ବାକି ଦରମା ମାଗିବାରୁ ଅମାନୁଷିକ ଭାବେ ଲୁହା ରଡରେ ପିଟିଲେ ମାଲିକ, ଭିଡିଓ ଭାଇରାଲ…

ତ୍ରିପୁରା ୦୯/୧୧: ଦୁର୍ବଳ ଉପରେ ସବଳର ଅତ୍ୟାଚାର । କର୍ମଚାରୀଙ୍କୁ ଲୁହା ରଡରେ ଅତି ଅମାନୁଷିକ ଭାବେ ପିଟୁଛନ୍ତି ଦୋକାନ ମାଲିକ । ତାଙ୍କର ଭୁଲ ହେଉଛି ସେ ବାକିଥିବା ଦରମା ମାଗୁଛନ୍ତି । ଆଉ ଦୋକାନ ମାଲିକ ବାକି ଟଙ୍କା ଦେବେ କଣ ଲୁହା ରଡ୍ ଧରି ଆଖିବୁଜା ପିଟୁଛନ୍ତି । ତ୍ରିପୁରାର ଅଗରତାଲା ସ୍ଥିତ ଏକ ଦୋକାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅଗରତାଲାରେ ଥିବା ଅପୁ ଶାହାଙ୍କ ଏକ ଲୁଗା ଦୋକାନରେ କାମ କରୁଥିଲେ ସରଜିତ୍ ତ୍ରିପୁରା ନାମକ ଜଣେ ଯୁବକ । ପୂର୍ବରୁ ଅପୁଙ୍କ ଡ୍ରେସ୍ ଦୋକାନରେ କାମ କରୁଥିବା ସରଜିତ୍ ଧଲାଇ ଜିଲ୍ଲାର ବାସିନ୍ଦା । ଅକ୍ଟୋବର ମାସର ବାକି ରହିଥିବା ଦରମା ମାଗିବାକୁ ମାଲିକ ଅପୁଙ୍କ ଦୋକାନକୁ ଆସିଥିଲେ ସେ । କିନ୍ତୁ ମାଲିକ ଦରମା ଦେବା ପରିବର୍ତ୍ତେ ତାଙ୍କୁ ନିର୍ମମ ଭାବେ ପିଟିବା ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଯୁବକ ଜଣକ ନେହୁରା ହୋଇ ଛାଡ଼ିଦେବାକୁ କହିବା ପରେ ମଧ୍ୟ ମାଲିକ ତାଙ୍କୁ ଲୁହା ରଡ୍ରେ ପିଟିବା ସହ ଚାପୁଡ଼ା ମାରିଥିଲେ । ନିକଟରେ ଥିବା ଅନ୍ୟ ଜଣେ ଯୁବକ ଅଟକାଇବା ବଦଳରେ ତାଙ୍କୁ ସହଯୋଗ କରୁଥିଲେ ଏବଂ ଆଉ ଜଣେ ଭିଡିଓ ରେକର୍ଡିଂ କରୁଥିଲେ ।
ଏନେଇ ସରଜିତ୍ ତ୍ରିପୁରା ପଶ୍ଚିମ ଅଗରତାଲା ଥାନାରେ ଅପୁ ଶାହାଙ୍କ ନାଁରେ ଅଭିଯୋଗ କରିଛନ୍ତି । ପୋଲିସର ସୂଚନାନୁସାରେ, ସାହାଙ୍କ ବ୍ରାଣ୍ଡ ପୋଷାକ ଦୋକାନରେ ତ୍ରିପୁରା ପୂର୍ବରୁ କାର୍ଯ୍ୟରତ ଥିଲେ । କୌଣସି କାରଣବଶଃତ, ସେ ସେଠାରେ କାମ କରିବା ଛାଡ଼ିଦେଇଥିଲେ । କାମ ଛାଡ଼ିବା ପରେ ତାଙ୍କ ପୂର୍ବ ଦରମା ନେଇନଥିବାରୁ ସେ ମାଲିକଙ୍କ ନିକଟକୁ ଦରମା ନେବାକୁ ଆସିଥିଲେ । ତ୍ରିପୁରାଙ୍କୁ ଦରମା ଦେବା ପରିବର୍ତ୍ତେ ମାଲିକ ତାଙ୍କୁ ଲୁହା ରଡରେ ମାଡ଼ ମାରିଥିଲେ । ଦୋକାନରେ ଥିବା ଜଣେ ବ୍ୟକ୍ତି ଏହି ଘଟଣା ବେଳର ଭିଡିଓ ନିଜ ମୋବାଇଲରେ ଶୁଟ୍ କରିଥିଲେ । ଘଟଣାର ସଠିକ୍ ଯାଞ୍ଚ କରାଯିବା ପରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଶ୍ଚିମ ଅଗରତାଲା ପୋଲିସ ସୂଚନା ଦେଇଛି ।
Attention @Tripura_Police ! @YTFTIPRA have already taken up this matter with you ! We demand justice ! It breaks my heart to see treatment like this given to anyone ! Kindly Take action or I will personally come down to your station with my YTF warriors ! pic.twitter.com/ysOiiiSY5o
— Pradyot_Tripura (@PradyotManikya) November 8, 2022