କଟକ, ୦୮/୦୮: ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣା। ବୋର୍ଡର ପୂର୍ବତନ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ଓ ଚୋରିର କିଙ୍ଗ୍‌ପିନ୍‌ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ ମହାରଣାଙ୍କ ଯୋଡ଼ି ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚକୁ ଆଉ କିଛି ଗୁପ୍ତ ତଥ୍ୟ  ମିଳିଛି । ନିହାରଙ୍କ ଲାପ୍‌ଟପ୍‌ରୁ ଯୋଜନାବଦ୍ଧ ଭାବେ ପ୍ରଶ୍ନ ଚୋରି କରିବ। ତାକୁ ନେଇ ଜିତନ୍‌ ତାକୁ ମୋଟା ଅଙ୍କରେ  ବିକ୍ରି କରିବା ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି । ଏଣୁ ନିହାର-ଜିତନ ଯୋଡ଼ିଙ୍କ  କଳା କାରନାମାରେ ଆଉ କେଉଁମାନେ ସାମିଲ୍‌ ଅଛନ୍ତି  ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଛାନ୍‌ଭିନ୍‌ ଚଳାଇଛି । 

ଗତ ୩୦ ତାରିଖରୁ ବିଚାର ବିଭାଗୀୟ ହାଜତରେ ଥିବା ଜିତନ୍‌ ଓ ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍‌ ଶିକ୍ଷକ ସଂଘ ନେତା ଆମ୍ବଦୋଳା କୋମାସାହି ଅଞ୍ଚଳର ବିଜୟ କୁମାର ମିଶ୍ରଙ୍କୁ ରିମାଣ୍ଡ୍‌ରେ ଆଣିବାକୁ ଗୁରୁବାର କୋର୍ଟ ଅନୁମତି ଦେଇଛନ୍ତି । ଏଥିପାଇଁ କଟକ ଜେଏମ୍‌ଏଫ୍‌ସି-୩  କୋର୍ଟରେ ରିମାଣ୍ଡ୍‌ ଆବେଦନ କରାଯାଇଥିଲା । ଉଭୟଙ୍କୁ ଦୁଇ ଦିନ ଲାଗି ରିମାଣ୍ଡ୍‌ରେ ଆଣିବାକୁ  ଅନୁମତି ମିଳିଛି । କ୍ରାଇମ୍‌ବ୍ରାଞ୍ଚ୍‌ ଦୁଇ ଅଭିଯୁକ୍ତଙ୍କୁ ଆସନ୍ତା ସୋମବାରଠୁ ଦୁଇଦିନିଆ ରିମାଣ୍ଡରେ ଆଣି ଜେରା କରିବ । ରିମାଣ୍ଡ୍‌ ଅବଧି ମଧ୍ୟରେ ସେମାନଙ୍କ  ସହ ପ୍ରଶ୍ନ କିଣାବିକାରେ ଆଉ କେଉଁମାନେ ସାମିଲ୍‌  ଅଛନ୍ତି ତାହା ଖୋଜି ବାହାର କରିବ କ୍ରାଇମ୍‌ବ୍ରାଞ୍ଚ୍‌ । ସେହିପରି ପ୍ରଶ୍ନ ଲିକ୍‌ରେ ଜଡ଼ିତ ଆର୍ଥିକ କାରବାର  ଓ ଅନ୍ୟମାନଙ୍କ ସମ୍ପୃକ୍ତିର ତଥ୍ୟ ପ୍ରମାଣ ଯୋଗାଡ଼  କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀ କହିଛନ୍ତି ।  

