ନୂଆଦିଲ୍ଲୀ,୧୬/୦୬: ସାରା ବିଶ୍ୱରେ ୨୭୨  ନିୟୁତ ବା ପ୍ରାୟ ୨୭ କୋଟି ୨୦ ଲକ୍ଷରୁ ଊଦ୍ଧ୍ୱର୍ ପିଲା ସ୍କୁଲ ଯାଉନାହାନ୍ତି । ୟୁନେସ୍କୋର ଗ୍ଲୋବାଲ ଏଜୁକେସନ ମନିଟରିଂ ଟିମ୍‌(ଜିଇଏମ୍‌) ରିପୋର୍ଟରୁ  ଏହା ଜଣାପଡ଼ିଛି । ଜିଇଏମ୍‌ର ପୂର୍ବ ଆକଳନଠାରୁ  ଏହି ସଂଖ୍ୟା ୨.୧ କୋଟିରୁ ଅଧିକ । ୨୦୨୫ ଶେଷ  ସୁଦ୍ଧା ଏହି ସଂଖ୍ୟା ଆହୁରି ୭.୫ କୋଟି ବୃଦ୍ଧି ପାଇବ  ବୋଲି ରିପୋର୍ଟରେ ଅନୁମାନ କରାଯାଇଛି । 

ରିପୋର୍ଟ ଅନୁସାରେ, ନାମଲେଖା ଏବଂ ଉପସ୍ଥାନ  କମିଥିବା ଡାଟାରେ ୮୦ ଲକ୍ଷ ବା ୩୮% ବୃଦ୍ଧି ଘଟିଛି ।  ସ୍କୁଲରେ ପିଲାଙ୍କ ସଂଖ୍ୟା ହ୍ରାସ ଦିଗରେ ୨୦୨୧ରୁ  ଆଫଗାନିସ୍ତାନରେ ଝିଅଙ୍କ ସ୍କୁଲ ଯିବା ଉପରେ  ଲାଗିଥିବା କଟକଣା ମଧ୍ୟ ସାମିଲ ରହିଛି । ଅନ୍ୟକାରଣ  ରହିଛି ଜାତିସଂଘର ଜନସଂଖ୍ୟା ଅନୁମାନ ଅପ୍‌ଡେଟ୍‌  କରାଯିବା । ୨୦୨୪ ବିଶ୍ୱ ଜନସଂଖ୍ୟା ତୁଳନାରେ ୨୦୨୫ରେ ୬ରୁ ୧୭ ବର୍ଷ ବୟସର ପିଲା ସ୍କୁଲ ନ ଯିବା  ପ୍ରତିଶତ ୩.୧ ବୃଦ୍ଧିପାଇଛି । ଅର୍ଥାତ ୨୦୨୫ରେ ସ୍କୁଲ  ନ ଯିବା ପିଲାଙ୍କ ସଂଖ୍ୟା ୪ କୋଟି ୯୦ ଲକ୍ଷ ବଢ଼ିଛି । 

ରିପୋର୍ଟରେ ଆହୁରି ରହିଛି ଯେ, ସଂଘର୍ଷ  ବା ଯୁଦ୍ଧ ପିଲା ସ୍କୁଲ ନ ଯିବା ବା ସ୍କୁଲ ଯାଇ ନ  ପାରିବା ଆଉ ଏକ ପ୍ରମୁଖ କାରଣ ଥିଲେ ହେଁ ରିପୋର୍ଟରେ ତାହାକୁ ନ୍ୟୂନତମ ଗୁରୁତ୍ୱ ଦିଆଯାଇଛି ।  କାରଣ ସଂଘର୍ଷ କାରଣରୁ ବାସ୍ତବ ତଥ୍ୟ ସଂଗ୍ରହ  ହୋଇପାରିନାହିଁ । ତେଣୁ ବାସ୍ତବ ତଥ୍ୟରେ ଏହି  ସଂଖ୍ୟା ଆହୁରି ଅଧିକ ହୋଇପାରେ । ବିଶ୍ୱ ଜନସଂଖ୍ୟା  ଆକଳନରେ ପରିବର୍ତ୍ତନ ସ୍କୁଲ ଯାଉ ନ ଥିବା ପିଲାଙ୍କ  ହାର ଆକଳନକୁ ମଧ୍ୟ ପ୍ରଭାବିତ କରିଥାଏ । ମୋଟାମୋଟି ଭାବେ ପ୍ରାଥମିକ ସ୍କୁଲ ଲାଗି ଯୋଗ୍ୟ ବୟସର ପିଲାଙ୍କ ମଧ୍ୟରୁ ୧୧ ପ୍ରତିଶତ ବା ୭.୧ କୋଟି ପିଲା, ନିମ୍ନ ମାଧ୍ୟମିକ ବିଦ୍ୟାଳୟ ଯିବା  ଯୋଗ୍ୟ ବୟସ ବର୍ଗର ୧୫ ପ୍ରତିଶତ ବା ୬.୪  କୋଟି ପିଲା ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯିବା  ବୟସ ବର୍ଗର ଯୋଗ୍ୟ ୩୧ ପ୍ରତିଶତ କିଶୋର ବା  ୧୩ କୋଟି ପିଲା ସ୍କୁଲ ଯାଇପାରୁନାହାନ୍ତି । ଏହି  ରିପୋର୍ଟ ପ୍ରସ୍ତୁତି ବେଳେ ପ୍ରଶାସନିକ, ସର୍ଭେ ଏବଂ  ଜନଗଣନା ସୂତ୍ରରୁ ଡାଟା ଏକତ୍ରିତ କରାଯାଇଥିଲା ।