PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

କମଳାଙ୍କୁ ପଦ୍ମଶ୍ରୀ, ପେଟ ପାଇଁ ସଂଘର୍ଷ ସରୁନି

ଜୟପୁର,୨୭ା୧(ବ୍ୟୁରୋ): ପଦ୍ମଶ୍ରୀ ପୁରସ୍କାର ପାଇଥିବା ରାଜ୍ୟର ୪ଜଣଙ୍କ ମଧ୍ୟରେ ଅଛନ୍ତି କୋରାପୁଟ ଜିଲ୍ଲାର ଆଦିବାସୀ ଭୂମିଆ ସଂପ୍ରଦାୟର କମଳା ପୂଜାରୀ । ପାରଂପରିକ ଧାନ ସଂରକ୍ଷଣ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟାଙ୍କୁ ଏହି ପୁରସ୍କାର ଘୋଷଣା କରାଯିବା ପରେ ଜିଲ୍ଲାରେ ଖେଳିଯାଇଛି ଆନନ୍ଦର ଲହରି । ସବୁଠୁ ଅଧିକ ଖୁସି ହୋଇଛନ୍ତି କମଳାଙ୍କ ଗାଁ ଜୟପୁର ବ୍ଲକ ପାତ୍ରପୁଟବାସୀ । ଗୋଟିଏ ପରେ ଗୋଟିଏ ପୁରସ୍କାର ପାଇ ବିଶ୍ୱଦରବାରର ପାତ୍ରପୁଟର ନାଁ ରଖିଥିବାରୁ ତାଙ୍କ ପାଇଁ ଗର୍ବ ଅନୁଭବ କରିଛନ୍ତି ସେମାନେ । କମଳାଙ୍କ ଅସୁସ୍ଥତାକୁ ନେଇ ଗ୍ରାମବାସୀ ଦୁଃଖ ପ୍ରକାଶ କରଛନ୍ତି । ସେ ସୁସ୍ଥ ହୋଇ ଘରକୁ ଶୀଘ୍ର ଫେରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ହେଲେ ଏତେ ପୁରସ୍କାରର ଅଧିକାରିଣୀ କମଳାଙ୍କ ପରିବାର ଏବେ ବି ମୁଣ୍ଡ ଗୁଞ୍ଜିବା ଲାଗି ଏବଂ ପେଟକୁ ଭାତ ମୁଠାଏ ସଂଗ୍ରହ କରିବା ଲାଗି ସଂଘର୍ଷ କରୁଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି ।
ଧନୁର୍ଜୟ ପୂଜାରୀ(କମଳାଙ୍କ ବଡ଼ପୁଅ): ‘ଶୁକ୍ରବାର ମାଆଙ୍କ ଦେହ ଖରାପ ହେବାରୁ ଆମ୍ବୁଲାନ୍ସରେ ମେଡିକାଲ ନେଇଥିଲି । ସେଦିନ ମେଡିକାଲରେ ଚିକିତ୍ସା ଚାଲିଥିଲା । ରାତିରେ ସାମ୍ବାଦିକଙ୍କଠାରୁ ଜାଣିବାକୁ ପାଇଲି ମାଆଙ୍କୁ ଗୋଟିଏ ପୁରସ୍କାର ମିଳିଛି ବୋଲି । ପୁରସ୍କାର ମିଳିବା ଖବର ଶୁଣିବା ପରେ ଖୁସି ଲାଗିଲା । ହେଲେ ଏହି ପୁରସ୍କାର କ’ଣ ଜାଣିନାହିଁ । ଆମେ ଦୁଇ ଭାଇ, ଚାଳଘରେ ରହୁଛୁ । ସରକାର ଆମ ପାଇଁ ଘର ଖଣ୍ଡିଏ ଖଣ୍ଡିଏ ଦେଲେ ଭଲ ହୁଅନ୍ତା । ମାଆଙ୍କୁ ପୂର୍ବରୁ କେହି ପଚାରୁ ନଥିଲେ । ଏବେ ପ୍ରଶାସନ ଦୃଷ୍ଟି ଦେଇଛି । ଆହାର କେନ୍ଦ୍ର ଓ ମେଡିକାଲ ଉଦ୍‌ଘାଟନ ସମୟରେ ଡାକିଛି ।’
ସୋମନାଥ ପଟ୍ଟନାୟକ (ଗ୍ରାମବାସୀ): ‘ଶୁକ୍ରବାର ସଂଧ୍ୟାରେ ଦୋକାନରେ ବସିଥାଏ । ଏହି ସମୟରେ ଆମ୍ବୁଲାନ୍ସ ଆସିଥିଲା । କମଳା ପୂଜାରୀଙ୍କ ଘର କେଉଁଠି ବୋଲି ପଚାରିଥିଲେ ଆମ୍ବୁଲାନ୍ସ ଡ୍ରାଇଭର । ଦେହ ଅସୁସ୍ଥ ଥିବାରୁ ଆମ୍ବୁଲାନ୍ସ ଆସିଥିବା ଜାଣିବା ପରେ ତାଙ୍କ ଘର ଦେଖାଇଥିଲି । ପରେ କମଳାଙ୍କୁ ମେଡିକାଲ ନିଆଯାଇଥିଲା । ଏହାପରେ ଘରେ ଟିଭି ଦେଖିବା ବେଳକୁ କମଳାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଳିଥିବା ସମ୍ପର୍କରେ ଜାଣିବାକୁ ପାଇଥିଲି । ଏହା ଜାଣିବା ପରେ ଗ୍ରାମବାସୀ ହିସାବରେ ବହୁତ ଖୁସି ହେଲି । ଗାଁର ଅନ୍ୟମାନଙ୍କୁ ଜଣାଇଲି । ଗତବର୍ଷ ରାଜ୍ୟ ସରକାର ତାଙ୍କୁ ସମ୍ମାନ ଜଣାଇ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା ଘୋଷଣା କରିଥିଲେ । ଏବର୍ଷ ତାଙ୍କୁ ପଦ୍ମ ପୁରସ୍କାର ମିଳିବା ଆମ ଗାଁକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛି । କମଳାଙ୍କୁ ଅନ୍ତର୍ଜାତୀୟ, ରାଷ୍ଟ୍ରୀୟ ଏବଂ ରାଜ୍ୟସ୍ତରୀୟ ପୁରସ୍କାର ମିଳୁଛି । କିନ୍ତୁ ତାଙ୍କ ପରିବାର ଏବେବି ଦୁଇ ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଦୁଇ ପୁଅ ଚାଳ ଘରେ ରହୁଥିବା ବେଳେ ଛପର କରିବାକୁ ପାଖରେ ଟଙ୍କା ନାହିଁ । ବଡ଼ପୁଅ ଧନୁର୍ଜୟଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନାହିଁ । ତାଙ୍କର ୨୦ ବର୍ଷିୟା ଝିଅ ଭିନ୍ନକ୍ଷମ । ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଦିଗରେ ସରକାର କିଛି ପଦକ୍ଷେପ ନେବା କଥା ।’
ପୂର୍ଣ୍ଣ ପାଙ୍ଗୀ(ସମିତି ସଭ୍ୟ, ଡଙ୍ଗରଛିଞ୍ଚି): ‘ଜଣେ ଜନ ପ୍ରତିନଧିି ହିସାବରେ ଏହି ଖବର ମିଳିବା ପରେ ବହୁତ ଖୁସି ଲାଗିଲା । ମୋ ପଞ୍ଚାୟତର ଜଣେ ଆଦିବାସୀ ମହିଳାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ସେ କିପରି ଆଗକୁ ଆହୁରି ପୁରସ୍କାର ପାଇବେ ସେଥିପାଇଁ ଶୁଭକାମନା ଜଣାଉଛି । ପୁରସ୍କାର ଘୋଷଣା ଦିନ କମଳା ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରଶାସନ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ନଜର ରଖାଯାଇଛି । କମଳାଙ୍କୁ ଅନେକ ପୁରସ୍କାର ମିଳୁଛି, ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁବିଧା ଦିଆଯାଇନାହିଁ । ତାଙ୍କୁ ସ୍ୱତନ୍ତ୍ର ଘର ଯୋଗାଇ ଦିଆଯିବା କଥା । କିନ୍ତୁ ଆଜିପର୍ଯ୍ୟନ୍ତ ତାହା କରାଯାଇନି । ପୁଅକୁ ମିଳିଥିବା ଘରେ ସେ ରହୁଛନ୍ତି । ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା ହୋଇଥିବା ଏବଂ ଏକାଧିକ ଉପାଧି ପାଇଥିବାରୁ ତାଙ୍କ ଘରକୁ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଆସୁଛନ୍ତି । କିନ୍ତୁ ସେମାନଙ୍କୁ ବସାଇବା ପାଇଁ କମଳାଙ୍କ ପାଖରେ କିଛି ନାହିଁ । ତେଣୁ ସରକାରଙ୍କ ତରଫରୁ ଭଲ ଘର ଖଣ୍ଡିଏ ସାଙ୍ଗକୁ କାର୍ଯ୍ୟାଳୟ ପାଇଁ ଗୋଟିଏ ବଖରା ବ୍ୟବସ୍ଥା କରାଯିବା ଦରକାର । ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା ହିସାବରେ କମଳାଙ୍କୁ ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟକ୍ରମକୁ ଡକାଯିବା ଉଚିତ ।’

ସୁସ୍ଥ ହେଉଛନ୍ତି କମଳା
ଭେଟିଲେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ
ଜୟପୁର,୨୭ା୧(ବ୍ୟୁରୋ): କୋରାପୁଟ ଜିଲ୍ଲାର ଗର୍ବ ପଦ୍ମଶ୍ରୀ କମଳା ପୂଜାରୀ ସୁସ୍ଥ ହେଉଛନ୍ତି । ଜ୍ୱର, କାଶ, ରକ୍ତଚାପ ଓ ରକ୍ତହୀନତା ସମସ୍ୟାରେ ସୁଧାର ଆସିଛି । ତଥାପି ସେ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ । ପ୍ରଶାସନ ପକ୍ଷରୁ ତାଙ୍କ ସେବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ସମସ୍ତ ଡାକ୍ତରୀ ରିପୋର୍ଟ ଆସିବା ପରେ ଏବଂ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ର ପରାମର୍ଶ ପରେ ତାଙ୍କୁ ଘରକୁ ପଠାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲଳିତ ମୋହନ ରଥ ।
