ନୂଆଦିଲ୍ଲୀ, ୨୬/୦୪ : ପହଲଗାମ୍ରେ ଆଟାକ୍ରେ ଦୋହୋଲି ଯାଇଛି ଦେଶ। ନିନ୍ଦା କରୁଛି ବିଶ୍ଵ। ସୁରକ୍ଷାବାହିନୀକୁ ଚ୍ୟାଲେଞ୍ଜ୍ କରିଛନ୍ତି ଆତଙ୍କବାଦୀ। ମଣିଷପଣିଆ ଭୁଲି ବର୍ବରତାର ସବୁ ସୀମା ପାର କରୁଥିବା ଆତଙ୍କବାଦୀଙ୍କୁ କ'ଣ ମିଳୁଛି ଦରମା ? ନା ମାଗଣାରେ ନିଜ ଜୀବନକୁ ପାଣି ଛଡାଇ ଦେଉଛନ୍ତି ସେମାନେ। ଆତଙ୍କବାଦୀଙ୍କ ପାଖକୁ କେଉଁଠୁ ଆସୁଛି ଅର୍ଥ ? ଆତଙ୍କୀ ଗଡ଼ରେ ସାମିଲ ହେବାକୁ କେତେ ମିଳୁଛି ଦରମା ?
କଲମ୍ବିଆ ୟୁନିଭରସିଟିର ସିଆଇଏଓ ଜର୍ଣ୍ଣାଲର ରିପୋର୍ଟ କହୁଛି, ଆତଙ୍କବାଦୀଙ୍କୁ ବି ନିଯୁକ୍ତି ସମୟରେ ମିଳେ ସାଇନିଂ ଆମାଉଣ୍ଟ ଏବଂ ମାସିକ ଦରମା। ଏପରିକି କାର୍ଯ୍ୟକାଳ ସରିବା ବେଳେ ମିଳେ ବୋନସ୍। ବିଶେଷ କରି ବଡ଼ ଆକ୍ରମଣ କଲେ ମିଳେ ପୁରସ୍କାର। ନିଯୁକ୍ତି ସମୟରେ ବିଦେଶୀ ଆତଙ୍କବାଦୀଙ୍କୁ ୫୦ ହଜାର ମିଳୁଥିବା ବେଳେ ସ୍ଥାନୀୟ ଆତଙ୍କୀଙ୍କୁ ମିଳେ ୨୫ ହଜାର ଟଙ୍କା। ସେହିପରି ବିଦେଶୀ ଆତଙ୍କୀଙ୍କୁ ୧୦ ହଜାରରୁ ୧୨ ହଜାର ମିଳୁଥିବା ବେଳେ ସ୍ଥାନୀୟ ଆତଙ୍କୀଙ୍କୁ ମିଳୁଛି ୮ ହଜାରରୁ ୧୦ ହଜାର।
କାର୍ଯ୍ୟକାଳ ସରିବା ବେଳେ ଆତଙ୍କବାଦୀଙ୍କୁ ମିଳେ ୨ ରୁ ଅଢେଇ ଲକ୍ଷ ଟଙ୍କା। ସ୍ଵତନ୍ତ୍ର ଅପରେସନ ସମୟରେ ମିଳେ ବୋନୋସ୍। ବମ୍ ବିସ୍ଫୋରଣ କିମ୍ଵା ବଡ଼ ହମ୍ଲା କଲେ ମିଳେ ୧ ରୁ ୨ ଲକ୍ଷ ଟଙ୍କା। ଆତଙ୍କବାଦୀଙ୍କ ଠାରୁ ଅଧିକ ପାଆନ୍ତି ସୁପ୍ରିମ ଲିଡର। ଆତଙ୍କୀ ନେତାଙ୍କୁ ମାସକୁ ମିଳେ ୫୦ ହଜାର ଟଙ୍କା ଦରମା। ଏପରିକି ପରିବାରକୁ ମିଳେ ଆର୍ଥିକ ସହାୟତା। ଜଣେ ଆତଙ୍କବାଦୀ ମରିଗଲେ ତାଙ୍କ ପରିବାରକୁ ମିଳେ କ୍ଷତିପୂରଣ। ଏତଦ୍ ବ୍ୟତୀତ ପ୍ରତି ମାସରେ ମିଳେ ସହାୟତା। ଇଦ୍ ଭଳି ପର୍ବ ପର୍ବାଣୀରେ ମିଳେ ଅଲଗା ସହାୟତା।
ଜଣେ ଆତଙ୍କବାଦୀକୁ ଟ୍ରେନିଂ ଦେବାଠାରୁ ନେଇ ଅସ୍ତ୍ରଶସ୍ତ୍ର, ବସ୍ତ୍ର ଏବଂ ଉପକରଣ ପାଇଁ ଖର୍ଚ୍ଚ ହୁଏ ୨୫ ରୁ ୩୦ ହଜାର ଟଙ୍କା। ତେବେ ଆତଙ୍କୀଙ୍କ ପଛରେ ଖର୍ଚ୍ଚ କରିବାକୁ ଏହି ଅର୍ଥ କେଉଁଠୁ ଯୋଘାଡ଼ କରେ ସଙ୍ଗଠନ ? ରିପୋର୍ଟ କରହୁଛି, ଆତଙ୍କୀ ସଙ୍ଗଠନକୁ ସବୁଠୁ ବଡ଼ ଫଣ୍ଡିଂ ମିଳେ ବିଦେଶୀ ଏଜେନ୍ସିରୁ। ହୱାଲା ନେଟୱର୍କ ଏବଂ ବିଦେଶୀ ଏନଆରଆଇ ଫଣ୍ଡିଂରୁ ବି ମିଳେ ଅର୍ଥ।
ଏହି ଖବରଟି ପ୍ରୋତ୍ସାହନ ପାଇଁ କରାଯାଇ ନାହିଁ। କେବଳ ସୂଚନାମୂଳକ ଉଦ୍ଦେଶ୍ୟରେ ପବ୍ଲିସ୍ କରାଯାଇଛି।