ଅନ୍ୟପକ୍ଷରେ ନିହାର ଜେଲ୍‌ ଯିବା ପୂର୍ବରୁ  ତଦନ୍ତକାରୀ ଅଧିକାରୀ ତାଙ୍କ ବୟାନ ରେକର୍ଡ  କରିଥିଲେ । ବୟାନର ଭିଡିଓ ରେକର୍ଡିଂ ରହିଛି । ଜିତନ  ବାବଦରେ ନିହାର ଅନେକ କଥା କ୍ରାଇମ୍‌ବ୍ରାଞ୍ଚ୍‌କୁ  କହିଛନ୍ତି । ଜିତନ ବୋର୍ଡର ପରୀକ୍ଷା ପରିଚାଳନା  ବ୍ୟବସ୍ଥାରେ ପୂର୍ବରୁ କିପରି ଗୋଳମାଳ କରିଥିଲା,  ସ୍ପେସାଲ୍‌ ଓଟିଇଟିରେ ବି କିପରି ବିଶ୍ୱାସଘାତକତା  କରିଛି ତାହା ନିହାର ବୟାନରେ କହିଥିଲେ ।  ବାସ୍ତବରେ ନିହାର କେତେ ସତ କହିଛନ୍ତି ତାହା  ଜିତନର ରିମାଣ୍ଡ୍‌ ଅବଧି ସମୟରେ ଜେରା ବେଳେ  ଜଣାପଡ଼ିବ । ଜିତନ ବିରୋଧରେ ନିହାର ଅନେକ  ତଥ୍ୟ କ୍ରାଇମ୍‌ବ୍ରାଞ୍ଚ୍‌କୁ ଦେଇଥିବା ବେଳେ ଦୁଇ ଜଣଙ୍କ  ମଧ୍ୟରେ ଅହରହ ମୋବାଇଲ୍‌ କଥୋପକଥନର  ରେକର୍ଡ ଥିବାରୁ ଏହା ପଛରେ ଆଉ କିଛି  ରହସ୍ୟ ଥିବା କ୍ରାଇମ୍‌ବ୍ରାଞ୍ଚ ଅନୁମାନ କରୁଛି ।  

ଜିତନ୍‌ଠାରୁ ପ୍ରଶ୍ନ ନେବା ବାବଦରେ  ଅଢ଼େଇ ଲକ୍ଷ ଟଙ୍କା ବିଜୟ ମିଶ୍ର ଫୋନ୍‌ ପେ’ରେ  ପଠାଇଥିଲେ । ଏ କାରବାରରେ ଆହୁରି ଲକ୍ଷାଧିକ ଟଙ୍କା ନଗଦ ଦେଣନେଣ ହୋଇଥିବା ଜଣାପଡ଼ିଛି ।  ତେଣୁ ବିଜୟଙ୍କୁ ରିମାଣ୍ଡ୍‌ରେ ଅଣାଯାଉଛି । ବିଜୟ  ଅଢ଼େଇ ଲକ୍ଷ ଟଙ୍କା ଜିତନର ପତ୍ନୀଙ୍କ ଫୋନ୍‌  ପେ’କୁ ପଠାଇଥିବା ଓ ରାୟଗଡ଼ା, କୋରାପୁଟ  ଅଞ୍ଚଳର ଶିକ୍ଷକ ସଂଘ ନେତାଙ୍କୁ ପ୍ରଶ୍ନ ବିକ୍ରି  କରିଥିବା କଥା ୧୦ରୁ ଅଧିକ ଶିକ୍ଷକ କ୍ରାଇମ୍‌ବ୍ରାଞ୍ଚ୍‌କୁ  ସୂଚନା ଦେଇଛନ୍ତି । ଜିତନ୍‌ ଓ ବିଜୟଙ୍କୁ ମୁହାଁମୁହିଁ  ଜେରା କରି ସେମାନଙ୍କଠାରୁ ନିହାରଙ୍କ ସିଣ୍ଡିକେଟ୍‌  ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ କରିବାକୁ  ତଦନ୍ତକାରୀ ଅଧିକାରୀ ଆଶା ରଖିଛନ୍ତି । ଗୁରୁବାର  କ୍ରାଇମ୍‌ବ୍ରାଞ୍ଚ୍‌ ଆଉ ଦୁଇ ଜଣ ଶିକ୍ଷକଙ୍କୁ ଜେରା କରି  ଛାଡ଼ିଥିବାର ସୂଚନା ମିଳିଛି । ସମ୍ପୃକ୍ତ ଶିକ୍ଷକ ଦ୍ୱୟ  ପ୍ରଶ୍ନକୁ କିପରି ହାତେଇଥିଲେ ଏବଂ ସେମାନଙ୍କୁ  ପ୍ରଶ୍ନ ମିଳିବା ସମ୍ପର୍କରେ ପ୍ରଥମେ କିଏ ସୂଚନା  ଦେଇଥିଲା ସେ ବାବଦରେ ବହୁ ସତ ମାନିଛନ୍ତି ।