କଟକ,୨୫/୧୦: ମୁଖ୍ୟ ଲିଜ୍ଧାରୀ ଜମି ନେଲେ । ତାଙ୍କ ନାମରେ ଜମି ମଧ୍ୟ କରାଗଲା । ଏହି ଲିଜ୍ଧାରୀଙ୍କଠୁ ଅନ୍ୟଜଣେ ଜମି ନେଲେ । କିନ୍ତୁ ଜମିକୁ ବୃହତ ବନ୍ଦୋବସ୍ତ (ସେଟଲ୍ମେଣ୍ଟ୍)ସମୟରେ ସେ ନିଜ ନାମରେ କରିବାକୁ ଆବେଦନ କଲେ, ଯାହାକୁ ଖାରଜ କରି ଦିଆଗଲା । ଏହି ଜମି ଲିଜ୍ କାରବାରରେ ଅନେକ ବେଆଇନ କାର୍ଯ୍ୟ କରାଯାଇଛି ବୋଲି ଦର୍ଶାଇ ଆସିଷ୍ଟାଣ୍ଟ୍ ସେଟଲ୍ମେଣ୍ଟ୍ ଅଫିସର ଏବଂ ଆଡିସନାଲ୍ କମିସନର ତଥା ଆଡିସନାଲ୍ ରିଭିଜନ୍ କୋର୍ଟ, ଭୁବନେଶ୍ୱର ଏହି ଜମି କ୍ରେତାଙ୍କ ନାମରେ ହୋଇପାରିବ ନାହିଁ ବୋଲି ଆଦେଶ ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ରୁଜୁ ମାମଲାରେ ହାଇକୋର୍ଟ ପୂର୍ବୋକ୍ତ ଆଦେଶକୁ ରଦ୍ଦ କରି ଦେଇଛନ୍ତି । ଏଥିସହ ଆବେଦନକାରୀଙ୍କ ନାମରେ ଆର୍ଓଆର୍ (ରେକର୍ଡ ଅଫ୍ ରାଇଟ୍ସ) କରିବା ପାଇଁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜମିର ଜଙ୍ଗଲ କିସମକୁ ମଧ୍ୟ ପରିବର୍ତ୍ତନ ପାଇଁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ପ୍ରଶାନ୍ତ କୁମାର ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଏହି ରାୟ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ଭୁବନେଶ୍ୱରରେ ଲିଜ୍ଧାରୀଙ୍କଠାରୁ ଜମି କିଣି ହତାଶ ହୋଇପଡ଼ିଥିବା କ୍ରେତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଏବେ ଶହ ଶହ ଏକର ଜମି ଏଭଳି କ୍ରେତାଙ୍କ ନିକଟକୁ ଫେରି ଆସିବାସମ୍ଭାବନା ସୃଷ୍ଟି ହୋଇଛି ।
ମାମଲାରୁ ଜଣାଯାଇଛି ଯେ, ଭାରତୀୟ ସେନାରେ ଥିବା ହଟ କିଶୋର ନାୟକ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆରେ ଯବାନଙ୍କ ପାଇଁ ଥିବା ଜମିରୁ ୫ ଏକର ଜମି ପାଇବା ଲାଗି ଆବେଦନ କରିଥିଲେ । ୧୯୭୪ ମସିହାରେ ଏହି ଜମି ତାଙ୍କ ନାମରେ କରାଯାଇଥିଲା । ଏହି ଲିଜ୍କୁ ବାତିଲ୍ ପାଇଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ମାମଲାଆସି ହାଇକୋର୍ଟରେ ପହଞ୍ଚିଥିଲା । ୧୯୮୭ ମସିହାରେ ହାଇକୋର୍ଟ ଏହି ଜମିକୁ ହଟ କିଶୋର ନାୟକଙ୍କ ନାମରେ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ପରେ ଏହି ଜମି ହଟ କିଶୋର ନାୟକଙ୍କ ନାମରେ ହୋଇଥିଲା । ପରେ ହଟ କିଶୋର ନାୟକ ଏହି ଜମିରୁ କିଛି ଅଂଶ ଆବେଦନକାରୀଙ୍କ ସମେତ ଅନ୍ୟ କେତେ ଜଣଙ୍କୁ ବିକ୍ରି କରିଥିଲେ । ସେହିସବୁଜମିର ଆର୍ଓଆର୍ ଅନ୍ୟ କ୍ରେତାମାନଙ୍କ ନାମରେ ପୃଥକ୍ ଭାବେ କରାଯାଇଛି । କିନ୍ତୁ ୨୦୧୩ରେ ଯେତେବେଳେ ସେହି ଅଞ୍ଚଳର ଚକବନ୍ଦୀ ଆରମ୍ଭ ହେଲା ସେତେବେଳେ ଆବେଦନକାରୀ କିଣିଥିବା ତାଙ୍କ ଜମିର ଅଂଶକୁ ବାତିଲ୍ କରାଯାଇ ତାହାକୁ ସରକାରଙ୍କ ନାମରେ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଗଲା । କୁହାଗଲା ଯେ, ଏହି ଜମି କିଣାବିକାରେ ତହସିଲ୍ ସ୍ତରରେ ଅନେକ ବେଆଇନ କାମ ହୋଇଛି । ତେଣୁ ସେହି ଆଧାରରେ ଏହି ଜମିକୁ ଆବେଦନକାରୀଙ୍କନାମରୁ ବାତିଲ୍ କରାଯାଉଛି । ଏହି ଆଦେଶକୁ ଚାଲେଞ୍ଜ୍ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି କହିଛନ୍ତି ଯେ, ଜମିଟି ମୂଳ ନିଲାମଧାରୀଙ୍କ ନାମରେ ଏବେ ବି ରହିଛି । ତାହାକୁ କେହି ଚାଲେଞ୍ଜ୍ କରିନାହାନ୍ତି । ଯଦି ନିଲାମଧାରୀଙ୍କ ନାମରେ ଥିବା ଜମି ବେଆଇନ ନୁହେଁ, ତାହେଲେ ଆବେଦନକାରୀ ତାଙ୍କଠାରୁ ଜମି କିଣି କିପରି ବେଆଇନ କାର୍ଯ୍ୟ କଲେ । ଦ୍ୱିତୀୟରେ ଏହି ଜମିକୁ ଜଙ୍ଗଲ ଜମି କିସମ କୁହାଯାଉଛି । କିନ୍ତୁ ଯେତେବେଳେ ମୂଳ ନିଲାମଧାରୀ ଏହି ଜମି କିଣିଥିଲେ ସେତେବେଳେ ଜମିର ରେକର୍ଡ ଅନୁଯାୟୀ ଏହା ଚାଷ ଜମି ରହିଛି । ତେଣୁ ଏହି ଆଧାରରେ ଆବେଦନକାରୀଙ୍କ ନାମରେ ଜମି ନ କରିବା ଲାଗି ଦିଆଯାଇଥିବା ଆଦେଶକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଆବେଦନକାରୀଙ୍କ ନାମରେ ଆର୍ଓଆର୍ କରିବା ଲାଗି ଅଦାଲତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିଲେ ।