ନିୟମିତ ବ୍ୟାୟାମ କରିବା ଶରୀର ପାଇଁ ଖୁବ୍‌ ଲାଭଦାୟକ । କିନ୍ତୁ କେବେ ଅନୁଭବ କରିଛନ୍ତି କି ନୂଆ ବ୍ୟାୟାମ ଆରମ୍ଭ କରିବା କିମ୍ବା ଦୀର୍ଘ ସମୟ ପରେ ୱାର୍କ ଆଉଟ କରିବା ଦ୍ୱାରା ଶରୀରରେ ଯନ୍ତ୍ରଣା ହେଉଛି? ଆରମ୍ଭରୁ ମାଂସପେଶୀରେ ଯନ୍ତ୍ରଣା ହେବା ଆଦୌ ସ୍ୱାଭାବିକ ନୁହେଁ । ଏହାକୁ ମସଲ ସୋରନେସ୍‌ କୁହାଯାଏ, ଯାହା ବିଶେଷକରି ୨୪ରୁ ୪୮ ଘଣ୍ଟା ଭିତରେ ଠିକ୍‌ ହୋଇଯାଇଥାଏ । ଅବଶ୍ୟ ଏହି ଯନ୍ତ୍ରଣା ଆଦୌ ସାମାନ୍ୟ ନୁହେଁ । ଚାଲନ୍ତୁ ଜାଣିବା ପିଏସ୍‌ଆର୍‌ଆଇ ହସ୍ପିଟାଲର ଡାକ୍ତର ଲକ୍ଷ୍ୟ ଫିଜିଓଥେରାପୀ ମୁଖ୍ୟଙ୍କଠାରୁ । ବ୍ୟାୟାମରେ ହେଉଥିବା ଯନ୍ତ୍ରଣାରେ କେତେବେଳେ ଡାକ୍ତର ପରାମର୍ଶ କରିବେ? 

କରନ୍ତୁନି ଅଣଦେଖା 
ଯଦି ବ୍ୟାୟାମ ପରେ ଯନ୍ତ୍ରଣା ଅଚାନକ୍‌ ତୀବ୍ର ବେଗରେ ବଢୁଥାଏ, ଆଉ କମୁ ନଥାଏ, ତେବେ ଏହାକୁ ହାଲ୍‌କାରେ ନିଅନ୍ତୁନି । ଯଦି ଯନ୍ତ୍ରଣା ସହ ଶରୀରର ସେହି ଅଙ୍ଗରେ ପ୍ରଦାହ, ଲାଲ ଦେଖାଯିବା, ଚଳପ୍ରଚଳରେ ଅବା ହଲିବାରେ ସମସ୍ୟା ଦେଖା ଦେଉଥାଏ, ତେବେ ସାବଧାନ ହୋଇପଡନ୍ତୁ । ଏହା ମାଂସପେଶୀ, ଗଣ୍ଠି ବା ଲିଗାମେଣ୍ଟରେ ଆଘାତ ଲାଗିବାର ସଙ୍କେତ ହୋଇପାରେ । ତେଣୁ ଡାକ୍ତରଙ୍କ ପରାମର୍ଶ ନେବା ଖୁବ୍‌ ଜରୁରୀ । ଅନେକ ସମୟରେ କିଛି ଲୋକ ଯନ୍ତ୍ରଣା ସତ୍ତେ୍ୱ ମଧ୍ୟ ବ୍ୟାୟାମ କରିଚାଲନ୍ତି । ଏପରି କରିବା ଦ୍ୱାରା ଆଘାତ ଅଧିକ ଗଭୀର ହୋଇଚାଲେ । ଉଦାହରଣ ଆପଣଙ୍କ କାନ୍ଧ, ଆଣ୍ଠୁ ବା ପିଠିରେ ଯନ୍ତ୍ରଣା ହେଉଛି ଏବଂ ଆରାମ କରିବା ସତ୍ତେ୍ୱ ତାହା କମିବା ପରିବର୍ତ୍ତେ ବଢିଚାଲିଛି । ତେବେ ଏହା ‘ଓଭରୟୁଜ୍‌ ଇନ୍‌ଜୁରୀ’ ବା ମାଂସପେଶୀ ଟାଣିଭିଡି ହେବାର ଲକ୍ଷଣ ହୋଇପାରେ । ଯଦି ଠିକ୍‌ ସମୟରେ ଏହାର ଚିକିତ୍ସା କରା ନଯାଏ, ତେବେ ଏହି ସମସ୍ୟା ଦୀର୍ଘଦିନ ଯାଏ ଚାଲିଥାଏ । କିଛି ଲକ୍ଷଣ ଏମିତି ହୋଇଥାଏ, ଯାହା ଶରୀର ଭିତରର ଗଡ଼ବଡ଼ ହେବାର ଲକ୍ଷଣ ହୋଇଥାଏ । ଯେପରିକି-

ଶିରାପ୍ରଶିରାରେ ସମସ୍ୟା: ଯଦି ଯନ୍ତ୍ରଣା ସହ ଶରୀର ନିସ୍ତେଜ ହୋଇ ପଡୁଥାଏ, ଝିମଝିମ୍‌ ଅନୁଭବ ହେବା, ଦୁର୍ବଳ ଅନୁଭବ ହେବା ଓ ଶକ୍ତି ନଥିବା ପରି ଲାଗିବା ଆଦି ସମସ୍ୟା ଶିରାପ୍ରଶିରାଜନିତ ସମସ୍ୟାର ଲକ୍ଷଣ । 

ସିରିୟସ୍‌ ମାଂସପେଶୀ ଆଘାତ: ଯଦି ମାଂସପେଶୀ ଯନ୍ତ୍ରଣା ସହ ଅତ୍ୟଧିକ ଜ୍ୱର, ଅଧିକ ଥକାପଣ ଅନୁଭବ ହେବା କିମ୍ବା ପରିସ୍ରାର ରଙ୍ଗ ଗାଢ ହେଉଥାଏ, ତେବେ ତୁରନ୍ତ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ । 

ଯନ୍ତ୍ରଣାରୁ ମୁକ୍ତି ପାଇଁ ସହଜ ଉପାୟ: ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉପଯୁକ୍ତ ନିୟମର ପାଳନ କରନ୍ତୁ । ବ୍ୟାୟାମ କରିବା ସମୟରେ ଆବଶ୍ୟକ କୌଶଳ ଅବଲମ୍ବନ କରନ୍ତୁ । ବ୍ୟାୟାମ କରିବା ସମୟରେ ତୀବ୍ରତା ଧୀରେ ଧୀରେ ବଢାନ୍ତୁ । ୱାର୍କଆଉଟ୍‌ କରିବା ପୂର୍ବରୁ ୱାର୍ମଅଫ୍‌ ଓ ପରେ କୁଲ୍‌ ଡାଉନ୍‌ ନିଶ୍ଚୟ କରନ୍ତୁ । ଏହାବ୍ୟତୀତ ମାଂସପେଶୀକୁ ସୁସ୍ଥ କରିବା ପାଇଁ ଶରୀରକୁ ଆରାମ ଦେବା ସହ ସନ୍ତୁଳିତ ଖାଦ୍ୟ ସାଙ୍ଗକୁ ଆବଶ୍ୟକ ପାଣି ପିଅନ୍ତୁ ।