ଭୁବନେଶ୍ଵର, ୧୩/୦୭ : ମୁଣ୍ଡ ବିନ୍ଧା, ଦେହ ବ୍ୟଥା ହେଉକି ଦାନ୍ତ ବିନ୍ଧା... କିଛି ଲୋକ ଅଛନ୍ତି, ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇ ନିଅନ୍ତି। କଷ୍ଟ ହେବା ମାତ୍ରେ ପେନକିଲର ଖାଆନ୍ତି। ଧୀରେ ଧୀରେ ଲୋକଙ୍କ ମଧ୍ୟରେ ଏହି ଅଭ୍ୟାସ ବଢୁଛି। ତେବେ ଅତ୍ୟଧିକ ମାତ୍ରାରେ ପେନକିଲର ଖାଇବା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ। ଏହା କଷ୍ଟରୁ ରିଲିଫ୍ ଦେବା ବଦଳରେ ଆପଣଙ୍କ ଶରୀରକୁ ଖୋଳ କରିଦେବ। ବିଶେଷ କରି ଦୀର୍ଘ ଦିନ ଯାଏଁ ଏହି ଔଷଧ ଖାଇବା ଦ୍ଵାରା ପେଟରେ ଅଲସର, ବ୍ଲିଡିଂ ଏବଂ କିଡନୀ ଖରାପ ହେବାର ସମ୍ଭାବନା ରହିଛି। ଯଦି ସବୁବେଳେ କଷ୍ଟ ହେଉଥାଏ, ତାହେଲେ ମନଇଚ୍ଛା ପେନକିଲର ନଖାଇ ଡାକ୍ତରଙ୍କ ସହ ପରାମର୍ଶ କରି ଉପଯୁକ୍ତ ଚିକିତ୍ସା କରନ୍ତୁ।
ସବୁବେଳେ ପେନକିଲର ଖାଇଲେ କଣ ହେବ ?
୧-କିଡନୀ ଖରାପ
ସବୁବେଳେ NSAIDs ପେନକିଲର ଖାଇବା ଦ୍ଵାରା କିଡନୀରେ ରକ୍ତ ପ୍ରବାହକୁ ପ୍ରଭାବିତ କରିପାରେ। ଏହା କିଡନୀ ଉପରେ ଅତିରିକ୍ତ ଚାପ ପକାଇଥାଏ ଏବଂ ଧୀରେ ଧୀରେ ଏହାର କାର୍ଯ୍ୟକ୍ଷମତାକୁ ହ୍ରାସ କରିଥାଏ। ପୂର୍ବରୁ କିଡନୀ ରୋଗ, ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ଥିବା ଲୋକଙ୍କଠାରେ ଏହି ବିପଦ ଆହୁରି ବଢ଼ିଯାଏ। ତେଣୁ, ଡାକ୍ତରଙ୍କ ପରାମର୍ଶ ବିନା ନିୟମିତ ପେନକିଲର ଖାଇବା ଅନୁଚିତ୍।
୨-ଅଲସର୍
ପେନକିଲର ଖାଇବା ଦ୍ଵାରା ପେଟରଏ ଏସିଡିଟି, ଅଲସର୍ ଏବଂ ବ୍ଲିଡିଂ ହେବାର ସମ୍ଭାବନା ରହିଛି। ଯଦି ଖାଲି ପେଟରେ ଅଧିକ ଔଷଧ ସେବନ କରାଯାଏ ତାହେଲେ ଅଲସର ହେବାର ସମ୍ଭାବନା ଖୁବ୍ ଅଧିକ। ଯେଉଁ ଲୋକଙ୍କର ପୂର୍ବରୁ ପେଟ ସମସ୍ୟା ରହିଛି ସେମାନଙ୍କୁ ସାବଧାନତା ରକ୍ଷା କରିବା ଉଚିତ୍।
୩-ଲିଭର ଉପରେ ପ୍ରଭାବ
ପାରାସିଟାମଲ୍ ଭଳି ପେନକିଲର ଅଧିକ ଖାଇବା ଦ୍ଵାରା ଲିଭର ଖରାପ ହେବାର ସମ୍ଭାବନା ରହିଛି। ମଦ୍ୟପାନ କରୁଥିବା କିମ୍ବା ପୂର୍ବରୁ ଲିଭର ରୋଗ ଥିବା ଲୋକଙ୍କଠାରେ ଏହି ବିପଦ ଆହୁରି ବଢ଼ିଯାଏ। ତେଣୁ, ଯେକୌଣସି ପେନକିଲର ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ନେବାରୁ ଦୂରେଇ ରହିବା ଉଚିତ୍।
୪-ହାର୍ଟ ସମସ୍ୟା
କିଛି ଔଷଧ ଦୀର୍ଘ ଦିନ ଧରି ଖାଇବା ଦ୍ଵାରା ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ୍ ବିପଦ ବଢିବାର ସମ୍ଭାବନା ରହିଛି। ହୃଦରୋଗ, ହାଇ ବିପି, କିମ୍ଵା କୋଲେଷ୍ଟ୍ରୋଲ ସମସ୍ୟା ଥିବା ବ୍ୟକ୍ତିଙ୍କ ଠାରେ ଏହି ବିପଦ ଅଧିକ।
ପେନକିଲର ଖାଇବା ଦ୍ଵାରା ପ୍ରକୃତ ରୋଗ ଲୁଚିଯାଏ। ଠିକ୍ ସମୟରେ ଜଣାପଡ଼େ ନାହିଁ। ତେଣୁ ରୋଗକୁ ଚାପିବା ବଦଳରେ ଠିକ୍ ସମୟରେ ଏହାର ଚିକିତ୍ସା କରାନ୍ତୁ। କିଛି ଲୋକଙ୍କ ଦେହରେ ଏହା ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ କରେ। ଯେମିତିକି ତ୍ଵଚା ଲାଲ ହୋଇଯିବା, କୁଣ୍ଡେଇ ହେବା, ନିଶ୍ଵାସ ନେବାରେ ଅସୁବିଧା ହେବା, ବାନ୍ତି ହେବା, ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୁଏ।
ଆହୁରି ପଢନ୍ତୁ-ଘରର ଏହି ଦିଗରେ ରଖନ୍ତୁ କ୍ରିଷ୍ଟଲ ପିରାମିଡ୍, କେବେ ହେବନି ଟଙ୍କାର ଅଭାବ
The End of the Sun ! :ସୂର୍ଯ୍ୟ ଶକ୍ତିହୀନ ହେଲେ ମଣିଷ ଜାତିର କଣ ହେବ?