ଅନୁରୋଧ କରାଯାଇଛି ।  

ସୂଚନା ଅନୁଯାୟୀ, ଦେଶର ମୋଟ ୪୦ ରାଜନୈତିକ ଦଳ ମଧ୍ୟରୁ କଂଗ୍ରେସ ସମେତ ୨୦ଟି ବିରୋଧୀ ଦଳ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି । ସେପଟେ ବିଜେପି, ବିଜେଡି, ଟିଡିପି ଏବଂ ଏଆଇଏଡିଏମ୍‌କେ ଭଳି ୧୮ ଦଳ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି ।   ସୁପ୍ରିମକୋର୍ଟରେ ଗୁରୁବାର ଏ ନେଇ ଏକ ପିଟିସନ୍‌ ଦାଖଲ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଏଥିରେ ଅନୁରୋଧ କରାଯାଇଛି । ଲୋକସଭା ସଚିବାଳୟ ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ ପାଇଁ ନିମନ୍ତ୍ରଣ ନ କରି ସମ୍ବିଧାନର ଅପମାନ କରିଥିବା ଆବେଦନକାରୀ କହିଛନ୍ତି ।

ସେପଟେ ବିରୋଧୀ ଦଳଗୁଡ଼ିକ କହିଛନ୍ତି, ରାଷ୍ଟ୍ରପତିଙ୍କୁ କୋଣଠେସା କରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦ୍‌ଘାଟନ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ରାଷ୍ଟ୍ରପତିଙ୍କୁ ଘୋର ଅପମାନ । ଗଣତନ୍ତ୍ର ଉପରେ ସିଧାସଳଖ ଭାବେ ପ୍ରହାର କରାଯାଇଛି । ବୁଧବାର ଦଳଗୁଡ଼ିକ ମିଳିତ ବିବୃତି ଜାରି କରି ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ବର୍ଜନ ଘୋଷଣା କରିଥିଲେ । ସଂସଦରୁ ଗଣତନ୍ତ୍ରର ଆତ୍ମାକୁ କାଢ଼ି ନିଆଯାଇଥିବାରୁ ନୂଆ ଭବନର ଆଉ କୌଣସି ମୂଲ୍ୟ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏହା ଜଣେ ବ୍ୟକ୍ତିଙ୍କ ଅହଂକାର ଏବଂ ଆତ୍ମପ୍ରଚାର ଇଚ୍ଛା, ଯାହା କି ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବାର ସାମ୍ବିଧାନିକ ବିଶେଷାଧିକାରରୁ ବଞ୍ଚିତ କରିଛି । ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ନୂଆ ଭବନର ନିର୍ମାଣ ଜରୁରି ଥିଲା ଏବଂ ଏହା ଏବେ ନିର୍ମାଣ ହୋଇଛି । ଏହା ବହୁତ ଭଲ କଥା । ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ କିଏ ବର୍ଜନ କଲା ଏବଂ କିଏ ଏଥିରେ ସାମିଲ ହେବ, ତାହା ଉପରେ କୌଣସି ଟିପ୍ପଣୀ ଦେବାର ନାହିଁ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ନୂଆ ସଂସଦ ଭବନ ଉପରେ ବୟାନବାଜି କରିବା ଠିକ୍‌ ନୁହେଁ । ବିରୋଧୀମାନେ କେବଳ ରାଜନୀତି କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ସମେତ ୨୦ ଦଳ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଥିବା ବେଳେ ୧୮ ଦଳ ସମର୍ଥନ ଜଣାଇଛନ୍ତି । ବିଜେପି, ବିଜେଡି, ଶିବସେନା (ସିନ୍ଦେ ଗୋଷ୍ଠୀ), ବସପା, ଏନ୍‌ପିପି, ଏନ୍‌ଡିପିପି, ଏସ୍‌କେଏମ୍‌, ଜେଜେପି, ଆର୍‌ଏଲ୍‌ଜେପି, ଆର୍‌ପି (ଅଠାୱଲେ), ତାମିଲ ମନୀଲା କଂଗ୍ରେସ, ୱାଇଏସ୍‌ଆର୍‌ କଂଗ୍ରେସ ଆଦି ଦଳ କାର୍ଯ୍ୟକ୍ରମରେ ଯୋଗଦେବାକୁ ଘୋଷଣା କରିଛନ୍ତି ।