ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ରାଜନୀତିକ ବିବାଦ ଜୋର ଧରିଛି। କୋଲମ୍ୱୋରେ ଆଜି ସନ୍ଧ୍ୟାରେ ହେବାକୁ ଥିବା ଏହି ମୁକାବିଲାରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାର ଓ ବିସିସିଆଇ ଉପରେ କଡ଼ା ଆକ୍ରମଣ କରିଛନ୍ତି। କଂଗ୍ରେସ ଓ ଶିବସେନା (ୟୁବିଟି) ଭଳି ଦଳ ଗୁଡ଼ିକ ଏହାକୁ ଶତ୍ରୁ ଦେଶ ସହ ଖେଳିବାକୁ ବିରୋଧ କରିଛନ୍ତି। ପାକିସ୍ତାନ ପ୍ରଥମେ ବାଂଲାଦେଶର ସମର୍ଥନରେ ମ୍ୟାଚ୍ ବୟକଟର ଘୋଷଣା କରିଥିଲେ, କିନ୍ତୁ ପରେ ନିଷ୍ପତ୍ତି ବଦଳି ଯାଇଥିଲା। ଆଇସିସିର ମୁଖ୍ୟ ଜୟ ଶାହଙ୍କ ନାମରେ ବିବାଦକୁ ରାଜନୀତିକ ରଙ୍ଗ ଦିଆ ଯାଇଛି, କାରଣ ତାଙ୍କ ପିତା ଅମିତ ଶାହ କେନ୍ଦ୍ର ଗୃହ ମନ୍ତ୍ରୀ ଅଛନ୍ତି।
ବିରୋଧୀ ନେତାମାନେ ଏହି ମ୍ୟାଚକୁ ରାଷ୍ଟ୍ରୀୟ ସୁରକ୍ଷା ଓ ଭାବନା ବିରୁଦ୍ଧରେ ବୋଲି କହିଛନ୍ତି। ସୁଖଜିନ୍ଦର ସିଂହ ରନ୍ଧାୱା ପଞ୍ଜାବର ଗୁରଦାସପୁରରୁ କଂଗ୍ରେସର ସାଂସଦ ଏବଂ ପାକିସ୍ତାନ ସୀମା ନିକଟସ୍ଥ କ୍ଷେତ୍ରର ପ୍ରତିନିଧିତ୍ୱ କରନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଭାରତର ଶତ୍ରୁ ଓ ସୀମାରେ ପ୍ରକ୍ସି ଯୁଦ୍ଧ ଲଢୁଛି। ସେ ଜୋର ଦେଇ କହିଛନ୍ତି ଶତ୍ରୁ ସହ କୌଣସ ଚୁକ୍ତି ହେବା ଉଚିତ୍ ନୁହେଁ ଏବଂ ଏମିତି ମ୍ୟାଚ୍ ଖେଳା ଯିବା ଉଚିତ୍ ନୁହେଁ।
ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଆହୁରି କଡ଼ା ଶବ୍ଦରେ ଅଭିଯୋଗ କରିଛନ୍ତି ଯେ,ଏହା ଭାରତ-ପାକିସ୍ତାନ ମ୍ୟାଚ୍ ନୁହେଁ , ବରଂ ଜୟ ଶାହ ବନାମ ପାକିସ୍ତାନ ମ୍ୟାଚ୍। ସେ ଦାବି କରିଛନ୍ତିଯେ, ଭାରତୀୟ ଜନତା ଏହାକୁ ଚାହାନ୍ତି ନାହିଁ ଏବଂ ମ୍ୟାଚ୍ ପଛରେ ଜୁଆ କିମ୍ୱା ଆର୍ଥିକ ଲାଭ ଜଡ଼ିତ ଅଛି। ସଞ୍ଜୟ ରାଉତ ମୁମ୍ୱାଇରେ ପ୍ରେସ୍ କନଫରେନ୍ସରେ କହିଛନ୍ତି ଯେ, ସରକାର ଦୋହରା ମାପଦଣ୍ଡ ଆପଣାଉଛନ୍ତି।
ଏହି ବିବାଦ ସେତେବେଳେ ଆହୁରି ଗଭୀର ହେଲା, ଯେତେବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ ମୋହସିନ ନକଭି ମ୍ୟାଚ୍ରେ ଭାଗ ନେବା ଓ ଆଇସିସି ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାର ପ୍ରସ୍ତୁତି ଦେଖାଇଲେ। ପ୍ରଥମେ ବାଂଲାଦେଶର ଭାରତ ବାହାରେ ଭେନ୍ୟୁ ଶିଫ୍ଟ କରିବାର ଡିମାଣ୍ଡ ଖାରଜ ହେବାରେ ପାକିସ୍ତାନ ଏକାଠି ହୋଇ ବୟକଟ୍ ଘୋଷଣା କରିଥିଲା। କିନ୍ତୁ ପରେ ଆଲୋଚନା ଓ ବନ୍ଧୁ ଦେଶ ଗୁଡ଼ିକର ପରାମର୍ଶରେ ନିଷ୍ପତ୍ତି ଫେରେଇ ନେଇଥିଲା। ଏହି ମଧ୍ୟରେ, ଏସିଆ କପ୍ରେ ଟ୍ରଫି ବିବାଦ ଓ ହ୍ୟାଣ୍ଡସେକ୍ ନକରିବାର ନୀତି ଭଳି ଉତ୍ତେଜନା ବଢିଛି। ବିରୋଧୀଙ୍କ କହିବାନୁସାରେ, ମୋଦି ସରକାର ପାକିସ୍ତାନକୁ ଶତ୍ରୁ କହୁଛନ୍ତି କିନ୍ତୁ କ୍ରିକେଟ୍ରେ ତା ସହ ଖେଳିବାକୁ ଅନୁମତି ଦେଇଛନ୍ତି।