ନିର୍ବାଚନ କମିଶନଙ୍କୁ ଭେଟିଲେ ବିରୋଧୀ, ଭୋଟ୍ ଗଣତି ପୂର୍ବରୁ ଭିଭିପାଟ୍ ସ୍ଲିପ୍ ମେଳ କରିବା ପାଇଁ କଲେ ଅନୁରୋଧ

ନୁଆଦିଲ୍ଲୀ ୨୧/୫: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଇଭିଏମ୍ ଓ ଭିଭିପାଟର ମାମଲା ନେଇ ମଙ୍ଗଳବାର ବିରୋଧୀ ଦଳ ନିର୍ବାଚନ କମିଶନ ପହଞ୍ଚିଛନ୍ତି । କଂଗ୍ରେସ, ଏସପି, ବିଏସପି, ଟିଏମସି ସହିତ ପ୍ରମୁଖ ବିରୋଧୀ ଦଳର ନେତାମାନେ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିଛନ୍ତି ଏବଂ ଭୋଟ୍ ଗଣତିରେ ଭିଭିପାଟ୍ ସହିତ ଏଭିଏମ୍ ପେପର ସ୍ଲିପକୁ ମେଳ କରିବା ପାଇଁ ଅନୁରୋଧ କରିଛନ୍ତି ।
ବିରୋଧୀ ଦଳ ଏହା ମଧ୍ଯ କହିଛନ୍ତି ଯେ ଯଦି କୌଣସି ଗୋଟିଏ ବୁଥରେ ଭିଭିପାଟ୍, ପେପର ସ୍ଲିପ୍ ସହିତ ଠିକ୍ ମେଳ ଖାଉନି ତେବେ ଉକ୍ତ ବିଧାନସଭା କ୍ଷେତ୍ରରେ ସବୁ ଭିଭିପାଟ୍ ସ୍ଲିପର ଗଣନା କରାଯାଉ ।
କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଆମେ ଦାବି କରିଛୁ ଯେ ଭିଭିପାଟ୍ ସ୍ଲିପ୍ ସହିତ ମେଳ ପ୍ରଥମେ କରାଯିବା ପରେ ଭୋଟ୍ ଗଣତି କରାଯାଉ । ବିରୋଧୀ ନେତାମାନେ ଅନେକ ସ୍ଥାନରେ ଷ୍ଟ୍ରଙ୍ଗ ରୁମରୁ ଇଭିଏମ୍ ସ୍ଥାନାନ୍ତରଣ ଆଦି ମାମଲାର କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ।
ବିରୋଧୀ ଦଳର ବୈଠକ
ଏହା ପୂର୍ବରୁ ବିରୋଧୀ ନେତାମାନେ କନଷ୍ଟିଚ୍ଯୁସନ କ୍ଲବରେ ବୈଠକ କଲେ । ବିରୋଧୀ ନେତାମାନଙ୍କ ବୈଠକରେ ଅହମଦ ପଟେଲ, ଅଶୋକ ଗେହଲଟ୍, ଗୁଲାମ ନବୀ ଆଜାଦ ଓ ଅଭିଷେକ ମନୁ ସିଙ୍ଘବୀ, ସିପିଏମ୍ରୁ ସୀତାରାମ ୟେଚୁରୀ, ଟିଏମସିରୁ ଡେରେକ ଓବ୍ରାୟନ, ଟିଡିପିରୁ ଚନ୍ଦ୍ରବାବୁ ନାଇଡୁ, ଆପ୍ରୁ ଅରବିନ୍ଦ କେଜ୍ରିୱାଲ, ଏସପିରୁ ରାମଗୋପାଳ ଯାଦବ, ବିଏସପିରୁ ସତୀଷ ଚନ୍ଦ୍ର ମିଶ୍ର ଓ ଦାନିଶ ଅଲୀ ଏବଂ ଅନ୍ଯ ଦଳର ଅନେକ ନେତା ସାମିଲ ହୋଇଥିଲେ ।