ଗତ ୨୨ ତାରିଖରୁ କମଳା ଅସୁସ୍ଥ ହୋଇପଡ଼ିଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ତôପର ହୋଇଉଠିଥିଲା ପ୍ରଶାସନ । ସିଡିଏମଓଙ୍କ ନିର୍ଦ୍ଦେଶରେ ଏକ ଡାକ୍ତରୀ ଦଳ ୨୫ ତାରିଖରେ ତାଙ୍କ ଘରେ ପହଞ୍ଚିଥିଲା । ସେତେବେଳକୁ ସେ ପ୍ରବଳ ଜ୍ୱରରେ ପୀଡିତ ଥିଲେ । ରକ୍ତଚାପ ଅଧିକ ରହିଥିଲା । ତୁରନ୍ତ ତାଙ୍କୁ ଜିଲ୍ଲା ହସପିଟାଲକୁ ନିଆଯାଇଥିଲା । ଭେଷଜ ୱାର୍ଡର ୩ ନମ୍ବର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତାଙ୍କ ସେବାରେ ଲାଗିପଡିଥିଲା ପୂରା ସ୍ୱାସ୍ଥ୍ୟ ବିଭାଗ । ଗଠନ ହୋଇଥିଲା ୪ ଜଣିଆ ଡାକ୍ତରୀ ଦଳ । ଏଥିରେ ରହିଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ଭୂପତି ଭୂଷଣ ଜେନା, ଶଲ୍ୟ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ସାମନ୍ତରାୟ, ମହିଳା ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଦଧିବାମନ ତ୍ରିପାଠୀ ଏବଂ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ପଟ୍ଟନାୟକ । ପ୍ରାଥମିକ ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ରକ୍ତହୀନତା, ମୂତ୍ର ସଂକ୍ରମଣ ହୋଇଥିବା ଜଣାପଡିଥିଲା । ତାଙ୍କର ସମ୍ପୁର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା ଡାକ୍ତର ଜେନାଙ୍କୁ । ଜ୍ୱର, କାଶ, ଦେହହାତ ବଥା ଏବଂ ରକ୍ତଚାପ କମିଯିବା ପରେ ତାଙ୍କଠାରେ ରକ୍ତହୀନତା ରହିଥିବା ଜଣାପଡିଥିଲା । ୨୬ ତାରିଖ ଅପରାହ୍ନରେ ଦିଆଯାଇଥିଲା ରକ୍ତ । ଆଜି ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଛି ।
କମଳାଙ୍କ ଦେହ ଅସୁସ୍ଥ ଥିବା ଖବର ପାଇ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସିଡିଏମଓ ଡାକ୍ତର ରଥ ଜିଲ୍ଲା ହସପିଟାଲରେ ତାଙ୍କୁ ଭେଟିଥିଲେ । ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ଦେହ ଭଲ ହେବା ପରେ ନୂଆଦିଲ୍ଲୀ ଯାଇ ସରକାରଙ୍କ ପାଖରୁ ମିଳିଥିବା ପଦ୍ମଶ୍ରୀ ଉପାଧି ଆଣିବାକୁ କହିଥିଲେ । ସରକାର ତାଙ୍କର ସମସ୍ତ ପ୍ରକାର ଯତ୍ନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ସାକ୍ଷାତ ବେଳେ କମଳା କହିଛନ୍ତି, ସରକାର ତାଙ୍କୁ ପୁରସ୍କାର ଦେଇଛନ୍ତି ବୋଲି ମେଡିକାଲରେ ଜାଣିଲେ । ଶୁଣି ବହୁତ ଖୁସି ହେଲେ । ସେ ବହୁତ ଅସୁବିଧାରେ ଅଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ୫ଶହ ଟଙ୍କା ପାଉଛନ୍ତି । ସରକାରଙ୍କୁ ଆଉ କ’ଣ କହିବେ । ତାଙ୍କ ସାନପୁଅ ଟଙ୍କଧର ପୂଜାରୀ କହିଛନ୍ତି, ଯାହା ଜମିବାଡି ଅଛି ସେଥିରେ ଚଳିବା କଷ୍ଟକର । ଚାଷ ବାଦ୍‌ ଘର ଚଳିବା ଲାଗି କୁଲି କାମ କରିବାକୁ ପଡୁଛି । ପ୍ରଧାନମନ୍ତ୍ରୀ ଆବାସ ଘର ଗୋଟେ ମିଳିଛି । ମା’ଙ୍କୁ ଘର ଗୋଟେ ମିଳିଲେ ଓ ଚଳିବାକୁ ପ୍ରତିମାସରେ କିଛି ବ୍ୟବସ୍ଥା ସରକାର କଲେ ସେମାନେ ଉପକୃତ ହୁଅନ୍ତେ ।

ସମ୍ବନ୍ଧିତ ଖବର